ଓଡ଼ିଶା ଅର୍ବାନ୍ ଏକାଡେମୀ ହଷ୍ଟେଲ୍ ଉଦ୍ଘାଟିତ
ଭୁବନେଶ୍ୱର: ପ୍ରତିଷ୍ଠାନିକ ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ପାଇଁ ଏକ ସମୃଦ୍ଧ ସହରାଞ୍ଚଳ ଶାସନ ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ୱରର ବାସୁଆଘାଇଠାରେ ନବନିର୍ମିତ ଓଡ଼ିଶା ଅର୍ବାନ୍ ଏକାଡେମୀର ନବନିର୍ମିତ ହଷ୍ଟେଲ୍ର ଶୁଭ ଉଦ୍ଘାଟନ ହୋଇଯାଇଛି।
ଏହି ଆଧୁନିକ ଆବାସିକ ଗୃହକୁ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ‘ୱାଟକୋ’ ର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ସମାରୋହରେ ଓଡ଼ିଶା ଅର୍ବାନ୍ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଛି, ଯାହା ସହରାଞ୍ଚଳ କ୍ଷେତ୍ରରେ ନିରନ୍ତର ଶିକ୍ଷା, ବୃତ୍ତିଗତ ବିକାଶ ଏବଂ ପ୍ରତିଷ୍ଠାନିକ ଶ୍ରେଷ୍ଠତା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି।

୯.୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଓଡ଼ିଶା ଅର୍ବାନ୍ ଏକାଡେମୀ ହଷ୍ଟେଲ୍କୁ ଏକ ସ୍ୱତନ୍ତ୍ର ଆବାସିକ ସୁବିଧା ଭାବେ ବିକଶିତ କରାଯାଇଛି। ଏହା ଏକାଡେମୀ ଦ୍ୱାରା ଆୟୋଜିତ ବିଭିନ୍ନ ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଗବେଷଣା ଏବଂ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ, ସହରାଞ୍ଚଳ ବିଶେଷଜ୍ଞ, ନିର୍ବାଚିତ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସହାୟତା ପ୍ରଦାନ କରିବ।
ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏକ ଆରାମଦାୟକ, କାର୍ଯ୍ୟୋପଯୋଗୀ ଏବଂ ଶିକ୍ଷା-ଅନୁକୂଳ ପରିବେଶ ଯୋଗାଇଦେବାକୁ ଦୃଷ୍ଟିରେ ରଖି ଏହି ହଷ୍ଟେଲ୍ ନିର୍ମାଣ କରାଯାଇଛି। ଏଠାରେ ୨୮ଟି ଟ୍ୱିନ୍-ସେୟାରିଂ (ଦୁଇ ଜଣିଆ) ରୁମ୍ ଜରିଆରେ ମୋଟ ୫୬ ଜଣ ଅନ୍ତେବାସୀ ରହିପାରିବେ। ଏଥିମଧ୍ୟରେ ୨୪ଟି ଷ୍ଟାଣ୍ଡାର୍ଡ ରୁମ୍ ଏବଂ ୪ଟି ପ୍ରିମିୟମ୍ ରୁମ୍ ରହିଛି, ଯେଉଁଥିରେ ଆଟାଚ୍ଡ୍ ଶୌଚାଳୟ ଏବଂ ବାଲକୋନି ରହିଛି। ଏହାଛଡ଼ା ଏହି ବିଲ୍ଡିଂରେ ରିସେପ୍ସନ ଓ ପ୍ରଶାସନିକ କ୍ଷେତ୍ର, ୪୦ ଜଣ ବସିବା ଭଳି କ୍ଷମତା ସମ୍ପନ୍ନ ଡାଇନିଂ ହଲ୍, ମଡ୍ୟୁଲାର୍ କିଚେନ୍, ଗେଷ୍ଟ ରୁମ୍, କମନ୍ ୟୁଟିଲିଟି ସ୍ପେସ୍, ପ୍ରଶସ୍ତ ଲବି ଏବଂ ସାମାଜିକ ଆଲୋଚନା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।
ଉଚ୍ଚମାନର ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ କର୍ମଶାଳା ପରିଚାଳନା ପାଇଁ ଏହି ହଷ୍ଟେଲ୍ ପରିସରରେ ଏକ ସମସ୍ତ ସୁବିଧା ସୁଯୋଗ ଥିବା କନଫରେନ୍ସ ହଲ୍ ସହ ଏକ ବ୍ୟାୟାମଶାଳା ଏବଂ ଇନଡୋର ମନୋରଞ୍ଜନ ବ୍ୟବସ୍ଥା କରାଯାଇଛି, ଯାହା ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ସାମଗ୍ରିକ ଅନୁଭୂତି ପ୍ରଦାନ କରିବ।
ଏହି ସେଲଫ୍-ସଷ୍ଟେନଡ୍ ବିଲ୍ଡିଂରେ କେନ୍ଦ୍ରୀୟ ଏୟାର-କଣ୍ଡିସନିଂ , ନିରବଚ୍ଛିନ୍ନ ବିଦ୍ୟୁତ ସେବା, ୨୪ ଘଣ୍ଟିଆ ଜଳ ଯୋଗାଣ, ଲିଫ୍ଟ ସୁବିଧା ଏବଂ ପରିବେଶ ଅନୁକୂଳ ତଥା ଶକ୍ତି-ଦକ୍ଷ ପରିଚାଳନା ପାଇଁ ଏକ ସୌର ଶକ୍ତି ପ୍ରଣାଳୀ ଭଳି ଅନେକ ଆଧୁନିକ ସୁବିଧା ଏବଂ ସ୍ଥାୟୀ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ଏହି ସମାବେଶକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ଡକ୍ଟର ମହାପାତ୍ର ଓଡ଼ିଶାର ମହତ୍ତ୍ୱାକାଂକ୍ଷୀ ସହରୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଦକ୍ଷ, ଜନକୈନ୍ଦ୍ରିକ ସହରୀ ସେବା ପ୍ରଦାନ କରିବା ଏବଂ ଦ୍ରୁତ ସହରୀକରଣର ନୂତନ ଆହ୍ୱାନଗୁଡ଼ିକର ସାମ୍ନା କରିବା ପାଇଁ ଶକ୍ତିଶାଳୀ ଅନୁଷ୍ଠାନ ଏବଂ କୁଶଳୀ ମାନବ ସମ୍ବଳ ଏକାନ୍ତ ଆବଶ୍ୟକ।
ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଅର୍ବାନ୍ ଏକାଡେମୀ ଏକ ସ୍ୱତନ୍ତ୍ର ଅର୍ବାନ୍ ଲର୍ଣ୍ଣିଂ ହବ୍ ଭାବେ ବିକଶିତ ହୋଇଛି, ଯେଉଁଠାରେ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ , ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ମ୍ୟାଟେରିଆଲ୍ ରିକଭରି ଫ୍ୟାସିଲିଟି ଭଳି ବ୍ୟବହାରିକ ପ୍ରଦର୍ଶନ ସୁବିଧା ରହିଛି। ଏହି ସୁବିଧାଗୁଡ଼ିକ ଆଧୁନିକ ସହରୀ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଜଳର ପୁନଃବ୍ୟବହାର ପଦ୍ଧତି ଉପରେ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରେ।
“ପ୍ରଶିକ୍ଷାର୍ଥୀମାନେ ଏଠାରେ ବିଶୋଧିତ ବର୍ଜ୍ୟଜଳର କିପରି ପୁନଃବ୍ୟବହାର କରାଯାଇପାରିବ ସେ ବିଷୟରେ ଶିଖିପାରିବେ ଏବଂ ସ୍ଥାୟୀ ସହରୀ ପରିଚାଳନା ବ୍ୟବସ୍ଥାର ବ୍ୟବହାରିକ ଜ୍ଞାନ ହାସଲ କରିପାରିବେ। ବିଭିନ୍ନ ରାଜ୍ୟ ଏବଂ ଅନ୍ୟ ଦେଶର ଲୋକମାନେ ମଧ୍ୟ ଏଠାକୁ ପ୍ରଶିକ୍ଷଣ ପାଇଁ ଆସିପାରିବେ। ତେବେ ରହିବା ସୁବିଧା ନଥିବା ଏକ ବଡ଼ ସମସ୍ୟା ଥିଲା। ଏହି ହଷ୍ଟେଲ୍ ଉଦ୍ଘାଟନ ହେବା ଫଳରେ ଏବେ ଅଧିକ ସଂଖ୍ୟକ ପ୍ରଶିକ୍ଷାର୍ଥୀ କ୍ୟାମ୍ପସରେ ରହି ଏକାଡେମୀର ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଲାଭବାନ ହୋଇପାରିବେ,” ବୋଲି ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି।
ଡକ୍ଟର ମହାପାତ୍ର ଆହୁରି ସୂଚନା ଦେଇଛନ୍ତି ଯେ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ଏକାଡେମୀ କ୍ୟାମ୍ପସ ମଧ୍ୟରେ ଏକ ସୁନ୍ଦର ସର୍ବସାଧାରଣ ପାର୍କ ମଧ୍ୟ ବିକଶିତ କରାଯାଇଛି। ପିଲାମାନଙ୍କ ପାଇଁ ଖେଳ ସରଞ୍ଜାମ ସ୍ଥାପନ କରାଯାଇଛି, ଯାହା ଏହି କ୍ୟାମ୍ପସକୁ ଶିକ୍ଷା, ମନୋରଞ୍ଜନ ଏବଂ ଜନସାଧାରଣଙ୍କ ସହଭାଗିତାର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ କରିଛି।
ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ ସହରାଞ୍ଚଳ ଶାସନ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସରକାରଙ୍କ ନିରନ୍ତର ପୁଞ୍ଜିନିବେଶକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଅର୍ବାନ୍ ଏକାଡେମୀ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତର ସହରୀ ନେତୃତ୍ୱ ପ୍ରସ୍ତୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଉଭା ହୋଇଛି। ନବନିର୍ମିତ ହଷ୍ଟେଲ୍ ଆବାସିକ ପ୍ରଶିକ୍ଷଣ, ଜ୍ଞାନର ଆଦାନପ୍ରଦାନ ଏବଂ ଦକ୍ଷତା ବିକାଶର ସୁଯୋଗକୁ ବହୁଗୁଣିତ କରିବ, ଯାହାଦ୍ୱାରା ଅଧିକ ସଂଖ୍ୟକ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ସହରୀ ବିଶେଷଜ୍ଞ ଏକାଡେମୀର କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବେ। ଏହି ସୁବିଧା ଅଭିନବ ଏବଂ ସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ସ୍ଥାନକୁ ଅଧିକ ମଜବୁତ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, ଓଡ଼ିଶା ଅର୍ବାନ୍ ଏକାଡେମୀ ସହରୀ ଶିକ୍ଷା, ନବସୃଜନ ଏବଂ ନେତୃତ୍ୱ ବିକାଶ ପାଇଁ ଏକ ପ୍ରମୁଖ ପାରଦର୍ଶିତା କେନ୍ଦ୍ର ଭାବେ ଗଢ଼ି ଉଠୁଛି। ଏହି ହଷ୍ଟେଲ ସୁବିଧା ଯୋଡ଼ିହେବା ଦ୍ୱାରା ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଅଧିକାରୀ, ଯନ୍ତ୍ରୀ , ଯୋଜନାକାରୀ , ନିର୍ବାଚିତ ପ୍ରତିନିଧି ଏବଂ କ୍ଷେତ୍ରୀୟ ବିଶେଷଜ୍ଞମାନଙ୍କ ପାଇଁ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା, ଏକ୍ସପୋଜର ଭିଜିଟ୍ ଏବଂ ବୃତ୍ତିଗତ ବିକାଶମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏକାଡେମୀର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ।
ଓୟୁଏ ହଷ୍ଟେଲ୍ର ଉଦ୍ଘାଟନ ଓଡ଼ିଶାରେ ବିଶ୍ୱସ୍ତରୀୟ ସହରୀ ଦକ୍ଷତା ବୃଦ୍ଧି ଭିତ୍ତିଭୂମି ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ସୁବିଧା ସହରୀ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାରେ, ପ୍ରଶାସନିକ ଫଳାଫଳରେ ସୁଧାର ଆଣିବାରେ ଏବଂ ସ୍ଥାୟୀ, ଅନ୍ତର୍ଭୁକ୍ତ ଓ ସମୃଦ୍ଧ ସହରୀ ବିକାଶ ପାଇଁ ରାଜ୍ୟର ସଂକଳ୍ପକୁ ସାକାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
………
