ଏମଏମଡିଆର ବିଲକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: କଂଗ୍ରେସ
ଏହି କଳା ଆଇନକୁ ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ କାହିଁକି ପ୍ରତିକ୍ରିୟାହୀନ
ଭୁବନେଶ୍ୱର; ଏମଏମଆରଡିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡିଶା ଜନତାଙ୍କୁ ବିଭ୍ରାନ୍ତକର ମନ୍ତବ୍ୟ ପ୍ରଦାନକୁ କଂଗ୍ରେସ ଭବନଠାରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କଂଗ୍ରେସର ପ୍ରତିକ୍ରିୟା ଉପସ୍ଥାପନ କରିଛନ୍ତି l
ଏହି ପ୍ରେସ ବିବୃତିରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଏମଡିଆର ବିଷୟରେ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ l ଯେଉଁ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି 22 ହଜାର ଟଙ୍କା ପାଇବାର ହକଦାର ସେହି ରାଜ୍ୟ 1 ଲକ୍ଷ କୋଟି ଟଙ୍କାରୁ ଉର୍ଧ୍ଵ କ୍ଷତି ସହିବାକୁ ବାଧ୍ୟ ହୋଇଛି l
ବର୍ତ୍ତମାନ ଜଣେ ଶିଳ୍ପପତିଙ୍କ 22 ହଜାର କୋଟି ଟଙ୍କା କେନ୍ଦ୍ର ଛାଡ଼ କରିଛି କିନ୍ତୁ ଏହା ଉପରେ ଶ୍ରୀ ପ୍ରଧାନ ମୁହଁ ଖୋଲୁ ନାହାନ୍ତି l
ସରକାର ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ପ୍ରବଚନ ଦେଉଛନ୍ତି ଅଥଚ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ କେନ୍ଦ୍ର ଏହି ବ୍ୟବସ୍ଥାକୁ ଉଲଂଘନ କରି ବିଲ ପାସ କରିଛି l
ଏହି ବିଲ ଲାଗୁହେବା ଫଳରେ ଶିଳ୍ପସମୃଦ୍ଧ ଅଞ୍ଚଳରେ ଲୋକେ ଭିକଥାଳି ଧରିବାକୁ ବାଧ୍ୟ ହେବେ l ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳ ଏହି କଳା ବିଲକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି l କଣ ଏମାନେ ଶାସନ କରିବା ପାଇଁ ଅଛନ୍ତି ନା ଅୟସ କରିବା ପାଇଁ ?
ଖଣିଜ ସମ୍ପଦପୂର୍ଣ୍ଣ ରାଜ୍ୟରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଜମି ବାଡ଼ି, ଜଳ ଜଙ୍ଗଲ, ପରିବେଶ, ରାସ୍ତାଘାଟ ସମସ୍ତ ଉପରେ ଦୀର୍ଘକାଳୀନ କୁପ୍ରଭାବ ପଡେ l ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟର ଅଧିକାରକୁ କେନ୍ଦ୍ର ନିଜ ହାତକୁ ନେଇ ଯାଉଛି l ଏହି ଅଧିକାର କଣ ବିଧି ସଙ୍ଗତ ନା ସମ୍ବିଧାନିକ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ପଚାରିଛନ୍ତି l
ଗତ 13 ଅଗଷ୍ଟରେ ମାନନୀୟା ରାଷ୍ଟ୍ରପତି ଏମଏମଡିଆର ବିଲକୁ ଅନୁମୋଦନ କଲେ l ଯେହେତୁ ରାଷ୍ଟ୍ରପତି ଓଡ଼ିଶାର ଏବଂ ରାଜ୍ୟର ପ୍ରଭୂତ କ୍ଷୟକ୍ଷତି ଘଟୁଛି ତେଣୁ ଅନୁମୋଦନ କରିବା ପୂର୍ବରୁ ଆଇନ କାନୁନ ଦିଗ ଉପରେ ତର୍ଜମା କରିବା ଆବଶ୍ୟକ ଥିଲା l ପୁଣି ଏହା କେବଳ ଓଡିଶା ନୁହଁ ସମସ୍ତ ଖଣି ସମୃଦ୍ଧ ରାଜ୍ୟ ପ୍ରଭାବିତ ହେବେ l ଏହି ବିଲ ଯୋଗୁଁ ରାଜ୍ୟ ପ୍ରଗତି ପ୍ରଭାବିତ ହେବା ସହିତ ଏହି ଆଇନ ଭବିଷ୍ୟତରେ ବିପର୍ଯୟ ସୃଷ୍ଟି କରିବାର ଆଶଙ୍କା ରହିଛି l
କଂଗ୍ରେସ ରାଜ୍ୟର ସମସ୍ତ ସାମ୍ବିଧାନିକ ପଦରେ ଥିବା ପ୍ରତିନିଧି ଏବଂ ବୁଦ୍ଧିଜୀବୀଗଣଙ୍କୁ ଆହ୍ୱାନ କରୁଛି ଏହି ବିଲ ଉପରେ ଆଲୋଚନା କରନ୍ତୁ l
ଧର୍ମେନ୍ଦ୍ର ପ୍ରଧାନ ତୈଳମନ୍ତ୍ରୀ ଥିବାବେଳେ ଗୁଜୁରାଟରେ ସର୍ଦାର ବଲ୍ଲଭ ଭାଇ ପଟେଲ ମୂର୍ତ୍ତି ତିଆରିବେଳେ ଅର୍ଥର ଭଣ୍ଡାର ଖୋଲି ଦେଇଥିଲେ l ଶିକ୍ଷାମନ୍ତ୍ରୀ ଥିବାବେଳେ ଗୋଟିଏ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରି ପାରିଲେ ନାହିଁ l ଓଡ଼ିଶାରେ କୌଣସି ବରପୁତ୍ରଙ୍କ ମୂର୍ତ୍ତିଟିଏ ଗଢି ପାରିଲେନି ତେଣୁ ସେ ରାଜ୍ୟ ସ୍ୱାର୍ଥହାନୀ ହେଉଥିବା ବିଲ ଉପରେ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l
ବିଧାନସଭାରେ ସର୍ବଦଳୀୟ ଅଧିବେଶନ ଡକାଯାଇ ଆଲୋଚନା କରାଯାଉ ବୋଲି କଂଗ୍ରେସ ଦାବି କରୁଛି ଏବଂ ରାଜ୍ୟର ଜନସ୍ୱାର୍ଥ ପାଇଁ କଂଗ୍ରେସ ସମସ୍ତ ପ୍ରକାର ପ୍ରତିରୋଧତ୍ମକ କାର୍ଯ୍ୟକ୍ରମ କରିବ ବୋଲି ଶ୍ରୀ ପଟ୍ଟନାୟକ ଦଳର ଦାବି ଉପସ୍ଥାପନ କରିଥିଲେ l
