କଂଗ୍ରେସ ବିଧାୟକ ସାଗର ଦାସ ଙ୍କ ଲଢ଼େଇ ଯୋଗୁଁ ଜିଲ୍ଲା ବାସୀଙ୍କ ଦୁର୍ଦ୍ଦଶା ର ଅନ୍ତ।
୧୧.୮୯ କୋଟି ଟଙ୍କା ବ୍ୟୟରେ ତୁର୍କେଲ ତେଲନଦୀ ବ୍ରିଜ୍ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ….
ଭବାନୀପାଟଣା : ଦୀର୍ଘ ୧୩ ମାସର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଶେଷରେ ଆରମ୍ଭ ହୋଇଛି ତୁର୍କେଲା ତେଲନଦୀ ବ୍ରିଜ୍ର ପୁନରୁଦ୍ଧାର କାର୍ଯ୍ୟ। ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତୁର୍କେଲାଠାରେ ଥିବା ଏହି ବ୍ରିଜ୍ର ମରାମତି ପାଇଁ ୧୧ କୋଟି ୮୯ ଲକ୍ଷ ୮୨ ହଜାର ୭୨୭ ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଶନିବାର ଏହାର କାର୍ଯ୍ୟ ଶୁଭାରମ୍ଭ ହୋଇଛି।ଏହି ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ପୂର୍ବ ବିଭାଗର ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ନନ୍ଦନ କୁମାର ବରାଳଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ରାଜ୍ୟ ଯୋଜନା ଅଧୀନରେ ଏହି କାର୍ଯ୍ୟ କରାଯିବ। ଏଥିପାଇଁ ମେସର୍ସ ଦି ପ୍ରେସିନେଟ୍ ପ୍ରେଷ୍ଟ୍ରେସଡ୍ କଂକ୍ରିଟ୍ କମ୍ପାନୀ ଲିମିଟେଡ୍କୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ୨୬ ଅକ୍ଟୋବର ୨୦୨୬ରୁ କାର୍ଯ୍ୟ ଆରମ୍ଭ ହୋଇ ୨୫ ଅକ୍ଟୋବର ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି।

ପ୍ରକାଶ ଥାଉକି, ଭବାନୀପାଟଣାରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ତୁର୍କେଲା ତେଲନଦୀ ବ୍ରିଜ୍ଟି ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ପାର୍ଶ୍ୱରେ ଦବି ଯାଇଥିଲା। ଏହାପରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର ୭ ତାରିଖରୁ ବ୍ରିଜ୍ ଉପରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା। ଫଳରେ ଦୀର୍ଘ ୧୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରାସ୍ତାରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇପଡ଼ିଥିଲା।ବ୍ରିଜ୍ ବନ୍ଦ ଯୋଗୁଁ ଭବାନୀପାଟଣା ବ୍ଲକର ମିଳକା ଅଞ୍ଚଳବାସୀ ଯାତାୟାତ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଚାଷୀ, ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଏଥିପାଇଁ ପ୍ରଭାବିତ ହୋଇଥିଲା। ଏପରିକି ଅଞ୍ଚଳର ବ୍ୟବସାୟ ମଧ୍ୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା।ଏହି ସମସ୍ୟାର ସମାଧାନ ପାଇଁ ଗତ ଜାନୁଆରୀ ମାସରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଏନେଇ ଦାବି ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବକୁ ନେଇ କଂଗ୍ରେସ ପକ୍ଷରୁ ଗତ ଏପ୍ରିଲ ୧୪ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ଧାରଣାକୁ ଇତିମଧ୍ୟରେ ୭ ମାସରୁ ଊର୍ଦ୍ଧ୍ୱ ସମୟ ବିତିଛି।ବର୍ତ୍ତମାନ ବ୍ରିଜ୍ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ମିଳକା ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେଲେ ଭବାନୀପାଟଣା ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗ ପୁନଃ ସ୍ୱାଭାବିକ ହେବା ସହ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟା ଦୂର ହୋଇପାରିବ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
