November 13, 2025
Home » ଗଡ଼ଗଡିଆ ଘାଟରୁ କଳିଙ୍ଗ ତରଙ୍ଗିଣୀର ଶୁଭାରମ୍ଭ

ଗଡ଼ଗଡିଆ ଘାଟରୁ କଳିଙ୍ଗ ତରଙ୍ଗିଣୀର ଶୁଭାରମ୍ଭ

0
WhatsApp Image 2025-11-02 at 5.59.02 AM (1)

କଟକ : : ଐତିହାସିକ ବାଲିଯାତ୍ରା କଟକ ୨୦୨୫ ପାଇଁ ଆଉ ମାତ୍ର ୪ ଦିନ ରହିଥିବାବେଳେ ଆଜି ମହାନଦୀର ଗଡ଼ଗଡିଆ ଘାଟଠାରେ କଳିଙ୍ଗ ତରଙ୍ଗିଣୀର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମିତ ଏହି ନୂତନ ବୋଇତର ଶୁଭାରମ୍ଭ କରିଛନ୍ତି।

 

ପାରମ୍ପରିକ ରୀତିମତେ ପୂଜାର୍ଚ୍ଚନା କରାଯାଇ ବୋଇତର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଆୟୁକ୍ତ କଟକ ମହାନଗର ନିଗମ ସୁଶ୍ରୀ କିରନଦୀପ କୌର ସହୋତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପହଲ୍ଲାଦ ନାରାୟଣ ଶର୍ମା, କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରା ଓ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ବାଲିଯାତ୍ରା ପରେ ଏହି ବୋଇତ ରେ ପର୍ଯ୍ୟଟକ ମାନେ ମହାନଦୀର ନୀଳ ଜଳରାଶିରେ ବୁଲିବାର ଅନୁଭବ ସାଉଁଟିପାରିବେ।“କଳିଙ୍ଗ ତରଙ୍ଗିଣୀ” ଆମ ଐତିହ୍ୟର ଜୀବନ୍ତ ପ୍ରତୀକ।

 

ପ୍ରାଚୀନ କଳିଙ୍ଗର ବୋଇତ ନିର୍ମାଣ ଶୈଳୀରେ ନିର୍ମିତ ଏହି ନୌକା ଆମକୁ ସେହି ସୁବର୍ଣ୍ଣ ଯୁଗକୁ ଏକ ସ୍ଵପ୍ନ ଭଳି ଫେରାଇନିଏ, ଯେତେବେଳେ କଳିଙ୍ଗର ଦୁର୍ଦ୍ଧର୍ଷ ନାବିକ ଓ ସାଧବମାନେ ମହାନଦୀର ଗଡଗଡିଆ ଘାଟରୁ ବାହାରି କଳିଙ୍ଗ ସାଗରର ନୀଳ ଜଳରାଶିକୁ ଅତିକ୍ରମ କରି ବାଲି, ଜାଭା, ସୁମାତ୍ରା, ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦୂର ଦ୍ଵୀପଦେଶଗୁଡ଼ିକୁ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ। ଏହି ଯାତ୍ରା କେବଳ ବାଣିଜ୍ୟିକ ଯାତ୍ରା ନଥିଲା ବରଂ ସାଂସ୍କୃତିକ ଆଦାନପ୍ରଦାନର ଏକ ମାଧ୍ୟମ ଥିଲା – ଯାହା ଉଭୟ ସମୁଦ୍ର ସେପାରି ଓ ଏପାରିର କଳା, ସଂସ୍କୃତି, ବେଶଭୂଷା ଓ ଖାଦ୍ୟପେୟରେ ପ୍ରତିଫଳିତ ହେଉଛି ।

“କଳିଙ୍ଗ ତରଙ୍ଗିଣୀ”, ଏହି ନାଁ ଓଡ଼ିଶାର ଗୌରବମୟ ଐତିହ୍ୟ ଓ ଦୁଃସାହାସିକ ନୀଳ ସାଗର ଯାତ୍ରାର ଅଭିବ୍ୟକ୍ତି। “କଳିଙ୍ଗ”, ଶବ୍ଦ ଆମକୁ ସେହି ପୁରାତନ ସାମ୍ରାଜ୍ୟର ସ୍ମୃତି ପଟଳ ଭିତରକୁ ଫେରାଇନିଏ, ଯେଉଁଠାରେ ସାହସ, ବାଣିଜ୍ୟ ଦକ୍ଷତା ଓ ସଂସ୍କୃତି ଓଡ଼ିଆ ଜାତିର ପରିଚୟ ଥିଲା। “ତରଙ୍ଗିଣୀ”ର ଅର୍ଥ, ତରଙ୍ଗ ସହିତ ଗତି, ଯାହା ଜୀବନର ଅବିରତ ଗତି, ସହନଶୀଳତା ଓ ଆଗକୁ ବଢ଼ିବାର ଆଶା ଓ ଭରସାର ପ୍ରତୀକ। ଏହି ଦୁଇ ଶବ୍ଦ ଏକତ୍ର ହୋଇ ଓଡ଼ିଶାର ସାଗରୀୟ ସଂସ୍କୃତିର ଅବିନାଶୀ ଗୀତ ଗାଏ।ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଅବସରରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମିତ ଏହି “କଳିଙ୍ଗ ତରଙ୍ଗିଣୀ” ଆମ ସ୍ମୃତିରେ ଉତ୍କଳର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଓ ସାମୁଦ୍ରିକ ଐତିହ୍ୟକୁ ପୁଣି ଉଜ୍ଜୀବିତ କରିପାରିବ। ଏହା ଆମକୁ ମନେ ପକାଇଦେବ ଯେ, ବାଲିଯାତ୍ରା କେବଳ ଏକ ମେଳା ନୁହେଁ ବରଂ ଏହା ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏକ ସମ୍ପର୍କର ସେତୁ। ସଂସ୍କୃତି ଓ ଆଧୁନିକତାର ସମ୍ମିଳନ। ଓଡ଼ିଶା ଓ ବିଶ୍ୱର ଆତ୍ମିକ ସମ୍ପର୍କର ପ୍ରତୀକ।ମହାନଦୀର ନୀଳ ଜଳରାଶିରେ ତରଙ୍ଗାୟିତ ହୋଇ “କଳିଙ୍ଗ ତରଙ୍ଗିଣୀ” ଲକ୍ଷ ଲକ୍ଷ ଓଡ଼ିଆଙ୍କ ଗର୍ବ, ଆଶା ଓ ଆତ୍ମବିଶ୍ୱାସକୁ ଜାବୁଡି ଧରି ମନେପକାଇ ଦେଉଥିବ ଯେ କଳିଙ୍ଗର ତରଙ୍ଗ ସର୍ବଦା ଜୀବନ୍ତ, ଗତିଶୀଳ ଓ ଅଦମ୍ୟ। ନବସୃଜନକୁ ସ୍ଵାଗତ କରି ନବଦିଗନ୍ତ ଆଡକୁ ଯାତ୍ରା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ଏଇ ଜାତି।

 

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *