July 28, 2025
Home » ଓଡ଼ିଆ ପକ୍ଷ ନେଇ ରକ୍ତଦାନ ଅଭିଯାନ

ଓଡ଼ିଆ ପକ୍ଷ ନେଇ ରକ୍ତଦାନ ଅଭିଯାନ

0
WhatsApp Image 2025-04-08 at 7.48.24 PM

ଓଡ଼ିଆ ପକ୍ଷ-୨୦୨୫ ପାଳନର ଅଷ୍ଟମ ଦିବସରେ ଉଚ୍ଚ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ରେଡ଼କ୍ରସ ତରଫରୁ ମାଲକାନଗିରି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଠାରେ ୮/୪/୨୫ ତାରିଖ ଦିନ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସେ ଏହି ଅବସରରେ କହିଥିଲେ ଯେ ରକ୍ତଦାନ ଜୀବନ ଦାନ। ରକ୍ତ ବିନା ମଣିଷ ବଞ୍ଚିପାରିବ ନାହିଁ। ସେଥିପାଇଁ ସ୍ଵେଚ୍ଛାକୃତ ରକ୍ତଦାନର ଆବଶ୍ୟକତା ରହିଛି। ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କଲେ ସେହି ରକ୍ତ ଅନ୍ୟ ଜଣେ ବ୍ୟବହାର କରି ବଞ୍ଚି ପାରିବ। ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଏକ ମହାନ୍ କାର୍ଯ୍ୟରେ ସାମିଲ ହୋଇ ରକ୍ତଦାନ ଆନ୍ଦୋଳନକୁ ସଫଳ କରିଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ,ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ଓ ଡେପୁଟି କଲେକ୍ଟର ଉମା ପ୍ରସାଦ ଦାସ ଉପସ୍ଥିତ ଥିଲେ। ରକ୍ତ ଭଣ୍ଡାର ତରଫରୁ ଡ଼ା ସାଗର କୁମାର ବାଲା, ଲ୍ୟାବ ଟେକ୍ନିସିଆନ ସୁଜନ କୁମାର ରୟ, ନର୍ସିଂ ଅଫିସର ଏନ ସୁବର୍ଣ୍ଣାଙ୍କ ସମେତ ସେବିକା ମାନେ ଉପସ୍ଥିତ ଥିଲେ। ମାଲକାନଗିରି ମହାବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ଆଇଟିଆଇର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ପୋଲିସ, ବିଏସଏଫ ଓ ସରକାରୀ କର୍ମଚାରୀ ଆଜିର ଶିବିରରେ ରକ୍ତଦାନ କରିଛନ୍ତି। ଜିଲ୍ଲାପାଳଙ୍କ ଜରୁରୀକାଳୀନ ବିଭାଗ ପକ୍ଷରୁ ସହାୟକ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, କୁନା ନାୟକ, ଲିପ୍ସାରାଣୀ ଦାସ ଓ ପ୍ରମିଳା ଶବର ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *