ଓଡ଼ିଶା ବିଧାନସଭାର ଗୃହ କମିଟି (House Committee on Submissions) ର ନୟାଗଡ଼ ଗସ୍ତ ।
ନୟାଗଡ଼,( ଇପିଏ ) ନୟାଗଡ଼ରେ ଜିଲ୍ଲପାଳଙ୍କ ସଦଭାବନା ସଭାଗୃହରେ ଅପରାହ୍ନ ୪ ଘଟିକା ସମୟରେ ଓଡ଼ିଶା ବିଧାନସଭାର ସବମିସନ କମିଟି (House Committee on Submissions) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ୍ୟବର ଗୃହ କମିଟିର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ, ଉଦଳା ଶ୍ରୀ ଭାସ୍କର ମଢ଼େଇ, ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ମାନ୍ୟବର ବିଧାୟକ, ଆସ୍କା ଶ୍ରୀ ସରୋଜ କୁମାର ପାଢ଼ୀ, ମାନ୍ୟବର ବିଧାୟକ ରଘୁନାଥପାଲ୍ଲୀ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ମାନ୍ୟବର ବିଧାୟକ ମୋହନା ଶ୍ରୀ ଦାଶରଥି ଗମାଙ୍ଗ ଏବଂ ମାନ୍ୟବର ବିଧାୟକ ଖଣ୍ଡପଡା ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l
ବୈଠକର ପ୍ରାରମ୍ଭରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ସବମିସନ କମିଟିର ଅଧ୍ୟକ୍ଷ ଏବଂ ସମସ୍ତ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ମାନ୍ୟବର କମିଟିର ଅଧ୍ୟକ୍ଷ ଶ୍ରୀ ବାଗ ଏହି ବୈଠକର ଆଭିମୁଖ୍ୟ ବିଷୟରେ କହିବା ସହ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଲୋକ ମାନଙ୍କ ପାଖରେ ପହଂଚାଇବା, ଅର୍ଥର ସଦୁପଯୋଗ, ବିଭିନ୍ନ ଅସୁବିଧାଗୁଡିକୁ କମିଟି ଆଗରେ ରଖିବା ଏବଂ ଜନ ସେବା ହିଁ ମୁଖ୍ୟ ଲକ୍ଷ୍ୟ ରହିବା ଉଚିତ ବୋଲି ସମସ୍ତ ଅଧିକାରୀଙ୍କୁ ଉପଦେଶ ଦେଇଥିଲେ l
ଏହାପରେ ବୈଠକରେ ଜିଲ୍ଲାର ବହୁ ଦିନର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ପ୍ରଥମେ ସୁନାମୁହିଁ ପାର୍କକୁ ଅଧିକ ଆକର୍ଷଣୀୟ କରିବା ସହ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କେନ୍ଦ୍ର କରିବା ଦିଗରେ ଏବଂ ବାଘମାରି ଠାରୁ କଣ୍ଟିଲୋକୁ ଏକ ଦୁଇ ଲେନ ବିଶିଷ୍ଟ ରାସ୍ତା କରିବା ପାଇଁ ଆଲୋଚନା କରାଯାଇଥିଲା l ଖଣ୍ଡପଡ଼ାରେ ଏକ ଗ୍ରିଡ୍ ସବ-ଷ୍ଟେସନ ସ୍ଥାପନ କରିବା ଏବଂ ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଚେକ୍ ଡ୍ୟାମ୍ଗୁଡ଼ିକର ମରାମତି କରିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଗାଁଗୁଡିକରେ ଅଣସୁରକ୍ଷିତ ସ୍ଥାନରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଟଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ସହ ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କମିଟି ନିର୍ଦେଶ ଦେଇଥିଲେ l ଦଶପଲ୍ଲା ନିର୍ବାଚନ ମଣ୍ଡଳୀସ୍ଥିତ କୁଆଁରିଆ ଜଳସେଚନ ପ୍ରକଳ୍ପକୁ ବୋଟିଂ ଓ ରହିବା ସୁବିଧା ସହ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା l ମହିପୁର ଏବଂ ମଧ୍ୟଖଣ୍ଡ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଓ କଣ୍ଟିଲୋ ଏବଂ ଭାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ପରେ ଶିକ୍ଷାର ବିକାଶ ନିମନ୍ତେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ ସଦର ମହକୁମାରେ ଏକ ଡିଗ୍ରୀ କଲେଜ ସ୍ଥାପନ କରିବା ଏବଂ ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ପାଇଁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା l ସେହିପରି ଦଶପଲ୍ଲା ଏବଂ ଗଣିଆ ଅଞ୍ଚଳରେ ମୋବାଇଲ୍ ସେବାର ସୁଧାର ପାଇଁ ୧୪୨ ଟି ନୂତନ ମୋବାଇଲ୍ ଟାୱାର ବସାଇବା କାର୍ଯ୍ୟ ତ୍ୱରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l
ପ୍ରଥମେ ଗୃହ କମିଟିର ସମସ୍ତ ସଦସ୍ୟ ଦିବା ଘ. ୧୨. ୩୦ମି. ସମୟରେ ଭାପୁର ବ୍ଲକ ଗସ୍ତ କରି ବିଭିନ୍ନ ପଂଚାୟତ ପରିଦର୍ଶନରେ ଯାଇ ପଂଚାୟତର ରାସ୍ତାଘାଟ ଗୁଡିକର ସ୍ଥିତି ଯାଞ୍ଚ କରିଥିଲେ ଓ ପରେ ପରେ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିଦର୍ଶନ କରି ଏହାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l
ଶେଷରେ ମାନନୀୟା ଜିଲ୍ଲାପାଳ କମିଟିର ଅଧ୍ୟକ୍ଷ, ସମସ୍ତ ସଦସ୍ୟ ଓ ବିଭାଗୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବୈଠକର ସମାପ୍ତି ଘୋଷଣା କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
