September 13, 2026
Home » ଓଡ଼ିଶାକୁ ଆସିବ ₹୨.୪୩ ଲକ୍ଷ କୋଟିର ନିବେଶ, ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି

ଓଡ଼ିଶାକୁ ଆସିବ ₹୨.୪୩ ଲକ୍ଷ କୋଟିର ନିବେଶ, ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି

0
WhatsApp Image 2026-09-13 at 3.38.34 PM

 

 

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି UAE ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ସେ କହିଛନ୍ତି ଯେ ରାଜ୍ୟର ପୁଅ-ଝିଅ ପାଠପଢ଼ା ସାରିବା ପରେ ଯେପରି ନିଜ ମାଟିରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ, ତାହା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ଏଥିପାଇଁ ଆରମ୍ଭରୁ ହିଁ ଶିଳ୍ପାୟନ ଅଭିଯାନକୁ ବ୍ୟାପକ କରାଯାଇଛି।

ଭୁବନେଶ୍ୱର ବିମାନବନ୍ଦର ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟରେ ବିବୃତ୍ତି ରଖି ସେ କହିଥିଲେ ଯେ, ଏହି UAE ଗସ୍ତ, ଗତ ଦୁଇ ବର୍ଷ ଧରି ସରକାରଙ୍କ ଶିଳ୍ପାୟନ ଅଭିଯାନର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

୨୦୨୫ ଜାନୁୟାରୀରେ ଭୁବନେଶ୍ୱରରେ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା – ମେକ ଇନ ଓଡ଼ିଶା କନକ୍ଲେଭ’ ପରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଠାରୁ ଆରମ୍ଭ କରି ସିଙ୍ଗାପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଗସ୍ତ କରି ପୁଞ୍ଜି ଯୋଗାଡ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଏକ ସମର୍ପିତ ଟିମ୍ ନିରବିଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି |

ଏହି ଉଦ୍ୟମ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଗୋଟିଏ ଗୋଟିଏ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ୟୁଏଇ (UAE) ଗସ୍ତ କାଳରେ ୯, ୧୦ ଓ ୧୧ ତାରିଖ— ତିନି ଦିନ ଧରି ଆବୁଧାବି ଏବଂ ଦୁବାଇରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଛି । UAE ଗସ୍ତରେ ସମୁଦାୟ ୫୨ଟି ବିଜନେସ ମିଟିଙ୍ଗ୍, ୬ଟି ରାଉଣ୍ଡଟେବୁଲ ମିଟିଙ୍ଗ୍, ୪୬ଟି ୱାନ୍-ଟୁ-ୱାନ୍ ମିଟିଙ୍ଗ୍ ସହ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି।

ଏହି ଗସ୍ତ କାଳରେ ସମୁଦାୟ ୮ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେବା ସହ ୧୬ଟି ନିବେଶ ସମ୍ଭାବନା (Investment Intents) ସୃଷ୍ଟି ହୋଇଛି, ଯାହାଦ୍ୱାରା ରାଜ୍ୟକୁ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହାଦ୍ୱାରା ୬ ଲକ୍ଷ ୧୮ ହଜାର ୭୨୫ ପ୍ରତ୍ୟକ୍ଷ ସୁଯୋଗ ସୃଷ୍ଟି ହେବ। ପରୋକ୍ଷ ନିଯୁକ୍ତି ସହ ସମୁଦାୟ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ହାସଲ ହୋଇଥିବା ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବକୁ ମିଶାଇ ବର୍ତ୍ତମାନ ରାଜ୍ୟର ମୋଟ ନିବେଶ ପ୍ରସ୍ତାବ ୨୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

 

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଏହି ଗସ୍ତ କାଳରେ UAE ର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲା ବିନ୍ ତକ୍ ଅଲ୍‌ ମାରି ଏବଂ IHCର ପରିଚାଳନା ନିର୍ଦ୍ଦେଶକ ସୟଦ ବସର୍ ସୁଏବ୍‌ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। IHC ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୨୦୨୬ ଜୁଲାଇ ୨ ତାରିଖରେ ହୋଇଥିବା ଭାଗିଦାରୀକୁ ଆଗକୁ ନେଇ ଓଡ଼ିଶାରେ ୧୪ଟି ନୂଆ ପ୍ରକଳ୍ପ ପାଇଁ MoU ସ୍ୱାକ୍ଷରିତ ହୋଇଛି। ଏହି ଦୁଇ କମ୍ପାନୀର ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନ ନେଇ ଉଦ୍ୟମ ଜାରି ରହିଛି।

ଏହା ସହିତ UAEର ସଫଳ ଓଡ଼ିଆ ଉଦ୍ୟୋଗୀ ଓ ପ୍ରବାସୀ ଓଡ଼ିଆମାନଙ୍କ ସହ ଭାବର ଆଦାନପ୍ରଦାନ କରାଯାଇଛି, ଯାହା ଦ୍ୱିପାକ୍ଷିକ ବ୍ୟବସାୟିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି |

ସେ ଆହୁରି କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଏବଂ ଆସନ୍ତା ଦଶ ବର୍ଷ ମଧ୍ୟରେ ରାଜ୍ୟକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ଏଥିପାଇଁ ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଥିବା କାରଖାନା ଓ ଅଫିସଗୁଡ଼ିକ ପାଇଁ ଯୁବବର୍ଗଙ୍କୁ ନିଯୁକ୍ତି-ପ୍ରସ୍ତୁତ (employment-ready) କରିବାକୁ ଆବଶ୍ୟକୀୟ skill-training ଦିଆଯାଉଛି।

ପ୍ରାରମ୍ଭିକ ସ୍ତରରେ ସଫଳତା ମିଳିବା ପରେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏହିସବୁ ନିବେଶ ପ୍ରସ୍ତାବ ଓ MoU ଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଉତ୍ପାଦନ ଆରମ୍ଭ କରିବା, ଯାହା ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବ।”

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ . ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ , ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ , ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ, ଭଟଲି ବିଧାୟକ ଶ୍ରୀ ଇରାସିସ ଆଚାର୍ଯ୍ୟ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି , ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ସମାଜ ସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ବିପୁଳ ସଂଖ୍ୟା ରେ ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରି ଧନ୍ୟବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *