କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ
“ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ”
କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଯୋବ୍ରା,ତୁଳସୀପୁର, ପିଠାପୁର, ମହାନଦୀ ବିହାର ଏବଂ ପ୍ରଥମକରି ଆରମ୍ଭ ହୋଇଥିବା ସେକ୍ଟର -୬,ସି ଡି ଏ ଆଦି ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ପ୍ରସାଶନିକ ସ୍ତରରେ ସମ୍ପୃକ୍ତ ବିଭାଗ ମଧ୍ୟରେ ସମସ୍ତ ସହଯୋଗ କରାଯିବା ସହ ପୋଲିସ ପ୍ରଶାସନ ଦ୍ୱାରା ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିଭିନ୍ନ ରଥଯାତ୍ରା କମିଟି ଦ୍ଵାରା ଅନୁଷ୍ଠିତ ହେଉଥିବା ରଥଯାତ୍ରା ଆୟୋଜନରେ ଯୋଗ ଦେଇ ପ୍ରଭୁଙ୍କ ପୂଜାର୍ଚ୍ଚନା ସହ ଆଶୀର୍ବାଦ ପ୍ରାପ୍ତ କରିଥିଲେ ଏବଂ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ।ଏହି ଅବସରରେ ପରଂପରା ଅନୁଯାୟୀ ଅପରାହ୍ନ ୪ଘଟିକା ସମୟରେ ରାଣୀହାଟଠାରେ ବଳଦେବଜୀଉ ରଥଯାତ୍ରା କମିଟି ପକ୍ଷରୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ରଥରେ ମହାପ୍ରଭୁଙ୍କ ନିତିକାନ୍ତ ଅନୁଷ୍ଠିତ ହେବା ପରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ କୀର୍ତ୍ତନ,ମୂର୍ଦ୍ଦଙ୍ଗ ବାଜା ସହ ପାଟ ପଟୁଆର ପଦଯାତ୍ରାରେ ଆସି ରଥାରୂଢ଼ ତିନି ଠାକୁରଙ୍କ ରଥର ଛେରା ପହଁରା ଓ ପୂଜା ଅର୍ଚ୍ଚନା କରିଥିଲେ । ଏହା ପରେ ପରେ ଭକ୍ତ ମାନଙ୍କ ଦ୍ଵାରା ରଥଟଣା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ହୋଇଥିବା ଉତ୍କଳ ପ୍ରସଙ୍ଗ ବହିକୁ କଟକର ଜଗନ୍ନାଥ ପ୍ରେମୀ ଓ ଭକ୍ତ ତଥା ପାଠକଙ୍କ ଠାରେ ଉପଲବ୍ଧ କରାଇବା ନିମନ୍ତେ ଜିଲ୍ଲାପାଳ ପୂଜା କମିଟିର ପରିଚାଳକ ଓ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଭାରଂଭ କରିବା ସହ ଦୋଳମୁଣ୍ଡାଇଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଖୋଲାଯାଇଥିବା ସୂଚନା କେନ୍ଦ୍ର ଷ୍ଟଲଟିର ଉନ୍ମୋଚନ କରିଥିଲେ। ଚଳିତ ବର୍ଷ ଶାନ୍ତି ଶୃଂଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଜିଲ୍ଲାପାଳ ସମସ୍ତ ରଥଯାତ୍ରା କମିଟିର କର୍ମକର୍ତ୍ତାଙ୍କ ସହ କଟକ ବାସୀ ତଥା ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ,ଯନ୍ତ୍ରୀ, ପୋଲିସ ପ୍ରଶାସନ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
