December 2, 2025
Home » କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ପ୍ରସୂତିର ମୃତ୍ୟୁ ଅଭିଯୋଗ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ପ୍ରସୂତିର ମୃତ୍ୟୁ ଅଭିଯୋଗ

0
WhatsApp Image 2025-12-01 at 9.46.11 AM

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅବ୍ୟବସ୍ଥା ନେଇ ଲୋକେ ତୀବ୍ର ପ୍ରତିବାଦ କଲେ।

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲ ପରସରରେ ତେଣୁ ଲୋକେ ତୀବ୍ର ପ୍ରତିବାଦ କରିଥିଲେ। ସୂଚନା ଯୋଗ୍ୟ କି କାଲି ତୁରୁମୁଙ୍ଗା ଅଂଚଳର ଆନନ୍ଦ ପୃଷ୍ଟି ନିଜ ସ୍ତ୍ରୀ ପିଙ୍କି ସାହୁଙ୍କୁ ପ୍ରସବ ବେଦନା ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ୱାର୍ଡ଼ରେ ଭର୍ତ୍ତି କରିଥିଲେ, ସେଠାରେ ସନ୍ଧ୍ୟା ୬ଟା ପରେ ଡାକ୍ତର ପଦ୍ମଲୋଚନ ମହାନ୍ତ ଅପରେସନ କରିଥିଲେ ଏବଂ ପିଙ୍କି ଏକ ଝିଅ ଜନ୍ମ ଦେଇଥିଲେ। ତେବେ ଡାକ୍ତର ଗଲାପରେ ରାତି ବାରଟା ପରେ ପିଙ୍କିଙ୍କୁ ପ୍ରବଳ ବେଦନା ଦେଖା ଦେଇଥିଲେ ଉପସ୍ଥିତ ପରିବାର ଲୋକେ ସେତେବେଳେ ଡାକ୍ତର ଖୋଜି ପାଇନଥିଲେ। ପୂର୍ବରୁ ସେବିକା ମାଂସପେଶୀରେ ପେନ କିଲର ସହ ଭେନରେ ସିଧା ଆଣ୍ଟିବାଓଟିକ୍ସ ଦେଇଥିଲେ ଯାହାର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିଲା।

ସେଠାରେ ଡାକ୍ତର ଥିଲେ ଆନ୍ନାଫାଇଲକ୍ଟିକ ଲାଗି ଚିକିତ୍ସା କରିଥାନ୍ତେ କିନ୍ତୁ ସେଠାରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀ ଏପରିକି ନର୍ସ ମାନେ ମଧ୍ୟ କିଛି ସହଯୋଗ କରିନଥିବା ଅଭିଯୋଗ ହୋଇଛି। ରାତିରେ ଡାକ୍ତର ଥିବାର ନିୟମ ଥିବା ବେଳେ କେହି ରୋଗୀ ପାଖକୁ ନଆସିବାରୁ ରୋଗୀ ପ୍ରାୟ ରାତି ଦୁଇଟା ବେଳେ ପ୍ରାଣ ତ୍ୟାଗ କରିଥିଲେ ବୋଲି ଘର ଲୋକେ କହିଛନ୍ତି। ଏତେ ବଡ ଡାକ୍ତରଖାନା କିପରି ଚାଲିଛି ସାଧାରଣରେ ଆଲୋଚନା ହେଉଛି ବାରମ୍ବାର ଏହିପରି ଅଭିଯୋଗ ଆସୁଥିବା ମଧ୍ୟ ଜଣାଯାଇଛି। ତେଣୁ ପରିବାର ଲୋକେ ଏକତ୍ରିତ ହୋଇ ସକାଳେ ୱାର୍ଡ଼ ସାମ୍ନାରେ ଧାରଣା ଦେଇ ପ୍ରତିବାଦ କରିଥିଲେ ହେଁ ସମ୍ପୃକ୍ତ ଡାକ୍ତର ମାନେ ଆସିନଥିଲେ ଟାଉନ ଥାନା ଅଧିକାରୀ ଓ ସଦର ଏସଡିପିଓ ଆସି ବହୁତ ବୁଝାଇ ଥିଲେ। ଏହାପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପିକେ ମିଶ୍ର ଆସି ପରିସ୍ଥିତି ଦେଖିଥିଲେ।

ପ୍ରତିବାଦ ଦିନ ୧୧ଟା ଯାଏ ଚାଲି ଥିଲା ଲୋକେ ସମ୍ପୃକ୍ତ ଡାକ୍ତର ଓ ଲାଞ୍ଚୁଆ କର୍ମଚାରୀଙ୍କୁ ସାମ୍ନାକୁ ଆଣିବାକୁ ଆଡି ବସିଥିଲେ ଶେଷରେ ଏତଲା ପରେ ଶବ ବ୍ୟବଚ୍ଛେଦ ଲାଗି ଯାଇ ଅପରାହ୍ନ ତିନିଟା ପରେ ଏହା ସମ୍ପନ୍ନ ହୋଇଥିଲା। ପରିବାର ଲୋକେ ଟାଉନ ଥାନାରେ ଏତଲା ଦେଇଛନ୍ତି ପୁଣି ସିଡିଏମଓଙ୍କୁ ଦେଖା ପାଇ ନଥିଲେ, ତେଣୁ ତିନି ଦିନ ଭିତରେ ତଦନ୍ତ କରି ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅନ୍ୟଥା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦପ୍ତର ସାମ୍ନାରେ ଧାରଣା କରିବେ କହିଛନ୍ତି। ଆଜିର ଏହି ଘଟଣା ପୁରାତନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଛବି ଖରାପ କରିଛି ଜିଲ୍ଲାରୁ ଜଣେ ମୁଖ୍ୟମନ୍ତ୍ରୀ ଥାଉ ଥାଉ କିପରି ଚିକିତ୍ସା ଚାଲିଛି ବୋଲି ଲୋକେ ଆଲୋଚନା କରୁଛନ୍ତି। ଏହି ଡାକ୍ତରଖାନାରେ ଅନେକ ଡାକ୍ତର ନାହାନ୍ତି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଔଷଧ ବିତରଣ କାଉଣ୍ଟର ବନ୍ଦ ହୋଇଛି ପୁଣି ଅଲଟ୍ରା ସାଉଣ୍ଡ ଆଉ ହେଉ ନଥିବାରୁ ରୋଗୀ ସେବା ବ୍ୟାହତ ହେଉଛି। ତେଣୁ ଏହି ସବୁ ଅସୁବିଧା ସହ ଚିକିତ୍ସା ଅବହେଳାକୁ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରି ପ୍ରତିକାର କରିବାକୁ ଦାବି ହେଉଛି।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *