August 29, 2026
Home » ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ

0
WhatsApp Image 2026-08-29 at 5.47.03 PM

 

ଭୁବନେଶ୍ୱର:ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ଓଡ଼ିଶାର ବିଭିନ୍ନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍‌ଆରଏସ୍‌) ପରିସରରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଚଳିତ ବର୍ଷର ଜାତୀୟ ଥିମ୍‌ ‘ଖେଲେଗା ଭାରତ, ଜିତେଗା ଭାରତ’ ରହିଛି । ‘ଟ୍ରିବ୍ୟୁଟ୍, ପ୍ଲେ ଆଣ୍ଡ ମୁଭ୍’ ତିନିଟି ସ୍ତମ୍ଭକୁ ଆଧାର କରି ଏହି ଆୟୋଜନ କରାଯାଉଛି ।

ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଇଏମ୍‌ଆରଏସ୍‌ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଦୌଡ଼, କବାଡ଼ି, ଖୋ-ଖୋ, ଭଲିବଲ୍‌, ବାସ୍କେଟବଲ୍‌, ଫୁଟବଲ୍‌, ଟେବୁଲ୍‌ ଟେନିସ୍‌, ଚେସ୍‌, ଯୋଗ ସମେତ ବିଭିନ୍ନ କ୍ରୀଡ଼ା ଓ ପାରମ୍ପରିକ ଖେଳରେ ଅଂଶଗ୍ରହଣ କରୁଛନ୍ତି । ବିଦ୍ୟାଳୟଗୁଡ଼ିକରେ ପୁଷ୍ପମାଲ୍ୟ ଅର୍ପଣ, କ୍ରୀଡ଼ା ପ୍ରଦର୍ଶନ, ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଓ ବିଭିନ୍ନ ଫିଟ୍‌ନେସ୍‌ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ।

 

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେଉଛି ‘ଏକ ଘଣ୍ଟା ଖେଳ କେ ମୈଦାନ ମେଁ’। ଏହା ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଖେଳ ପଡ଼ିଆରେ ଅତି କମ୍‌ରେ ଏକ ଘଣ୍ଟା ସମୟ ବିତାଇବା ସହ ନିୟମିତ ଶାରୀରିକ କାର୍ଯ୍ୟକଳାପ ପ୍ରତି ଆଗ୍ରହୀ ହେବାକୁ ପ୍ରୋତ୍ସାହିତ କରାଯାଉଛି । କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ ଭାବନା, ଆତ୍ମବିଶ୍ୱାସ, ଧୈର୍ଯ୍ୟ, ନେତୃତ୍ୱ ଗୁଣ ଓ ସୁସ୍ଥ ଜୀବନଶୈଳୀ ବିକଶିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ।

ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଶାରୀରିକ କ୍ରୀଡା ପ୍ରଶିକ୍ଷକ (ପିଇଟି) ଓ ଅନ୍ୟାନ୍ୟ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କାର୍ଯ୍ୟକଳାପରେ ମାର୍ଗଦର୍ଶନ, ତଦାରଖ ଓ ଉତ୍ସାହିତ କରୁଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ, ସମାବେଶୀ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ବିଦ୍ୟାଳୟ ପରିସରରେ କ୍ରୀଡ଼ାର ଏକ ସୁସ୍ଥ ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି । ଜାତୀୟ କ୍ରୀଡ଼ା ଦିବସ ପାଳନ ମାଧ୍ୟମରେ ଇଏମ୍‌ଆରଏସ୍‌ ଗୁଡ଼ିକରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଉତ୍ତମ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ, କ୍ଲଷ୍ଟର ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ସହ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ଇଏମ୍‌ଆରଏସ୍‌ ଓଡ଼ିଶାରେ ଏହି ଆୟୋଜନ କେବଳ କ୍ରୀଡ଼ା ପ୍ରତିଯୋଗିତାରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶର ଏକ ମାଧ୍ୟମ ପାଲଟିଛି । କ୍ରୀଡ଼ା ମାଧ୍ୟମରେ ଶାରୀରିକ ସୁସ୍ଥତା ସହ ଶୃଙ୍ଖଳା, ଦାୟିତ୍ୱବୋଧ, ନେତୃତ୍ୱ ଓ ଦଳଗତ ମନୋଭାବ ଭଳି ଗୁଣର ବିକାଶ କରି ଜଣେ ଆତ୍ମବିଶ୍ୱାସୀ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସହ ଜାତୀୟ କ୍ରୀଡ଼ା ଦିବସ ପାଳନ ଇଏମ୍‌ଆରଏସ୍‌ ଓଡ଼ିଶାରେ ଏକ ସୁସ୍ଥ, ଶୃଙ୍ଖଳିତ ଓ କ୍ରୀଡ଼ାପ୍ରେମୀ ଭାରତ ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିଛି ।

Leave a Reply

Your email address will not be published. Required fields are marked *