November 28, 2026
Home » ଧାନ ସଂଗ୍ରହ ଓ କଷ୍ଟମ୍ ମିଲିଂ ବ୍ୟବସ୍ଥାରେ ସଂସ୍କାର ଦାବି

ଧାନ ସଂଗ୍ରହ ଓ କଷ୍ଟମ୍ ମିଲିଂ ବ୍ୟବସ୍ଥାରେ ସଂସ୍କାର ଦାବି

0
WhatsApp Image 2026-11-28 at 1.18.38 PM

ବରଗଡ଼: ଓଡ଼ିଶାର ଧାନ ସଂଗ୍ରହ ଓ କଷ୍ଟମ୍ ମିଲ୍ ରାଇସ୍ (CMR) ଯୋଗାଣ ବ୍ୟବସ୍ଥାରେ ଦୀର୍ଘଦିନ ଧରି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ (AORMA) ପକ୍ଷରୁ ୧୨ଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି। ଆଜି ବରଗଡର ହୋଟେଲ ଅନୁରାଗ ଇନରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ରାଇସ ମିଲାର ଏସୋସିଏସନର ପାଖାପାଖି ୬୫୦ ରୁ ଉର୍ଦ୍ଧ୍ବ ରାଇସ ମିଲର ଉପସ୍ଥିତ ରହି ସେମାନଙ୍କ ପ୍ରମୁଖ ଦାବୀ ଉପରେ ଆଲୋଚନା କରି ୧୨ ଦଫା ଦାବୀର ଏକ ଖସଡା ପ୍ରସ୍ତୁତ କରିଛନ୍ତି । ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସୋସିଏସନର କର୍ମକର୍ତ୍ତା କହିଥିଲେ ସରକାର ରାଇସ ମିଲର ମାନଙ୍କୁ ସାବତ ପୁଅ ଭଳିଆ ବ୍ୟବହାର କରୁଛନ୍ତି । ଆମେ ଚାଉଳ ଦେଲାବେଳେ ଏଫ୍ ସି ଆଇ ତଥା ବିଭିନ୍ନ ଗୋଦାମରେ ଚାଉଳର ମାନକୁ ନେଇ ବହୁତ ହଇରାଣ କରିବା ସହ ମାନ ନେଇ ଆମ ଚାଉଳକୁ ରିଜେକ୍ଟ କରାଇଥାନ୍ତି କିନ୍ତୁ ସେହି ସ୍ଥାନରେ ସରକାର ବା ପ୍ରଶାସନ କେବେ ନିଜର ମାର୍କେଟ ୟାର୍ଡର ସ୍ଥିତି ଠିକ କରନ୍ତି ନାହିଁ କିମ୍ବା ଧାନର ମାନକୁ ନେଇ ପ୍ରଶ୍ନ ଉଠାନ୍ତି ନାହିଁ କିମ୍ୱା ସେହି ଧାନ ଏଫ୍ ଏ କ୍ୟୁ ମାନର କି ନୁହଁ ଦେଖନ୍ତି ନାହିଁ କି ରିଜେକ୍ଟ କରନ୍ତି ନାହିଁ ।
ଧାନର ମାନ, ବସ୍ତାର ଓଜନ, ପରିବହନ ଖର୍ଚ୍ଚ, ମିଲିଂ ପ୍ରୋତ୍ସାହନ ରାଶି, ବିଲ୍ ପୈଠ ଓ ଚାଉଳ ରପ୍ତାନି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ତଥା ସଂପୃକ୍ତ ନିଗମ ତୁରନ୍ତ ହସ୍ତକ୍ଷେପ କରିବାକୁ ସଂଘ ଦାବି କରିଛି। AORMA ର ମତରେ, ଧାନ ସଂଗ୍ରହ ଓ ଚାଉଳ ଯୋଗାଣ ବ୍ୟବସ୍ଥା ସୁଚାରୁ ଭାବେ ପରିଚାଳିତ ହେବା ପାଇଁ ମିଲର୍ସମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା, ଯଥାର୍ଥ ଖର୍ଚ୍ଚର ପରିଶୋଧ ଏବଂ ସ୍ପଷ୍ଟ ନୀତି ନିୟମ ଯୋଗାଇଦେବା ଆବଶ୍ୟକ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।AORMA ର ୧୨ ଦଫା ପ୍ରମୁଖ ଦାବି ଗୁଡିକ ହେଲା —- ୧) FAQ ମାନର ଧାନ ନିର୍ଦ୍ଧାରିତ ଓଜନର ବସ୍ତାରେ ଯୋଗାଣ : ଧାନର Fair Average Quality (FAQ) ମାନ ସହିତ ସମାନ ୩୭.୫ କିଲୋଗ୍ରାମ୍ ଓଜନର ବସ୍ତାରେ ଧାନ ଯୋଗାଣ ସୁନିଶ୍ଚିତ କରାଯାଉ, ୨) CMR ଗ୍ରହଣରେ ବିଳମ୍ବ ବନ୍ଦ : ମିଲର୍ସଙ୍କଠାରୁ କଷ୍ଟମ୍ ମିଲ୍ ରାଇସ୍ ସମୟୋଚିତ ଭାବେ ଗ୍ରହଣ କରାଯାଉ, ଯାହାଦ୍ୱାରା ମିଲର୍ସଙ୍କ ଗୋଦାମରେ ଚାଉଳ ଅଟକି ରହିବା ଓ ଅନାବଶ୍ୟକ ଆର୍ଥିକ ଚାପ ସୃଷ୍ଟି ହେବାରୁ ରକ୍ଷା ମିଳିବ। ୩) ଗୁଣାତ୍ମକ ଗୁଣି ବସ୍ତା ଓ ଟେୟାର୍ ଓଜନରେ ସ୍ୱଚ୍ଛତା :ନିମ୍ନମାନର ଗୁଣି ବସ୍ତା ଯୋଗାଣ, ଅଯଥା ଟେୟାର୍ ଓଜନ କଟାଯିବା ଏବଂ ଦୁଇଥର ବସ୍ତା ଖର୍ଚ୍ଚ ବହନ କରିବା ଭଳି ସମସ୍ୟାର ସମାଧାନ କରାଯାଉ, ୪) କଞ୍ଚା ଧାନ ମିଲିଂରେ ୧% ଡ୍ରାଇଏଜ୍ ବ୍ୟବସ୍ଥା : କଞ୍ଚା ଧାନରେ ପ୍ରାକୃତିକ ଭାବେ ହେଉଥିବା ଆର୍ଦ୍ରତା ହ୍ରାସକୁ ଧ୍ୟାନରେ ରଖି ୧% ଡ୍ରାଇଏଜ୍ ଅନୁମତି ପ୍ରଦାନ କରାଯାଉ, ୫) ଘୋଷିତ ମିଲିଂ ପ୍ରୋତ୍ସାହନ ରାଶି ପ୍ରଦାନ : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ମିଲିଂ ଇନସେଣ୍ଟିଭ୍ ରାଶି ମିଲର୍ସମାନଙ୍କୁ ତୁରନ୍ତ ପ୍ରଦାନ କରାଯାଉ, ୬) ପରିବହନ ଖର୍ଚ୍ଚର ପୁନଃନିର୍ଦ୍ଧାରଣ : ଗତ କଷ୍ଟମ୍ ମିଲିଂ ବର୍ଷଠାରୁ ଧାନ ଓ ଚାଉଳ ପରିବହନ ଦର ବୃଦ୍ଧି କରାଯାଇ ନଥିବାରୁ ବର୍ତ୍ତମାନର ପରିବହନ ଖର୍ଚ୍ଚ ଅନୁଯାୟୀ ଦରର ପୁନଃନିର୍ଦ୍ଧାରଣ କରାଯାଉ, ୭) ଗୋଦାମରେ ରଖିବା, ବୀମା ଓ ବ୍ୟାଙ୍କ ଗ୍ୟାରେଣ୍ଟି ଖର୍ଚ୍ଚ ପ୍ରଦାନ : ମିଲର୍ସମାନେ ବାସ୍ତବରେ ବହନ କରୁଥିବା ଷ୍ଟୋରେଜ୍ ଚାର୍ଜ, ବୀମା ଖର୍ଚ୍ଚ ଓ ବ୍ୟାଙ୍କ ଗ୍ୟାରେଣ୍ଟି (BG) କମିଶନ ଯଥାର୍ଥ ଭାବେ ପ୍ରଦାନ କରାଯାଉ , ୮) CMR ଯୋଗାଣ ମାନଦଣ୍ଡରେ ବାରମ୍ବାର ପରିବର୍ତ୍ତନ ବନ୍ଦ : ଚାଉଳ ଯୋଗାଣର ନିର୍ଦ୍ଧାରିତ ମାନଦଣ୍ଡରେ ବାରମ୍ବାର ପରିବର୍ତ୍ତନ କରାଯିବା ଫଳରେ ମିଲର୍ସଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ଓ ଆର୍ଥିକ ବୋଝ ବଢ଼ୁଛି। ତେଣୁ ସ୍ଥିର ଓ ବ୍ୟବହାରିକ ନିୟମ ପ୍ରଣୟନ କରାଯାଉ, ୯) ମାସିକ ବିଲ୍ ଓ ସିଧାସଳଖ ପୈଠ ବ୍ୟବସ୍ଥା : ମିଲର୍ସମାନଙ୍କ ଦାଖଲ କରାଯାଇଥିବା ବିଲ୍ ଗୁଡ଼ିକର ମାସିକ ଭିତ୍ତିରେ ଯାଞ୍ଚ ଓ ଅନୁମୋଦନ କରି ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉ,
୧୦) ଅକାର୍ଯ୍ୟକ୍ଷମ VLTD ବ୍ୟବସ୍ଥା ବନ୍ଦ : ଯାନବାହନରେ ଲଗାଯାଇଥିବା Vehicle Location Tracking Device (VLTD) ଠିକ୍ ଭାବେ କାମ କରୁନଥିବାରୁ ଏହି ବ୍ୟବସ୍ଥାର ଉପଯୋଗିତା ଓ ଆବଶ୍ୟକତାର ପୁନଃସମୀକ୍ଷା କରାଯାଉ ଏବଂ ଅକାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ବନ୍ଦ କରାଯାଉ,୧୧) ଷ୍ଟକ୍ ଯାଞ୍ଚ ନିୟମରେ ସଂଶୋଧନ : ଷ୍ଟକ୍ ଯାଞ୍ଚ ସମୟରେ ମାତ୍ର ୨% ପାର୍ଥକ୍ୟ ସୀମାକୁ ଅତ୍ୟନ୍ତ କମ୍ ବୋଲି ଦର୍ଶାଇ ସଂଘ ଏହାର ପୁନଃସମୀକ୍ଷା ଦାବି କରିଛି। ଯଥାର୍ଥ ପ୍ରମାଣ ବିନା ମିଲର୍ସଙ୍କ ବିରୋଧରେ ମାମଲା କିମ୍ବା ଅଭିଯୋଗ ରୁଜୁ କରାଯିବା ଉଚିତ୍ ନୁହେଁ , ୧୨)ମୁକ୍ତ ବାଣିଜ୍ୟ ଓ ଚାଉଳ ରପ୍ତାନିକୁ ପ୍ରୋତ୍ସାହନ : କଷ୍ଟମ୍ ମିଲିଂ ବ୍ୟବସ୍ଥା ସହିତ ସମନ୍ୱୟ ରଖି ଚାଉଳ ରପ୍ତାନି ଉପରେ ଥିବା ପ୍ରତିବନ୍ଧକ ଦୂର କରିବା ସହ ମିଲର୍ସମାନଙ୍କୁ ମୁକ୍ତ ବାଣିଜ୍ୟର ସୁଯୋଗ ଦିଆଯାଉ ।ସରକାରଙ୍କ ତୁରନ୍ତ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି । AORMA ପକ୍ଷରୁ ଏହି ୧୨ଟି ପ୍ରସଙ୍ଗକୁ ମିଲର୍ସମାନଙ୍କ ଦୀର୍ଘକାଳୀନ ସମସ୍ୟା ଭାବେ ଉପସ୍ଥାପନ କରାଯାଇଛି। ଏହାର ସମାଧାନ ଦ୍ୱାରା ଧାନ ସଂଗ୍ରହ, ମିଲିଂ ଓ ଚାଉଳ ଯୋଗାଣ ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସୁଗମ ଓ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ହୋଇପାରିବ ବୋଲି ସଂଘ ଆଶା ପ୍ରକାଶ କରିଛି।ରାଜ୍ୟ ସରକାର, ଖାଦ୍ୟ ଯୋଗାଣ ବିଭାଗ ଓ ସଂପୃକ୍ତ ନିଗମଗୁଡ଼ିକ ଏହି ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ମିଲର୍ସମାନଙ୍କ ସହ ଆଲୋଚନା ମାଧ୍ୟମରେ ଶୀଘ୍ର ସମାଧାନର ପଥ ବାହାର କରିବାକୁ AORMA ଆହ୍ୱାନ କରିଛି।ଏହି ସାମ୍ବାଦିକ ସମ୍ମିଳନୀକୁ ସଂଘର ସଭାପତି ମହେଶ ବଂଶଲ , ପଶ୍ଚିମାଞ୍ଚଳ – ଉପ – ସଭାପତି ନିତେଶ ବଂଶଲ , ଦକ୍ଷିଣାଞ୍ଚଳ ଉପ ସଭାପତି ସଚ୍ଚିଦାନନ୍ଦ ଚୌଧୁରି , କେନ୍ଦ୍ରାଞ୍ଚଳ ଉପ ସଭାପତି ଶୁଭ୍ରଜିତ୍ ସାହୁ , ଉପ ସଭାପତି ( ବିତ୍ତ) ନବୀନ ଅଗ୍ରୱାଲ , ଯୁଗ୍ମ ସମ୍ପାଦକ ( ମୁଖ୍ୟାଳୟ) ରାହୁଲ ସନ୍ତୁକ , କୋଷାଧ୍ୟକ୍ଷ ଶ୍ରର୍ଯ୍ୟ ନାରାୟଣ ସେନାପତିମୁଖ୍ୟ ଉପଦେଷ୍ଟା ସନ୍ତୋଷ କୁମାର ଅଗ୍ରୱାଲ ପ୍ରମୁଖ ସମ୍ବୋଧିତ କରିଥିଲେ ।

 

byomakesh kar nka report,

Leave a Reply

Your email address will not be published. Required fields are marked *