June 21, 2026
Home » ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

0
WhatsApp Image 2026-06-21 at 2.18.02 PM
ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ  ଭୁବନେଶ୍ୱରରେ  କମ୍ପ୍ରେସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ (ସିବିଜି)ର ଶିଳାନ୍ୟାସ । ଦୈନିକ 300 ମେଟ୍ରିକ ଟନ୍ ଓଦା ବର୍ଜ୍ୟରୁ ଉତ୍ପାଦନ ହେବ ସିବିଜି । ବିଜ୍ଞାନ ସମ୍ମତ ବର୍ଜ୍ୟ ପରିଚାଳନା ସହ ବର୍ଜ୍ୟରୁ ସଂପଦ ସୃଷ୍ଟି କରିବାରେ ବିଏମ୍ ସିର ଆଉ ଏକ ଅଭିନବ ପ୍ରୟାସ । ଆହୁରି ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ଛତ୍ରପୁର ଏନ୍ ଏ ସି ରେ ୧୬.୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏବଂ ଦିଗପହଣ୍ଡି ଏନ୍ ଏ ଏ ରେ ୧୦.୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା କରାଯାଇଥିବା ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ମେହେରପଲ୍ଲୀଠାରେ ଦୈନିକ 300 ମେଟ୍ରିକ ଟନ୍ କମ୍ପ୍ରେସ୍ ଡ୍ ବାୟୋ ଗ୍ୟାସ (ସିବିଜି) ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ, ମେସର୍ସ ଅଏଲ ଇଣ୍ଡିଆ ଲିମିଟେଡ୍ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହା ଦ୍ୱାରା ସହରରେ ଉତ୍ପନ୍ନ ହେଉଥିବା ଅଧିକାଂଶ ଓଦା ବର୍ଜ୍ୟର ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଇ ପାରିବ । ଏହି ସିବିଜି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ, ଟିଟିଏସ୍ ଉପରେ ନିର୍ଭରଶୀଳତା ଯଥେଷ୍ଟ ହ୍ରାସ ପାଇବ । ଦୈନନ୍ଦିନ ଟିଟିଏସକୁ ଆସୁଥିବା ଅଧିକାଂଶ ଓଦା ବର୍ଜ୍ୟବସ୍ତୁ, ସିଧାସଳଖ ସିବିଜି ପ୍ଲାଣ୍ଟକୁ ଯିବ ଏବଂ ସେଠାରେ ପ୍ରକ୍ରିୟାକରଣ କରାଯିବ।
ସରକାରଙ୍କର ସ୍ୱଚ୍ଛ ଭାରତ ମିଶନକୁ ସାକାର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞାନ ସମ୍ମତ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ ଦେଇଆସୁଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଆଧାରରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅକୁଣ୍ଠ ସହଯୋଗ ଓ ସହାୟତା ଏହି କାର୍ଯ୍ୟକ୍ରମକୁ ଆଗେଇ ନେଉଛି ।
         ଭୁବନେଶ୍ୱର ମହାନଗର ନିଗମ, 16 ଡିସେମ୍ବର 2024 ରେ ମେହେରପଲ୍ଲୀରେ 300 ଟିପିଡି ବାୟୋ-ମିଥେନେସନ୍ (କମ୍ପ୍ରେସ୍ଡ୍ ବାୟୋଗ୍ୟାସ୍) ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମେସର୍ସ ଅଏଲ୍ ଇଣ୍ଡିଆ ଲିମିଟେଡ୍ ସହିତ ଏକ ଏମ୍ଓୟୁ ସ୍ୱାକ୍ଷରିତ କରିଛି । ଏବେ ଦୈନିକ 200 ମେଟ୍ରିକ ଟନ୍ ବର୍ଜ୍ୟ ପ୍ରକ୍ରିୟାକରଣ କରାଯିବ । ଭବିଷ୍ୟତରେ 300 ଟିପିଡି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଉକ୍ତ ପ୍ଲାଣ୍ଟରେ ବ୍ୟବସ୍ଥା ରହିଛି । ମେସର୍ସ ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ 175.00 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯାଉଛି ।
           ଚୁକ୍ତି ଅନୁଯାୟୀ, ବିଏମ୍ ସି ମେହେରପଲ୍ଲୀଠାରେ ପାଖାପାଖି 10 ଏକର ଜମି ଯୋଗାଇ ଦେଇଛି । ଫିଡ୍ ଷ୍ଟକ୍ ଭାବରେ ଦୈନିକ ପ୍ରାୟ 200 ମେଟ୍ରିକ ଟନ୍ ପୃଥକିକୃତ ଓଦା ବର୍ଜ୍ୟ ଯୋଗାଣ ନିଶ୍ଚିତ କରିବ । ଏହି ସୁବିଧାର ସମ୍ପୂର୍ଣ୍ଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ, ମେସର୍ସ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା କରାଯିବ । ଅନ୍ୟପକ୍ଷରେ  ମେସର୍ସ ଅଏଲ ଇଣ୍ଡିଆ ଲିମିଟେଡ୍, ଦକ୍ଷ ଏବଂ ବୃତ୍ତିଗତ ପ୍ଲାଣ୍ଟ ପରିଚାଳନାକୁ ସୁନିଶ୍ଚିତ କରିବ।
            ଓଦା ବର୍ଜ୍ୟର ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ ପାଇଁ ଉନ୍ନତ ଏନାରୋବିକ ଡାଇଜେସନ୍ ଟେକ୍ନୋଲୋଜି ଗ୍ରହଣ କରିବ ଏବଂ ପ୍ରାୟ 10ରୁ 14 ଟିପିଡି କମ୍ପ୍ରେସ୍ଡ୍ ବାୟୋଗ୍ୟାସ୍ (ସିବିଜି) ଉତ୍ପାଦନ କରିବ । ଏକ ସ୍ୱଚ୍ଛ ଏବଂ ନବୀକରଣଯୋଗ୍ୟ ଇନ୍ଧନ ଭାବରେ ଏହାକୁ ବ୍ୟବହାର କରାଯାଇପାରିବ। ଏହାବ୍ୟତୀତ, ଏହି ପ୍ଲାଣ୍ଟ ଯଥେଷ୍ଟ ପରିମାଣରେ ପୁଷ୍ଟିକର ଜୈବିକ ସାର ଏବଂ ତରଳ ସାର ଉତ୍ପାଦନ କରିବ, ଯାହାକୁ କୃଷି କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ ଏବଂ ଆର୍ଥିକ ଚକ୍ରକୁ ପ୍ରୋତ୍ସାହିତ କରିବ।
           ଏହି ପ୍ରକଳ୍ପ ପୌର ବର୍ଜ୍ୟର ବୈଜ୍ଞାନିକ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିବା ଏବଂ ଲ୍ୟାଣ୍ଟଫିଲ୍ ଆଧାରିତ ନିଷ୍କାସନ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ବିଏମସିର ସମନ୍ୱିତ ବର୍ଜ୍ୟ ପରିଚାଳନା ଭିତ୍ତିଭୂମିକୁ ଯଥେଷ୍ଟ ମଜବୁତ କରିବ। ଖୋଲା ବର୍ଜ୍ୟବସ୍ତୁ ପରିଚାଳନାକୁ ରୋକିବା ଏବଂ ସିବିଜିର ଉପଯୋଗ ମାଧ୍ୟମରେ ଜୀବାଶ୍ମ ଇନ୍ଧନକୁ ବଦଳାଇ ଏହା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ଯଥେଷ୍ଟ ହ୍ରାସ କରିବ। ସିବିଜି ପ୍ଲାଣ୍ଟ ଚାଲୁ ହେବା ଦ୍ୱାରା ବର୍ଜ୍ୟବସ୍ତୁରୁ ବିବିଧ ଗ୍ୟାସ୍ ନିର୍ଗମନକୁ ଯଥେଷ୍ଟ ହ୍ରାସ କରାଯାଇପାରିବ । କେବଳ ସେତିକି ନୁହେଁ, ପ୍ରକ୍ରିୟାକରଣରୁ ବାବାରୁଥିବା ଜୈବିକ ସାର ଏବଂ ତରଳ ସାରର ବ୍ୟବହାର,  ରାସାୟନିକ ସାର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ, ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ।
               ଏହି ସୁବିଧାକୁ ଏକ ଇନବିଲ୍ଟ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି) ବା ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ଆବଶ୍ୟକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏହା ଲିଚେଟ୍ ଏବଂ ବର୍ଜ୍ୟବସ୍ତୁଗୁଡ଼ିକର ଉପଯୁକ୍ତ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିବ । ଫଳରେ ପରିବେଶ ଅନୁକୂଳ ଏବଂ ସ୍ଥାୟୀ କାର୍ଯ୍ୟ ସୁନିଶ୍ଚିତ ଓ ସୁନିୟନ୍ତ୍ରିତ ହୋଇପାରିବ ।
        ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏଥିରେ ପ୍ଲାଣ୍ଟ ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ପ୍ରଶାସନରେ ପ୍ରାୟ 60ରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ  ନିଯୁକ୍ତି ସୁଯୋଗ ସହିତ ବର୍ଜ୍ୟ ସଂଗ୍ରହ, ପୃଥକୀକରଣ, ପରିବହନ ଏବଂ ସମ୍ପୃକ୍ତ ସେବାରେ ବହୁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କରକମଳରେ ଆଜି ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ଖୁବ୍ ଶୀଘ୍ର ଏହି କାର୍ଯ୍ୟ ସମାପନ ହେବ ଏବଂ ବିଏମ୍ ସି ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାର ରାଇରଙ୍ଗପୁରରୁ ଆଭାସି ମାଧ୍ୟମରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମେହେର ପଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ଶ୍ରୀମତୀ ଉଷା ପାଢୀ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ପରିମଳ ଓ ସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅଏଲ ଇଣ୍ଡିଆର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦେଶକ ଡକ୍ଟର ରଞ୍ଜିତ ରଥଙ୍କ ସହ ବହୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ପୋରେଟର ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସିର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ଅଏଲ ଇଣ୍ଡିଆ ଲିମିଡେଟର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ବିଏମ୍ ସି ଏବଂ ଅଏଲ ଇଣ୍ଡିଆର ଏହି ପ୍ରୟାସକୁ ମାନନୀୟା ସାଂସଦ ଓ ମେୟର ଉଚ୍ଚ ପ୍ରସଂଶା କରିଥିଲେ । 2027 ଏପ୍ରିଲ ସୁଦ୍ଧା ଏହି କାର୍ଯ୍ୟ ସମାପନ ହେବ ବୋଲି ଅଏଲ ଇଣ୍ଡିଆ ଲିମିଟେଡର ସିଏମ୍ ଡି କହିଛନ୍ତି ।
……….

Leave a Reply

Your email address will not be published. Required fields are marked *