ଡେବ୍ରିଗଡ଼ ଅଭୟାରଣ୍ୟରେ ଶିକାର ଯୋଜନା ପଣ୍ଡ, ୪ ଗିରଫ
୫ କେଜି ବାଇଣ୍ଡିଂ ତାର, ଫାଶ, କୁରାଢ଼ି, ବାଇକ୍ ଓ ୩ଟି ମୋବାଇଲ ଜବତ
ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ଓ ଜାଲ ବିଛାଇବା ଯୋଜନାକୁ ପଣ୍ଡ କରିଛି ବନ ବିଭାଗ। ଏହି ଘଟଣାରେ ତିଲେଇମାଲ ଗ୍ରାମର ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କିଶୋର ଖମାରୀ (୪୬), ହିରାଧର ଭୁଏ (୪୨), ଆଶିଷ ଭୁଏ (୨୯) ଓ ଜିତେନ୍ଦ୍ର ଭୁଏ (୨୫)। ଗତ ୧୬ ନଭେମ୍ବରରେ ସମସ୍ତଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।ଗୁପ୍ତ ସୂଚନା ଆଧାରରେ ନଭେମ୍ବର ୧୫ ତାରିଖରେ ଲଖନପୁର ୱାଇଲ୍ଡଲାଇଫ୍ ରେଞ୍ଜ ଅଧୀନରେ ଥିବା ୪ଟି ଗ୍ରାମ ଓ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରିଥିଲା। ଏହି ଅଭିଯାନରେ ବରଗଡ଼ ପୁଲିସର ମୋବାଇଲ ଟ୍ରାକିଂ ସହାୟତାରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରାଥିଲା।

ଚଢ଼ାଉରେ ୫ କେଜି ବାଇଣ୍ଡିଂ ତାର, ଫାଶ ଓ ଜାଲ, ଗୋଟିଏ କୁରାଢ଼ି, ଗୋଟିଏ ବାଇକ୍ ଏବଂ ୩ଟି ମୋବାଇଲ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ମିଳିତ ଭାବେ ବନ୍ୟଜନ୍ତୁ ଶିକାର ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟରେ ୨୫୦ ଜଣ ସୁରକ୍ଷା କର୍ମଚାରୀ ଓ ୨୭ଟି ପାଟ୍ରୋଲିଂ ଟିମ୍ ନିୟୋଜିତ ଅଛନ୍ତି। ପ୍ରତି ମାସରେ ୬ ହଜାର କିଲୋମିଟରରୁ ଅଧିକ ପାଦଚଲା ପାଟ୍ରୋଲିଂ କରାଯାଉଛି। ନିକଟରେ ଅଭୟାରଣ୍ୟକୁ ଏକ ଅଣ୍ଡିରା ରୟାଲ ବେଙ୍ଗଲ ଟାଇଗର ଆସିବା ପରେ ୧୦୦ରୁ ଅଧିକ ଗ୍ରାମରେ ବନ୍ୟଜନ୍ତୁ ସୁରକ୍ଷା ଓ ଶିକାର ରୋକିବା ନେଇ ସଚେତନତା ପୋଷ୍ଟର ଲଗାଯାଇଛି।ଡିଏଫ୍ଓ, ହୀରାକୁଦ ୱାଇଲ୍ଡଲାଇଫ୍ ଡିଭିଜନଙ୍କ କହିବା ଅନୁଯାୟୀ, ବନ୍ୟଜନ୍ତୁଙ୍କ କ୍ଷତି ହେବା ପୂର୍ବରୁ ଶିକାର ଭଳି ବିପଦକୁ ରୋକିବା ଏବଂ ସେମାନଙ୍କ ବାସସ୍ଥଳୀକୁ ସୁରକ୍ଷିତ ରଖିବା ବନ ବିଭାଗର ପ୍ରାଥମିକତା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
byomakesh kar nka report,
