ଧାନ ମଣ୍ଡି ପୂର୍ବରୁ ପଣ୍ଡିଗାଁ RMC ଗୋଦାମ ଓ କଭର ସେଡ୍ କାମ ଶେଷ କରିବାକୁ ଚାଷୀଙ୍କ ଦାବି
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅଧୀନ ପଣ୍ଡିଗାଁରେ ନିର୍ମାଣାଧୀନ RMC ସଂରକ୍ଷଣ ଗୋଦାମ ଓ କଭର ସେଡ୍ କାର୍ଯ୍ୟ ଅଞ୍ଚଳର ହଜାର ହଜାର ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। କିନ୍ତୁ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ଆଗାମୀ ଧାନ ସଂଗ୍ରହ ଋତୁ ପୂର୍ବରୁ ଏହାକୁ ଶେଷ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଦୀର୍ଘ ବର୍ଷ ଧରି ପଣ୍ଡିଗାଁ ଧାନ ମଣ୍ଡି ଖୋଲା ଆକାଶ ତଳେ ପରିଚାଳିତ ହେଉଥିବାରୁ ଚାଷୀମାନେ ବର୍ଷା, ଖରା ଓ ଅନ୍ୟାନ୍ୟ ପ୍ରତିକୂଳ ପାଣିପାଗ ମଧ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ପ୍ରଭାବରେ ଧାନର ଗୁଣବତ୍ତା କ୍ଷତିଗ୍ରସ୍ତ ହେବା ସହ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଚାଷୀମାନଙ୍କ କହିବା ଅନୁଯାୟୀ, ଧାନ ମଣ୍ଡିରେ ନିର୍ମାଣାଧୀନ RMC ଗୋଦାମ ଓ କଭର ସେଡ୍ ଅତ୍ୟନ୍ତ ଜରୁରୀ। ଧାନ ସଂଗ୍ରହ ସମୟରେ ବର୍ଷା ପାଣି, ପ୍ରଖର ଖରା ଦାଉ ଏବଂ ଅନ୍ୟାନ୍ୟ ପ୍ରତିକୂଳ ପାଣିପାଗ ଯୋଗୁଁ ଶସ୍ୟ ଅମଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥାଏ। କଭର ସେଡ୍ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଶସ୍ୟକୁ ବର୍ଷା ଓ ଖରା ଦାଉରୁ ସୁରକ୍ଷା ମିଳିବ, ଧାନର ଗୁଣବତ୍ତା ଅକ୍ଷୁଣ୍ଣ ରହିବ ଏବଂ ଖୋଲା ଆକାଶ ତଳେ ଧାନ ରଖିବାର ସମସ୍ୟା ଦୂର ହେବ। ଫଳରେ ଚାଷୀମାନେ ଅଧିକ ସୁରକ୍ଷିତ ଓ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିପାରିବେ।
ସ୍ଥାନୀୟ ଚାଷୀମାନେ ପ୍ରଶାସନ, RMC ଓ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରି ଆଗାମୀ ଧାନ ମଣ୍ଡି ଆରମ୍ଭ ପୂର୍ବରୁ ଗୋଦାମ ଓ କଭର ସେଡ୍କୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
ଚାଷୀମାନଙ୍କ ମତରେ, ଏହି ପ୍ରକଳ୍ପ ସମୟରେ ସମ୍ପୂର୍ଣ୍ଣ ହେଲେ କେବଳ ସେମାନଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ ହେବ ନୁହେଁ, ବରଂ ସରକାରଙ୍କ କୃଷକମୁଖୀ ଯୋଜନାଗୁଡ଼ିକ ମଧ୍ୟ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ ହୋଇପାରିବ। ସେଥିପାଇଁ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳର ହଜାର ହଜାର ଚାଷୀ ଦୃଢ଼ ଦାବି ଜଣାଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
