ଧର୍ମଗଡ଼ ସହରରେ ଭାରୀଯାନ ଚଳାଚଳ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ବ୍ୟବସାୟୀ ସଂଘ
ଡିସେମ୍ବର ୧ରୁ ଜିଲ୍ଲାର ୪ଟି ସହରରେ ଲାଗୁ ହେବ ନିୟମ ବୋଲି କଳାହାଣ୍ଡି ସାଂସଦ ଙ୍କ ସୁଚନା……
ଧର୍ମଗଡ଼: ଧର୍ମଗଡ଼ ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥରେ ଭାରୀଯାନ ଚଳାଚଳ ଯୋଗୁଁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ଏହାଦ୍ୱାରା ଜନସାଧାରଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଇବା ଦାବି ଜୋର ଧରିଛି। ଏନେଇ ଧର୍ମଗଡ଼ ବ୍ୟବସାୟୀ ସଂଘ ପକ୍ଷରୁ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଘର ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ଅରୁଣ କୁମାର ତାୟଲ ଓ ଶାନ୍ତନୁ କୁମାର ମୁଣ୍ଡ ଉପଜିଲ୍ଲାପାଳଙ୍କୁ ଭେଟି ସହର ମଧ୍ୟଦେଇ ଯାଉଥିବା ଜାତୀୟ ରାଜପଥରେ ପ୍ରତିଦିନ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଦାବି ଜଣାଇଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ନିକଟରେ ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ହାଇୱା ଧକ୍କାରେ ଜଣେ ବ୍ୟବସାୟୀଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ସହରବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି।
ବିଶେଷକରି ଦିନବେଳା ସ୍କୁଲ, କଲେଜ, ବଜାର ଓ ସରକାରୀ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀ, ମହିଳା, ବୟସ୍କ ଓ ସାଧାରଣ ଯାତ୍ରୀମାନେ ଭାରୀଯାନ ଚଳାଚଳ ଯୋଗୁଁ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ତେଣୁ ଜନସାଧାରଣଙ୍କ ଜୀବନ ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଧାରିତ ସମୟରେ ଭାରୀଯାନ ଚଳାଚଳ ବନ୍ଦ କରିବା ସହ ବିକଳ୍ପ ରାସ୍ତାରେ ଗାଡ଼ିଗୁଡ଼ିକୁ ଡାଇଭର୍ଟ କରିବାକୁ ସଂଘ ଦାବି କରିଛି। ଏଥିସହ ଦୁର୍ଘଟଣାପ୍ରବଣ ସ୍ଥାନରେ ଉନ୍ନତ ଟ୍ରାଫିକ୍ ପରିଚାଳନା, ବେଗ ସୀମା କଡ଼ାକଡ଼ି ଲାଗୁ, ନିୟମିତ ପୁଲିସ ପାଟ୍ରୋଲିଂ ଓ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ମଧ୍ୟ ଦାବି ହୋଇଛି।
ଅନ୍ୟପକ୍ଷରେ, କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସହରଗୁଡ଼ିକରେ ଭାରୀଯାନ ଚଳାଚଳ ନିୟନ୍ତ୍ରଣ ପାଇଁ ସାଂସଦ ମାଳବିକା ଦେବୀ ପଦକ୍ଷେପ ନେଇଛନ୍ତି। ଏନେଇ ଭବାନୀପାଟଣାଠାରେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ), ଧର୍ମଗଡ଼ ଓ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ହୋଇଥିଲା।
ବୈଠକରେ ଆସନ୍ତା ଡିସେମ୍ବର ୧ ତାରିଖରୁ କେସିଙ୍ଗା, ଭବାନୀପାଟଣା, ଜୁନାଗଡ଼ ଓ ଧର୍ମଗଡ଼ ସହରରେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଖୋଦ୍ ସାଂସଦ ମାଳବିକା ଦେବୀ ଧର୍ମଗଡ଼ ବ୍ୟବସାୟୀ ସଂଘର ସଭାପତି ବିଦ୍ୟାଧର ସାହୁଙ୍କୁ ଫୋନ୍ ଯୋଗେ ଅବଗତ କରାଇଛନ୍ତି।ଭାରୀଯାନ ଚଳାଚଳ ଉପରେ ଏହି କଟକଣା ଲାଗୁ ହେଲେ ସହରରେ ସଡ଼କ ସୁରକ୍ଷା ବୃଦ୍ଧି ପାଇବା ସହ ଦୁର୍ଘଟଣା ହ୍ରାସ ପାଇବ ବୋଲି ସହରବାସୀ ଆଶା ପ୍ରକାଶ କରିଛନ୍ତି
