ଜାତୀୟ ହସ୍ତତନ୍ତ ଦିବସରେ ବରଗଡ଼ର ସଫଳତା
ରାଜ୍ୟସ୍ତରୀୟ ୧୦ଟି ହସ୍ତତନ୍ତ ପୁରସ୍କାର ମଧ୍ୟରୁ ବରଗଡ଼ ଜିଲ୍ଲାର ୯ଜଣ ବୁଣାକାର ସମ୍ମାନିତ
ବରଗଡ଼:୧୨ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲ୍ଲା ପୁଣିଥରେ ରାଜ୍ୟର ହସ୍ତତନ୍ତ ଜନନୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି। ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ଘୋଷିତ ୧୦ଟି ରାଜ୍ୟସ୍ତରୀୟ ହସ୍ତତନ୍ତ ପୁରସ୍କାର ମଧ୍ୟରୁ ୯ଟି ପୁରସ୍କାର ବରଗଡ଼ ଜିଲ୍ଲା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛି।
ଆଜି ଭୁବନେଶ୍ୱରସ୍ଥିତ ଆଇଇସି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ବରଗଡ଼ ଜିଲ୍ଲା ବରପାଲି ନିବାସୀ ଡ଼ ସୁରେନ୍ଦ୍ର ମେହେର ସଫଳ ବୁଣାକାର ଭାବେ ଲାଇଫଟାଇମ ଏଚିଭମେଣ୍ଟ ଏୱାର୍ଡ ପାଇଥିବା ବେଳେ ବେଡେନ ବ୍ଲକ କପାବରୀ ଗ୍ରାମର ମିତା ମେହେରଙ୍କ ସମେତ ଅତାବିରା ବ୍ଲକ ବନହରର ହରିଶଙ୍କର ମେହେର, ବରପାଲିର ବାସୁଦେବ ମେହେର, ବରପାଲି ବ୍ଲକ ମହାତ୍ମାପଡ଼ାର ବବିତା ମେହେର, ବିଜେପୁର ବ୍ଲକ ଏମ ଶ୍ରୀଗିଡ଼ାର ବାସୁଦେବ ମେହେର, ଏବଂ ବରଗଡ଼ ବ୍ଲକ ଭାରତୀ ନଗରର ଶ୍ରୀମତୀ ତପସ୍ୱିନୀ ମେହେରଙ୍କୁ ଟାଇ ଆଣ୍ଡ ଡାଏ, ବୟନ ଏବଂ ଡିଜାଇନିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ଭେଡ଼େନ ବ୍ଲକ ତଲମେଣ୍ଡା ଗ୍ରାମର ଘାସୀରାମ ମେହେର ଏବଂ ବନପଡାର ଅଲେଖ ମେହେରଙ୍କୁ ଅନନ୍ୟ କାରିଗରୀ ଦକ୍ଷତା ପାଇଁ ତନ୍ତକୃତି ପୁରସ୍କାର ସହ ସମସ୍ତ ବୁଣାକାର ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କର ରାଶି ଗ୍ରହଣ କରିଛନ୍ତି ।


ଏହି ଅବସରରେ ବରଗଡ଼ସ୍ଥିତ ଉପ-ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଜ୍ୟାଳୟ ପରିସରରେ ବୃକ୍ଷରୋପଣ ଓ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଗ୍ୟାଲେରୀର ଉଦ୍ଘାଟନ କରିବା ସହ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ସୁରକ୍ଷା, ରୋଜଗାର ସୃଷ୍ଟି ଏବଂ ଗ୍ରାମୀଣ ଜୀବିକା ବିକାଶରେ ହସ୍ତତନ୍ତ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ପୁରସ୍କାର ବିଜେତା ବୟନଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବଲପୁରୀ ହସ୍ତତନ୍ତର ଗୌରବମୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ “ସମସ୍ତଙ୍କ ଜୀବନରେ ଖଣ୍ଡିଏ ହସ୍ତତନ୍ତ” ଶୀର୍ଷକକୁ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଉପ-ବୟନଶିଳ୍ପ ନିର୍ଦ୍ଦେଶକ ତଥା ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବଜିତ ନନ୍ଦୀ, ସନ୍ଥ କବୀର ଓ ଜାତୀୟ ପୁରସ୍କାରପ୍ରାପ୍ତ ଶ୍ରୀ ରାମକୃଷ୍ଣ ମେହେର, କେଏସିସିଏମ୍ର ଅଧ୍ୟକ୍ଷ ଶ୍ରୀ ସୁଜିତ ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲାଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇ ଥିବା ୧୦୦ରୁ ଅଧିକ ବୟନଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ ।

ସୂଚନାଯୋଗ୍ୟଯେ, ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବିଭାଗ ପକ୍ଷରୁ ଆଜିଠାରୁ ଆଗାମୀ ୧୫ ଅଗଷ୍ଟ ପର୍ଯ୍ୟନ୍ତ କର୍ମଶାଳା, ସଚେତନତା କାର୍ଯ୍ୟକ୍ରମ, ପ୍ରାଥମିକ ବୟନ ସମବାୟ ସମିତିଗୁଡ଼ିକ ଦ୍ୱାରା ପ୍ରଦର୍ଶନୀ, ସରକାରୀ ଯୋଜନା ସମ୍ପର୍କିତ ସଚେତନତା ଏବଂ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବୟନଶିଳ୍ପୀଙ୍କ ନାମ ପଞ୍ଜୀକରଣ କରାଯିବ। ଏହି ସମୟରେ ସମସ୍ତ ପ୍ରାଥମିକ ବୟନ ସମବାୟ ସମିତି ଓ ଏପେକ୍ସ ସୋସାଇଟି ମାଧ୍ୟମରେ ହସ୍ତତନ୍ତ ସାମଗ୍ରୀ ଉପରେ ୧୦ ପ୍ରତିଶତ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ। ଏତଦବ୍ଯତୀତ ସରକାରଙ୍କ ‘ହର ଘର ତିରଙ୍ଗା’ ଅଭିଯାନ ଅନ୍ତର୍ଗତ “ଥ୍ରେଡ୍ସ ଅଫ୍ ଫ୍ରିଡମ୍: ହାତକରଘା ମିଟ୍ସ ନ୍ୟାସନାଲ୍ ଟ୍ରାଇକଲର” କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ହ୍ୟାକାଥନ୍ ଆୟୋଜନ କରାଯିବ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବୟନଶିଳ୍ପୀମାନେ ୧୩ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ଆୟୋଜିତ ରାଜ୍ୟସ୍ତରୀୟ ହ୍ୟାକାଥନରେ ଅଂଶଗ୍ରହଣ କରିବେ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
