February 21, 2026
Home » ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟିର ସହାୟତା

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟିର ସହାୟତା

0
WhatsApp Image 2026-01-28 at 7.18.04 PM

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତ ବିରସ୍ୱତୀ ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ପୋଡି ଯାଇଥିବା ବେଳେ ଏହି କ୍ଷତିଗ୍ରସ୍ତ ପରିବାରକୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ପକ୍ଷରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୋସାଇଟିର ସଭାପତି ବିଶିଷ୍ଟ ସମାଜସେବୀ ତଥା ସମବାୟବିତ ପ୍ରମୋଦ କୁମାର ସାହୁ ଏହି ଘଟଣା ବିଷୟରେ ଜାଣିବା ପରେ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଧର୍ମେନ୍ଦ୍ରଙ୍କ ଘର ପୋଡିଯିବା ସହ ସମସ୍ତ ଆସବାବପତ୍ର, ଘରେ ଥିବା ଧାନ, ଚାଉଳ, ଧର୍ମେନ୍ଦ୍ରଙ୍କ ଝିଅ ଓ ପୁଅରର ବହିଖାତା ଇତ୍ୟାଦି ପୋଡି ଯାଇଥିବାରୁ ଶ୍ରୀ ସାହୁ ଏକ ମାସ ପାଇଁ ଖାଦ୍ୟ, ବହିପତ୍ର, ତାଙ୍କ ପୁଅ ଦଶମ ଶ୍ରେଣୀରେ ପଢ଼ୁଥିବାରୁ ମାଟ୍ରିକ ପରୀକ୍ଷା ଟେଷ୍ଟ ପେପର, ବସ୍ତ୍ର ଇତ୍ୟାଦି ଯୋଗାଇ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ଓ ପ୍ରଶାସନକୁ ନିବେଦନ କରିଛନ୍ତି ଏହି ଗରିବ ଓ ଅସହାୟ ପରିବାରକୁ ଘର ଯୋଗାଇ ଦେବା ପାଇଁ । ଏହାସହ ସରକାରଙ୍କ ଯୋଜନାରେ ଧର୍ମେନ୍ଦ୍ର ଙ୍କ ପରିବାରକୁ ମାଗଣା ବିଦ୍ୟୁତ ସଂଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ସାହୁ ଜିଲାପାଳ ରଘୁରାମ ଆର. ଆୟାରଙ୍କୁ ଅନୁରୋଧ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ନିଜେ ଧର୍ମେନ୍ଦ୍ର ପୋଡି ଯାଇଥିବାରୁ ସହାୟତା ପ୍ରଦାନ କରିବା ପରେ ଶ୍ରୀ ସାହୁ ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିବା କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୟୁନିଟରେ ପହଞ୍ଚି ତାଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ । ଏହାସହ ଧର୍ମେନ୍ଦ୍ରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋରଞ୍ଜନ ରାଉତଙ୍କ ସହ କଥା ହୋଇଥିଲେ ।

ସମସ୍ତ ପ୍ରକାରର ସହାୟତା ଡାକ୍ତରଖାନା ପକ୍ଷରୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ସିଡିଏମଓ ଡା. ରାଉତ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଶ୍ରୀ ସାହୁ ଗଣମାଧ୍ୟମକୁ କହିଥିଲେ ଧର୍ମେନ୍ଦ୍ରଙ୍କ ପରିବାର ଅସହାୟ ହୋଇଯାଇଥିବାରୁ ସୋସାଇଟିର ଟାଉନ୍ ଶାଖା ପକ୍ଷରୁ ପ୍ରଥମେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଖୁବଶୀଘ୍ର ଏହି ଅସହାୟ ପରିବାରକୁ ଅନ୍ୟ ସହାୟତା ଟାଉନ୍ ଶାଖା ପକ୍ଷରୁ ପ୍ରଦାନ କରାଯାଇଛି । ସୋସାଇଟି ଲୋକଙ୍କୁ ଋଣ ଦେବା ସହ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟ କରି ଆସୁଛି । ବନ୍ୟା, ବାତ୍ୟା, ଘରପୋଡି ବେଳେ ବିପନ୍ନଙ୍କୁ ସହାୟତା ପ୍ରଦାନ କରୁଛି । ଗରିବ ପିଲାଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି । ସେହିପରି ଅସହାୟ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ମାସିକ ଆର୍ଥିକ ସହାୟତା ପ୍ରଦାନ କରୁଛି । ଏହି ସହାୟତା ପ୍ରଦାନ ବେଳେ ସୋସାଇଟିର ଟାଉନ୍ ଶାଖା ପରିଚାଳକ ଅଂଶୁମାନ ଚୌଧୁରୀ, କର୍ମଚାରୀ ପ୍ରଶାନ୍ତ କୁମାର ରାଉତରାୟ, ଦୈନିକ ଜମା ଖାତା ଏଜେଣ୍ଟ ଶୀକାନ୍ତ ଦାଶ, ରଞ୍ଜନ ରଣା, ସନ୍ତୋଷ ସାହୁ ଓ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଧର୍ମେନ୍ଦ୍ରଙ୍କ ପତ୍ନୀ ଝରଣା ପ୍ରଧାନ, ଧର୍ମେନ୍ଦ୍ରଙ୍କ ମା ସତ୍ୟଭାମା ପ୍ରଧାନ, ପୁତ୍ର ରିତେଶ ପ୍ରଧାନ, କନ୍ୟା ଇତିଶ୍ରୀ ପ୍ରଧାନ ପ୍ରମୁଖ ଅର୍ଥରାଶି ଗ୍ରହଣ କରିଥିଲେ । ଆହତ ଶ୍ରୀ ପ୍ରଧାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ କଟକ ରେଫର କରିବାକୁ ଶ୍ରୀ ସାହୁ ସିଡିଏମଙ୍କୁ ଅନୁରୋଧ କରିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ରେଫର କରାଯାଇଥିଲା। ସୋସାଇଟିର ଏହି ସେବମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *