ଏସ୍ଆଇଆର୍ ସଚେତନତା ଅଭିଯାନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସ୍ୱତନ୍ତ୍ର ମାସ୍କଟ୍ ‘ସୁଗନ୍ଧା’ ଓ ‘ନିର୍ମଳ’
ବରଗଡ଼:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସଚେତନତା ଅଭିଯାନରେ ସ୍ୱତନ୍ତ୍ର ମାସ୍କଟ୍ ‘ସୁଗନ୍ଧା’ ଓ ‘ନିର୍ମଳ’ ସାଧାରଣ ଜନତା ଏବଂ ଯୁବବର୍ଗଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜ୍ଜିତ ଏହି ଦୁଇ ମାସ୍କଟ୍ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ କରୁଛନ୍ତି।

ଏହି କ୍ରମରେ ଆଜି ସକାଳୁ ‘ସୁଗନ୍ଧା’ ଓ ‘ନିର୍ମଳ’ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଖେଳ ପଡ଼ିଆ ପରିଦର୍ଶନ କରି ସେଠାରେ ପ୍ରାତଃଭ୍ରମଣ, ଶାରୀରିକ ବ୍ୟାୟାମ ଓ କ୍ରୀଡ଼ା ଅଭ୍ୟାସ ପାଇଁ ଉପସ୍ଥିତ ଥିବା ବହୁ ସଂଖ୍ୟକ ଯୁବକଯୁବତୀ ଓ ବରଗଡ଼ ଫିଜିକାଲ୍ ଏକାଡେମୀର ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ମତଦାନର ଗୁରୁତ୍ୱ, ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାରି ସମ୍ପର୍କରେ ଆଲୋଚନା କରିବା ସହ ଏସ୍ଆଇଆର୍ ସମ୍ପର୍କିତ ସୂଚନାପତ୍ର, ଲିଫଲେଟ୍ ଓ ପାମ୍ଫ୍ଲେଟ୍ ବଣ୍ଟନ କରି ଭୋଟର ତାଲିକାରେ ନିଜର ନାମ ଯାଞ୍ଚ କରି ସଠିକ୍ ତଥ୍ୟ ପ୍ରଦାନ କରିବା ଏବଂ ନୂତନ ମତଦାତାଙ୍କ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିଥିଲେ । ଏହାପରେ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଯୁବବର୍ଗ ଉତ୍ସାହର ସହିତ ଭାଗନେଇ ତ୍ରୁଟିମୁକ୍ତ ମତଦାତା ତାଲିକା ପ୍ରସ୍ତୁତିରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ ।


ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ଇଆର୍ଓ ବିଜେପୁର ମହେନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଜିଲ୍ଲା ନିର୍ବାଚନ ବିଭାଗର ଡେପୁଟି କଲେକ୍ଟର ସୂର୍ଯ୍ୟମଣୀ ଭୋଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସମସ୍ତ ନାଗରିକଙ୍କୁ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ପ୍ରଦାନ କରିବା ସହ ବିଏଲଓ ମାନଙ୍କୁ ତ୍ରୁଟିମୁକ୍ତ ଓ ନିର୍ଭୁଲ ମତଦାତା ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
