କଳାହାଣ୍ଡି ସ୍ୱାର୍ଥ ସହ ସାଲିସ୍ ହେଲେ ରାଜରାସ୍ତାକୁ ଓହ୍ଲାଇବ ଯୁବ ବିଜେଡି
ଧର୍ମଗଡ଼-ଜୟପାଟଣାକୁ ନବରଙ୍ଗପୁର ଡାକ ମଣ୍ଡଳରେ ସାମିଲ ପ୍ରସ୍ତାବ ଓ ଦୂରଦର୍ଶନ-ଆକାଶବାଣୀ ଅବହେଳାକୁ ନେଇ କ୍ଷୋଭ; ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ଅବିନାଶ ଠାକୁର
ଭବାନୀପାଟଣା: କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ ଅବ୍ୟବସ୍ଥା, ଅବହେଳା ଏବଂ ପ୍ରଶାସନିକ ପୁନର୍ଗଠନ ନାମରେ କଳାହାଣ୍ଡି ଜିଲ୍ଲାର ସ୍ୱାର୍ଥ, ଆଞ୍ଚଳିକ ଅସ୍ମିତା ଓ ସାଂସ୍କୃତିକ ପରିଚୟକୁ ଅଣଦେଖା କରାଯାଉଥିବା ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ (ବିଜେଡି)। ଏହି ଅବହେଳା ପାଇଁ କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ‘ଡବଲ ଇଞ୍ଜିନ’ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଅଭିଯୋଗ କରିଛନ୍ତି।

ଡାକ ମଣ୍ଡଳ ପୁନର୍ଗଠନକୁ ବିରୋଧ
ଶ୍ରୀ ଠାକୁର କହିଛନ୍ତି ଯେ, କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ପକ୍ଷରୁ ଗତ ୧୨ ଅକ୍ଟୋବର ୨୦୨୬ରେ ଜାରି କାର୍ଯ୍ୟାଳୟ ସ୍ମାରକପତ୍ର (Q-13/37/2026-PE-I-DOP) ଅନୁଯାୟୀ, ଧର୍ମଗଡ଼ ଓ ଜୟପାଟଣା ଡାକ ଅଞ୍ଚଳକୁ କଳାହାଣ୍ଡିରୁ କାଢ଼ି ନୂତନ ଭାବେ ଗଠିତ ନବରଙ୍ଗପୁର (ଜୟପୁର ମୁଖ୍ୟାଳୟ) ଡାକ ମଣ୍ଡଳ ଅଧୀନରେ ସାମିଲ କରିବାକୁ ପ୍ରସ୍ତାବ ରହିଛି। ଭୌଗୋଳିକ ସ୍ଥିତି, ଯାତାୟାତ ଓ ପ୍ରଶାସନିକ ସମନ୍ୱୟକୁ ଏଡ଼ାଇ ଏଭଳି ନିଷ୍ପତ୍ତି ନିଆଯାଉଥିବାରୁ ଗ୍ରାମାଞ୍ଚଳର ସାଧାରଣ ଲୋକ, ବରିଷ୍ଠ ନାଗରିକ, ପେନସନଭୋଗୀ ଓ ଡାକ ସଞ୍ଚୟକାରୀମାନେ ଅନେକ ହଇରାଣ ହେବେ। ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କ ମତାମତ ନନେଇ ଏକପାଖିଆ ଭାବେ ଏହି ପ୍ରସ୍ତାବ ଅଣାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଦୂରଦର୍ଶନ ଓ ଆକାଶବାଣୀ କେନ୍ଦ୍ରର ବେହାଲ ସ୍ଥିତି
ଭବାନୀପାଟଣାସ୍ଥିତ ଦୂରଦର୍ଶନ ଓ ଆକାଶବାଣୀ କେନ୍ଦ୍ରରେ ସ୍ଥାୟୀ ଷ୍ଟେସନ୍ ଡାଇରେକ୍ଟର ଏବଂ ଆସୋସିଏଟ୍ ଇଞ୍ଜିନିୟରଙ୍କ ଭଳି ପ୍ରମୁଖ ପଦବୀ ଖାଲି ପଡ଼ିଥିବାରୁ ଏହାର ପରିଚାଳନା ଭୁବନେଶ୍ୱରରୁ ନିୟନ୍ତ୍ରିତ ହେଉଛି। ଫଳରେ ନିଜସ୍ୱ କାର୍ଯ୍ୟକ୍ରମ ଉତ୍ପାଦନ ପ୍ରାୟ ଶୂନକୁ ଖସିଆସିଛି। କଳାହାଣ୍ଡିର ପ୍ରସିଦ୍ଧ ଲୋକକଳା, ଘୁମୁରା, ପର୍ଯ୍ୟଟନ ଓ କୃଷିସମ୍ପର୍କିତ ବାର୍ତ୍ତା ପ୍ରସାରିତ ହୋଇପାରୁନାହିଁ। ବିଶେଷକରି ଚଳିତ ବର୍ଷ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ‘ଛତର ଯାତ୍ରା’ ଓ ଦୁର୍ଗାପୂଜାର ପ୍ରସାରଣରେ ଗାଡ଼ି ସମସ୍ୟା ଭଳି କାରଣ ଦର୍ଶାଇ କର୍ତ୍ତବ୍ୟରେ ଅବହେଳା କରାଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଯୁବ ବିଜେଡି କହିଛି।
ଯୁବ ବିଜେଡିର ୬ ଦଫା ଦାବି
1. ଡାକ ପ୍ରସ୍ତାବ ସ୍ଥଗିତ: ଧର୍ମଗଡ଼ ଓ ଜୟପାଟଣାକୁ ନବରଙ୍ଗପୁର ଡାକ ମଣ୍ଡଳରେ ମିଶାଇବା ପ୍ରସ୍ତାବ ତୁରନ୍ତ ବାତିଲ କରାଯାଇ ପୂର୍ବପରି କଳାହାଣ୍ଡି ଡାକ ମଣ୍ଡଳ ଅଧୀନରେ ରଖାଯାଉ।
2. ଦୂରଦର୍ଶନ ପଦବୀ ପୂରଣ: ଭବାନୀପାଟଣା ଦୂରଦର୍ଶନ କେନ୍ଦ୍ରର ଷ୍ଟେସନ୍ ଡାଇରେକ୍ଟର ଓ ଆସୋସିଏଟ୍ ଇଞ୍ଜିନିୟରଙ୍କ ସମେତ ସମସ୍ତ ସୂଚ୍ୟଗ୍ର ପଦବୀ ତୁରନ୍ତ ପୂରଣ ହେଉ।
3. ଆକାଶବାଣୀ ସୁଦୃଢ଼ୀକରଣ: ଆକାଶବାଣୀ କେନ୍ଦ୍ରରେ ଷ୍ଟେସନ୍ ଡାଇରେକ୍ଟର ନିଯୁକ୍ତି ସହ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଆଯାଉ।
4. ସ୍ଥାନୀୟ କାର୍ଯ୍ୟକ୍ରମ: ଦୂରଦର୍ଶନରେ ନିୟମିତ ଭାବେ କଳାହାଣ୍ଡିର ଲୋକକଳା, ସଂସ୍କୃତି, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉତ୍ପାଦନ ଆରମ୍ଭ କରାଯାଉ।
5. ଉତ୍ସବ ପ୍ରସାରଣ: ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଓ ଅନ୍ୟାନ୍ୟ ଆଞ୍ଚଳିକ ପର୍ବପର୍ବାଣିର ସ୍ୱତନ୍ତ୍ର ରେକର୍ଡିଂ ଓ ପ୍ରସାରଣ ବ୍ୟବସ୍ଥା ହେଉ।
6. ସ୍ଥାନୀୟ ପ୍ରତିଭାଙ୍କୁ ପ୍ରୋତ୍ସାହନ: ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସ୍ଥାନୀୟ କଳାକାର, ସାହିତ୍ୟିକ, ଶିକ୍ଷାବିତ୍ ଓ ସାମ୍ବାଦିକଙ୍କୁ ସାମିଲ କରାଯାଉ।
ଆନ୍ଦୋଳନ ଚେତାବନୀ
”ଆମେ ନୂତନ ଡାକ ମଣ୍ଡଳ ଗଠନର ବିରୋଧୀ ନୁହେଁ, ମାତ୍ର କଳାହାଣ୍ଡିର ସ୍ୱାର୍ଥକୁ ବଳି ଦେଇ କୌଣସି ପୁନର୍ଗଠନକୁ ବରଦାସ୍ତ କରାଯିବ ନାହିଁ। ଡବଲ ଇଞ୍ଜିନ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ବିଜୁ ଯୁବ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଜନଆନ୍ଦୋଳନ ଗଢ଼ି ତୋଳିବ,” ବୋଲି ସଭାପତି ଶ୍ରୀ ଠାକୁର ଚେତାବନୀ ଦେଇଛନ୍ତି।
ଏହି ପ୍ରସଙ୍ଗରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ, ଡାକ ବିଭାଗ ଓ ପ୍ରସାର ଭାରତୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
