ଓଡ଼ିଶା ଜନତା କଂଗ୍ରେସର ବି.ଏମ୍.ସି. ୨୮ ନମ୍ବର ଓ୍ବାର୍ଡରେ ଚା’ ଖଟି ଆସର
ଭୁବନେଶ୍ବର,:ଭୁବନେଶ୍ବର ମହାନଗର ନିଗମ ୨୮ ନମ୍ବର ଓ୍ବାର୍ଡ ସାଇନ୍ସ ପାର୍କ ଛକଠାରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ଚା’ ଖଟି ଆୟୋଜନ କରାଯାଇଥିଲା । ୨୮ ନମ୍ବର ଓ୍ବାର୍ଡର ଓଜେସି କର୍ମକର୍ତ୍ତାଙ୍କ ସଂଯୋଜନାରେ ଆୟୋଜିତ ଆଜିର ଏହି ଚା’ ଖଟିରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଯୋଗ ଦେଇଥିଲେ । ସକାଳ ସମୟରେ ଚା’ ଆସରରେ ୨୮ ନମ୍ବର ଓ୍ବାର୍ଡର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ରାଜନୈତିକ ଉଦାସୀନତା ସଂପର୍କରେ ଆଲୋଚନା ହୋଇଥିଲା ।

ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଓ ମୂରବୀମାନଙ୍କ ଉପସ୍ଥିତିରେ ଭୁବନେଶ୍ବର ତଥା ରାଜ୍ୟର ଅନେକ ରାଜନୈତିକ ପ୍ରସଙ୍ଗ ସଂପର୍କରେ ଆଲୋଚନା ହୋଇଥିଲା । ଆଜି କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଜୋର୍ ଜବରଦସ୍ତ ନିର୍ବାଚନ କରାଉଥିବା ଏହି ଖଟିରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । କୋଟିଆ ପ୍ରସଙ୍ଗରେ ଦଳର ସଭାପତି ମହମ୍ମଦ ମୋକିମ୍ କହିଥିଲେ ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ।


କୋଟିଆରେ ଆନ୍ଧ୍ରର ଦାଦାଗିରି ପାଇଁ ପୂର୍ବର ବିଜେଡି ଓ ଏବେର ବିଜେପି ଉଭୟ ଦଳର ସରକାରଙ୍କ ଅପାରଗତା ଦାୟୀ ଅଟେ । ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାରରେ ଅଛି । ଆନ୍ଧ୍ରରେ ମଧ୍ୟ ବିଜେପିର ଭାଗିଦାରୀ ସରକାର ଅଛି । ତେଣୁ ଭାରତୀୟ ଜନତା ପାର୍ଟିର ନେତୃତ୍ବମାନେ ଏହାର ଆପୋଷ ସମାଧାନ ନିମନ୍ତେ ମନୋଭାବ ପୋଷଣ କରିବା ଉଚିତ୍ । ଓଜେସି ସାଧାରଣ ସମ୍ପାଦକ ସଞ୍ଜୟ ରାୟ, ଛାତ୍ରନେତା ରାକେଶ ବେହେରା ଓ ଧର୍ମେନ୍ଦ୍ର ଦିଗାଲଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ମନୋଜ ସାହୁ, ଦୀପକ ବାରିକ, ସମୀର ସାହୁ, ସଞ୍ଜୟ ମିଶ୍ର, ଜି. ଅରୁଣ କୁମାର, ସିନିମିଙ୍ଗା ହିକ୍କକା, ଚିଣ୍ଟୁ ବେହେରା, କାହ୍ନା ନାୟକ ପ୍ରମୁଖ ଏହି ଚା’ ଖଟିର ଆୟୋଜନ କରିଥିଲେ ।ଆଜିର ଏହି ଚା’ ଖଟିରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଭୁବନେଶ୍ବର ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି, ଉପସଭାପତି ପ୍ରଦୀପ ପ୍ରଧାନ, ବରିଷ୍ଠ ନେତା ପ୍ରଶାନ୍ତ ଶତପଥୀ, ମନୋଜ ଜେନା, ଶେଷଦେବ ନନ୍ଦ, ସୁଜିତ୍ ସ୍ବାଇଁ, ଆର୍ଯ୍ୟବୀର ଲେଙ୍କା, ସଂଗ୍ରାମ ମାଝୀ, ସୀତା ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
