କୋରାପୁଟର ଶବର ଶ୍ରୀକ୍ଷେତ୍ରରେ ‘ନୀଳାଦ୍ରି ବିଜେ’ ବିଧି ଅନୁଷ୍ଠିତ
ଐତିହ୍ୟ,ସାଂସ୍କୃତିକ କେନ୍ଦ୍ର ତଥା ପର୍ଯ୍ୟଟନ ସ୍ଥଳୀ କୋରାପୁଟର ଶବର ଶ୍ରୀକ୍ଷେତ୍ରରେ ରବିବାର ସନ୍ଧ୍ୟା ସମସ୍ତ ପୂଜାବିଧି ମଧ୍ୟରେ ତିନିରଥରେ ବିରାଜମାନ ତିନି ଦିଅଁଙ୍କ ସନ୍ଧ୍ୟା ଆଳତୀ ପରେ ରୀତିନୀତି ଗୋଟି ପହଣ୍ଡରେ ନୀଳାଦ୍ରି ବିଜେ’ ବିଧି ସୁରୁଖୁରୁରେ ଭକ୍ତିମୟ ପରିବେଶ ମଧ୍ୟରେ ସରିବା ପରେ ବିଳମ୍ବିତ ରାତି ୧୧.୫୦ଘଣ୍ଟିକ ସମୟରେ ଶବର ଶ୍ରୀକ୍ଷେତ୍ରର ପାରମ୍ପରିକ ଓଡ଼ିଆ ରୀତିନୀତିରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମନ୍ଦିର ଗର୍ଭଗୃହକୁ ଫେରିଛନ୍ତି।
ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମନ୍ଦିରରେ ପ୍ରବେଶ କରିବା ପରେ, ପ୍ରଭୁ ଜଗନ୍ନାଥଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବା ସମୟରେ ଦେବୀ ଲକ୍ଷ୍ମୀ ମୁଖ୍ୟ ଦ୍ୱାର ବନ୍ଦ କରିଦିଅନ୍ତି,ଯେହେତୁ କି ବଡ଼ ଭାଇ ପ୍ରଭୁ ବଳଭଦ୍ର ଏବଂ ସାନଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯିବା ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ତାଙ୍କ ସହିତ ନିଆଯାଇ ନଥିଲା। ମନ୍ଦିର ସମ୍ମୁଖରେ, ଦେବୀ ଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ କରୁଥିବା ସେବକ ଏବଂ ପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧିତ୍ୱ କରୁଥିବା ସେବକଙ୍କ ମଧ୍ୟରେ ତର୍କବିତର୍କ ଏହି ବିବାଦର ଅନ୍ତରେ ଯେତେବେଳେ ପ୍ରଭୁ ଜଗନ୍ନାଥ ତାଙ୍କ ଭୁଲ ସ୍ୱୀକାର କରି ତାଙ୍କ ପତ୍ନୀଙ୍କୁ ‘ରସଗୁଲ୍ଲା’ ଅର୍ପଣ କରିବା ପରେ ଦେବୀ ଲକ୍ଷ୍ମୀ ଶାନ୍ତ ହୁଅନ୍ତି, ସେମାନଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରନ୍ତି ଏବଂ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ କରିବାକୁ ଅନୁମତି ପରେ ଦ୍ୱାର ଖୋଲାଯାଏ, ଏବଂ ପ୍ରଭୁ ଜଗନ୍ନାଥ ପରିଶେଷରେ ମନ୍ଦିରରେ ପ୍ରବେଶ କରନ୍ତି, ଏହିପରି ଭାବେ ପ୍ରଭୁଙ୍କ ମହାନ୍ ନୀଳାଦ୍ରିବିଜେର ସମାପନ ହୋଇଥାଏ। ନୀଳାଦ୍ରି ବିଜେ ସମୟରେବମାଣ୍ଡିର ପରିସର ଭକ୍ତଙ୍କ ଗହଣରେ ଭରି ଯାଇଥିଲା।

ଚଳିତ ବର୍ଷ ୨୦୨୬ରେ କୋରାପୁଟର ଶବର ତୀର୍ଥକ୍ଷେତ୍ରରେ ତିନିରଥ ଦକ୍ଷିଣ ମୋଡ଼ ହେବ ପରେ ରତ୍ନବେଦୀ ଅଭିମୁଖେ ଶନିବାର ଦିନ ବାହୁଡ଼ା ଯାତ୍ରାରେ ବାହାରି ନିର୍ଦ୍ଧାରିତ ସମୟରେ ତିନି ରଥ ପହଞ୍ଚିବା ପରେ ବଡ଼ି ଏକାଦଶୀ (ହରିଶୟନ ଏକାଦଶୀ) ଅବସରରେ ତିନି ଦିଅଁଙ୍କ ସ୍ୱର୍ଣ୍ଣ ଅଳଙ୍କାର(ସୁନାର ଶଙ୍ଖ, ଚକ୍ର, ଗଦା, ପଦ୍ମ, ମଥାରେ ମଣି, ପାଦରେ ପାୟଲ, କଙ୍କଣ, କୁଣ୍ଡଳ, କିରିଟ, ସୁନାର ହାର/ମାଳି ଇତ୍ଯାଦି)ରେ ସୁସଜ୍ଜିତ ” ସୁନା ବେଶ” ରେ ଭୂଷିତ ହେବା ପରେ ଅଗଣିତ ଭକ୍ତ ଶ୍ରଦ୍ଧାକୁ ମନୋରମ ଦୁର୍ଲଭ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ପାଇଥିଲେ। ତିନି ଦିଅଁ ଙ୍କ ସନ୍ଧ୍ୟା ଆଳତି ପରେ ତିନିରଥରେ ବସିଥିବା ପାର୍ଶ୍ୱଦେବତାଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ବା ଅତୃପ୍ତଙ୍କ ତୃପ୍ତ କରିବା ପାଇଁ ଅଧରପଣା ଲାଗି ହୋଇଥିଲା। ଏହି ସମୟରେ ହଜାର ହଜାର ଭକ୍ତ ସମାଗମ ହୋଇଥିଲେ।
କୋରାପୁଟର ଶବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଐତିହ୍ୟ ରଥଯାତ୍ରା ପରମ୍ପରାକୁ ଦେଖିବାକୁ ଗଲେ ମୁଖ୍ୟଧାରାର ହିନ୍ଦୁ ବୈଦିକ ରୀତିନୀତି ଏବଂ ସ୍ଥାନୀୟ ଶବର ଏବଂ ସୌରା ଆଦିବାସୀ ସମ୍ପ୍ରଦାୟର ପ୍ରାଚୀନ ପରମ୍ପରା ସହିତ ଗୋଟିଏ ଦିନ ପାଇଁ ସ୍ଥାନୀୟ ଆଦିବାସୀ ଗ୍ରାମର ମୁଖିଆଙ୍କୁ ରଜାର ମାନ୍ୟତା ଦେବା ପରେ ସେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥାନ୍ତି।
ଚଳିତ ବର୍ଷ ରଥଯାତ୍ରାର ସମସ୍ତ କାର୍ଯ୍ୟ ମନ୍ଦିର ପରିଚାଳନା କମିଟି ଓ କୋରାପୁଟ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଭିଡ ଗହଳିକୁ ନିୟନ୍ତ୍ରଣ ସକାଶେ ପୋଲିସ ଦଳ ମୁତୟନ ସହ ଶାନ୍ତିଶୃଙ୍ଖଳା ମଧ୍ୟରେ ସମାପିତ ହୋଇଥିଲା। ଜିଲ୍ଲା ସାଂସ୍କୃତିକ ବିଭାଗ ପକ୍ଷରୁ ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ମନ୍ଦିର ପରିଚାଳନା ପକ୍ଷରୁ ଆସିଥିବା ସହ ସହ ଭକ୍ତଙ୍କୁ ରଥ ପାଖରେ ପ୍ରସାଦ ବଣ୍ଟନ ହୋଇଥିଲା।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
