ଗଞ୍ଜାମ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ କଟକରୁ ଗଲା ରିଲିଫ୍ ସାମଗ୍ରୀ
କଟକ : ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନଙ୍କ ନିକଟରେ ଜରୁରୀକାଳୀନ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ଦୁର୍ଦ୍ଦିନରେ ସହଯୋଗର ହାତ ବଢ଼ାଇବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ପଠାଯାଇଛି। ଶୁକ୍ରବାର ମଧ୍ୟରାତ୍ରି ପରେ, ଅର୍ଥାତ୍ ରାତି ପ୍ରାୟ ୧ଟା ସମୟରେ ଦୁଇଟି କଣ୍ଟେନର ଗାଡ଼ିରେ ଏହି ରିଲିଫ୍ ସାମଗ୍ରୀ କଟକରୁ ଗଞ୍ଜାମ ଅଭିମୁଖେ ଯାତ୍ରା କରିଛି। ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ଖାଦ୍ୟ ଓ ପାନୀୟ ଯୋଗାଇଦେବା ସହ ସେମାନଙ୍କ ଅସୁବିଧାକୁ ଲାଘବ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଠାଯାଇଥିବା ରିଲିଫ୍ ସାମଗ୍ରୀ ମଧ୍ୟରେ ୨୬,୦୦୦ ପାଣି ବୋତଲ, ୨୧,୦୦୦ ବିସ୍କୁଟ୍ ପ୍ୟାକେଟ୍, ୧୮,୦୦୦ ହର୍ଲିକ୍ସ ପ୍ୟାକେଟ୍ ଏବଂ ୪ କ୍ୱିଣ୍ଟାଲ ଚୁଡ଼ା ରହିଛି।

ବନ୍ୟା ପରିସ୍ଥିତିରେ ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାମଗ୍ରୀ ପଠାଯାଇଛି। ଏହାଦ୍ୱାରା ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ରିଲିଫ୍ ସହାୟତା ଯୋଗାଇଦେବାରେ ସହଯୋଗ ମିଳିବ।କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ରିଲିଫ୍ ସାମଗ୍ରୀ ସଂଗ୍ରହ, ବ୍ୟବସ୍ଥିତ ଭାବେ ପ୍ୟାକିଂ ଏବଂ ପରିବହନ ଆଦି କାର୍ଯ୍ୟର ତଦାରଖ କରାଯାଇଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନୂରୀ ପରବୀନ ଉପସ୍ଥିତ ରହି ରିଲିଫ୍ ସାମଗ୍ରୀ ପ୍ରେରଣ ସମ୍ପର୍କିତ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ନିର୍ଦ୍ଧାରିତ ସାମଗ୍ରୀ ଯେପରି ସୁରକ୍ଷିତ ଭାବେ ଗଞ୍ଜାମରେ ପହଞ୍ଚି ବିପନ୍ନଙ୍କ ନିକଟରେ ଉପଲବ୍ଧ ହୋଇପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
lalita das nka report
