June 24, 2026
Home » ଉଚ୍ଚଶିକ୍ଷା ପାଇଁ ଅନଲାଇନ୍ ଆବେଦନ କଲା ବୈଲୋଚନ

ଉଚ୍ଚଶିକ୍ଷା ପାଇଁ ଅନଲାଇନ୍ ଆବେଦନ କଲା ବୈଲୋଚନ

0
WhatsApp Image 2026-06-04 at 9.14.40 AM

ପାଟେଶ୍ଵର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ

କେନ୍ଦୁଝର, ତା୩/୬- ପରିବାରର ଆର୍ଥିକ ତାଡ଼ନା କାରଣରୁ ଉଚ୍ଚଶିକ୍ଷା ପାଇଁ ଗରୀବ ମେଧାବୀ ଛାତ୍ର ହୋଟେଲରେ ବାସନ ମାଜି ଅର୍ଥ ସଂଗ୍ରହ କରିବା ଘଟଣା ଜିଲ୍ଲା ତଥା ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଗରିବ ମେଧାବୀ ଜୁଆଙ୍ଗ ଛାତ୍ରର ଉଚ୍ଚଶିକ୍ଷା ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛି। ମୁଁ ତୁମର ବଡ଼ ଭାଇ, ତୁମର ଶିକ୍ଷାର ଦାୟିତ୍ଵ ମୁଁ ନେଉଛି, ପାଠପଢ଼ିବା ପାଇଁ ଯେତେ ଟଙ୍କା ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତ ବୁଧବାର ଦିନ ବିରଳ ଜନଜାତି ଜୁଆଙ୍ଗ ମେଧାବୀ ଛାତ୍ର ବୈଲୋଚନ ଜୁଆଙ୍ଗଙ୍କ ସହ ମୋବାଇଲ ଫୋନ୍‌ରେ କଥା ହୋଇ ଏହି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବୈଲୋଚନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି।
ବୈଲୋଚନ ଜଣେ ମେଧାବୀ ଛାତ୍ର ସେ ଯୁକ୍ତ ୩ରେ ପଢ଼ିବା ପାଇଁ ଏକ ହୋଟେଲରେ ମାସିକ ୯ ହଜାର ଟଙ୍କା ପାରିଶ୍ରମିକରେ ଅଇଁଠା ବାସନ ମାଜୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଶୋକ କୁମାର ଗୌଡ଼ ପାଟେଶ୍ଵର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ୱାଇଁଙ୍କୁ ଫୋନ୍ କରି ସବିଶେଷ ତଥ୍ୟ ସଂଗ୍ରହ କରି ବୈଲୋଚନଙ୍କ ପରିବାର ଏବଂ ପାଠପଢ଼ା ବିଷୟରେ ବୁଝିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସ୍ବାଇଁଙ୍କୁ କହିବା ସହିତ ବୈଲୋଚନର ଉଚ୍ଚଶିକ୍ଷା ପାଇଁ ଅନଲାଇନ ଆବେଦନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ବୈଲୋଚନ ଯୁକ୍ତ ୨ରେ ୮୩ ପ୍ରତିଶତ ନମ୍ବର ରଖିଥିବାରୁ ବିଜେବି, ରେଭେନ୍ସାରେ ପଢ଼ିବାର ସୁଯୋଗ ମିଳିପାରିବ। ସେଥ‌ିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁଗ୍ମସଚିବ ଅଶୋକ କୁମାର ଗୌଡ଼ ଅଧ୍ଯକ୍ଷ ଶ୍ରୀ ସ୍ବାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଲୋଚନ ଆଜି କଲେଜକୁ ଆସି ଅଧ୍ୟକ୍ଷ ଶ୍ରୀ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚଶିକ୍ଷା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଛି ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ଗତ ମଙ୍ଗଳବାର ବୈଲୋଚନଙ୍କ ଘର ବାଂଶପାଳ ବ୍ଳକ୍ ବାରହାଗଡ଼ ପଞ୍ଚାୟତ ନଡ଼ାମ ଗ୍ରାମରେ ପହଞ୍ଚିଥିଲେ। ପରିବାର ସ୍ଥିତି ଅନୁଧ୍ୟାନ କରିବା ପରେ ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜମିବାଡି ନ‌ଥିବା ବେଳେ ମୂଲ ଲାଗି ପରିବାର ଚଳାଉଥିବାରୁ ବୈଲୋଚନଙ୍କ ସମସ୍ତ ଦାୟିତ୍ଵ ନିଆଯିବ ଏବଂ ପରିବାରକୁ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଚ୍ଚଶିକ୍ଷା ପାଇଁ ପ୍ରଶାସନ ପକ୍ଷରୁ କ’ଣ ସହାୟତା ଚାହୁଁଛନ୍ତି ବୋଲି ପଚାରିବାରୁ ବୈଲୋଚନ ୩ ଲକ୍ଷ ଟଙ୍କା ଦେବାକୁ ଅନୁରୋଧ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏ ବିଷୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ଡିଏମ୍ଏଫ୍ ଅନୁଦାନରୁ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।
ସେହିପରି ଭୁବନେଶ୍ୱରସ୍ଥିତ ଡିସିପି (ମୁଖ୍ୟାଳୟ) ସୁରେଶ ଚନ୍ଦ୍ର ପାତ୍ର ଗଣମାଧ୍ୟମରୁ ବୈଲୋଚନଙ୍କ ଖବର ଜାଣିବା ପରେ କଲେଜ ଅଧ୍ୟକ୍ଷ ଶ୍ରୀ ସ୍ବାଇଁଙ୍କ ସହ ଯୋଗାଯୋଗ କରି ସତ୍ୟ ସୁଷମା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥକ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି। ଅନ୍ୟତମ ସଙ୍ଗଠନ ପ୍ରୟାସ ପକ୍ଷରୁ ମଧ୍ୟ ବୈଲୋଚନଙ୍କୁ ସହାୟତା କରାଯିବାକୁ ଯୋଗାଯୋଗ କରାଯାଇଛି। ଯଶୋଦା ଫାଉଣ୍ଡେସନ ପକ୍ଷରୁ ନିବେଦିତା ଲେଙ୍କା ମଧ୍ୟ ବୈଲୋଚନଙ୍କ ସହ ଯୋଗାଯୋଗ କରି ଉଚ୍ଚ ଶିକ୍ଷାରେ ସ‌ହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ୱରର ବିଜୟ ମାଧବ ପାତ୍ର ମଧ୍ୟ ବୈଲୋଚନ ସହ ଫୋନ ଯୋଗେ ଯୋଗାଯୋଗ କରି ଉଚ୍ଚଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବୈଲୋଚନଙ୍କ କଥା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୈଲୋଚନ ଗଣମାଧ୍ୟମ ଆଗରେ କାହିଁକି ମୁହଁ ଖୋଲିଲେ ବୋଲି ପ୍ରଶାସନ ପକ୍ଷରୁ ବୈଲୋଚନକୁ ଭୟଭୀତ ମଧ୍ୟ କରାଯାଇଥିଲା ଯାହା ଅତି ଦୁଃଖଦାୟକ ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *