October 26, 2026
Home » ଜଳେଶ୍ୱର ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଜଳେଶ୍ୱର ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

0
WhatsApp Image 2026-10-25 at 2.17.33 PM

କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି l
ଅକ୍ଟୋବର ୨୭ରେ ଜଳେଶ୍ୱର ବନ୍ଦ ଡାକରା l

ଭୁବନେଶ୍ୱର :  ଜଳେଶ୍ୱରର ପଶ୍ଚିମବlଡ଼ ସ୍ଥିତ ଦେବକୁମାର ଗାଁ ର ନବମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଧର୍ଷଣ ପରେ ହତ୍ୟା ଘଟଣା ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିବା ସହିତ ଆସନ୍ତା ଅକ୍ଟୋବର ୨୭ ତାରିଖରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି l ପ୍ରକାଶ ଥାଉକି ଗତ ଅକ୍ଟୋବର ୨୨ ତାରିଖରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଜଳେଶ୍ୱର ଯାଇ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ l ସେମାନେ ଜଳେଶ୍ୱର ଥାନା ଅଧିକାରୀ, ମୃତ ଝିଅର ବାପା, ମାଆ, ଗ୍ରାମବାସୀ ତଥା ବାଲେଶ୍ୱର ଏସ ପି ଙ୍କୁ ଭେଟିଥିଲେ l

ଏହି ଅନୁସନ୍ଧାନକାରୀ ଦଳରେ
ବାସୁଦେବପୁର ବିଧାୟକ ତଥା କଂଗ୍ରେସ ଦଳର ବିଧାନସଭାର ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଅଶୋକ ଦାସ, ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବାଙ୍କ ବିହାରୀ ବେହେରା, ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ନେତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ଜିଲ୍ଲା କଂଗ୍ରେସ ସଭାପତି ସତ୍ୟ ଶିବ ଦାସ, ରାଜ୍ୟ ପ୍ରବକ୍ତା ଡ ମନୀଷା ଦାଶ ପଟ୍ଟନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ଉର୍ମିଳା ମାଝୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ l ତଥ୍ୟ ଅନୁସନ୍ଧାନକାରୀ ଦଳ ଭୁବନେଶ୍ୱର ଫେରିଲା ପରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ରିପୋର୍ଟ ପ୍ରଦାନ କରିବା ସହିତ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ l
ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ଶ୍ରୀ ସୁଦର୍ଶନ ଦାସ କହିଲେ ଯେ ସେ ଝିଅ ପ୍ରତି ଜଘନ୍ୟ ଦୁଷ୍କର୍ମ ଓ ହତ୍ୟାର ମୂଳ କାରଣ l ଶାସକ ଦଳର ନେତାମାନଙ୍କ ପୋଲିସ ଉପରେ ପ୍ରଭାବ ମଧ୍ୟ ଏହି ଘଟଣାକୁ ପ୍ରଭାବିତ କରିଛି l ୧୬ ତାରିଖରୁ ୨୨ ତାରିଖ ଭିତରେ କେଉଁ ନେତାମାନେ ଆଇ ଆଇ ସି ଙ୍କୁ ଫୋନ କରିଛନ୍ତି ତାର ଯାଞ୍ଚ ହେବା ଜରୁରୀ l ଏହି ଧର୍ଷଣ ଓ ହତ୍ୟା ପଛରେ ଜଣେ ନୁହଁ, ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି l ପ୍ରମାଣ ଲୁଚାଇବା ପାଇଁ ଯେଉଁ କେମିକାଲ ଓ ପଦ୍ଧତି ବ୍ୟବହାର କରାଯାଇଛି, ତାହା ମଧ୍ୟ ଘଟଣାକୁ କୁହେଳିକା ଭିତରକୁ ନେଇଯାଇଛି l ସେଥିପାଇଁ ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ଦାବି କରିବା ସହିତ ଦୋଷୀ ପୋଲିସ ଅଧିକାରୀ ମାନଙ୍କୁ ବଦଳି ନୁହଁ, ସେମାନଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ ଶ୍ରୀ ଦାସ ଦାବି କରିଛନ୍ତି l
ଡ ମନୀଷା ଦାଶ ପଟ୍ଟନାୟକ କହିଲେ ଯେ ଏହି ଘଟଣା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ କାର୍ଯ୍ୟ l ବାଲେଶ୍ବର ସାଂସଦ ଓ ବିଜେପି ନେତ୍ରୀ ଏଥିପାଇଁ ପୋଲିସକୁ ଦାୟୀ କରିବା ଦୁର୍ଭାଗ୍ୟ ଜନକ l ପୋଲିସ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି l ସାଂସଦ ଶ୍ରୀ ପ୍ରତାପ ଷଢ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଦାୟୀ କାହିଁକି କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି l ଏହା ସହିତ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ମୃତ ଝିଅର ବଡ଼ ଭଉଣୀଙ୍କୁ ସରକାରୀ ଚାକିରି ଦେବାକୁ ସେ ଦାବି କରିଥିଲେ l
ଜଳେଶ୍ୱର ଅଞ୍ଚଳରେ କ୍ରମଶଃ ଅପରାଧ ବୃଦ୍ଧି ପାଉଛି l ମଦର ପ୍ରସାର ସହିତ ବାଲି ଓ ମାଟିର ଚୋରା କାରବାର ଇତ୍ୟାଦି ଏହି ଅପରାଧ ବଢ଼ିବା ପଛର କାରଣ ଏବଂ ଏଥିରେ ପୋଲିସ ଓ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତି କୁ ନେଇ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ମଧ୍ଯ ଉଦବେଗ ପ୍ରକାଶ କରିଛନ୍ତି l
କଂଗ୍ରେସ ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀ ବାଙ୍କ ବିହାରୀ ବେହେରା ଏହି ଜଘନ୍ୟ ଘଟଣାର ପ୍ରତିବାଦ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଳେଶ୍ୱର ବନ୍ଦ ଡାକରା ଦିଆଯାଇଛି ବୋଲି ଘୋଷଣା କରିଥିଲେ l ଏହି ବନ୍ଦ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ପାଳନ କରାଯିବ l ରେଳ, ଜାତୀୟ ରାଜପଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଇତ୍ୟାଦିକୁ ଏହି ବନ୍ଦରୁ ବାଦ ଦିଆଯିବ ବୋଲି ଶ୍ରୀ ବେହେରା କହିବା ସହିତ ଜଳେଶ୍ଵରର ସଚେତନ ନାଗରିକ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସମଭାବାପନ୍ନ ରାଜନୈତିକ ଦଳମାନେ ଏହାକୁ ସମର୍ଥନ କରିବାକୁ ନିବେଦନ କରିଥିଲେ l ବନ୍ଦ ପାଳନ ପୂର୍ବରୁ ମଶାଲ ଶୋଭାଯାତ୍ରା, ପଥପ୍ରାନ୍ତ ସଭା, ବୈଠକ ଇତ୍ୟାଦି ଆୟୋଜନ ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *