ନରହତ୍ୟା! କ୍ୟାନ୍ସର ଔଷଧକୁ ନେଇ ଘରୋଇ ହସ୍ପିଟାଲ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ମେଡିସିନ ଦୋକାନରେ କ୍ୟାନ୍ସର ମେଡିସିନ୍ ଦାମ ମାତ୍ର ୨୭୦୦, କର୍ପୋରେଟ ହସ୍ପିଟାଲରେ ସେହି ମେଡିସିନ୍ ଦାମ କେମିତି ୨୭,୦୦୦ ହୋଇଯାଉଛି? କର୍ପୋରେଟ ହସ୍ପିଟାଲ କାହାକୁ ବି ମାନୁନାହାନ୍ତି । ଏମିତି କି ଶବକୁ ବି ଏମାନେ ଲୁଟୁଚନ୍ତି । ଗୋଟିଏ ବାକ୍ୟରେ କହିଲେ ଏହା ହେଉଛି ଘରୋଇ ହସ୍ପିଟାଲଗୁଡିକର ନରସଂହାର ।’ ଏଭଳି ଶବ୍ଦରେ ସୁପ୍ରିମକୋର୍ଟ ଆଜି ଦେଶର ତଥାକଥିତ କର୍ପୋରେଟ ହସ୍ପିଟାଲକୁ ଭର୍ତ୍ସନା କରିଛନ୍ତି । ମଙ୍ଗଳବାର ଘରୋଇ ହସ୍ପିଟାଲରେ କ୍ୟାନ୍ସର ଔଷଧ ଦାମରେ ୧୦ ଗୁଣା ବୃଦ୍ଧି ସମ୍ପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏଭଳି ଚରମବାଣୀ ଶୁଣାଇବା ସହ ତୁରନ୍ତ ଏ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ଔଷଧର ମୂଲ୍ୟ, ରୋଗୀଙ୍କୁ ଦିଆଯାଉଥିବା ପ୍ରେସ୍କ୍ରିପ୍ସନ ଏବଂ ମେଡିକାଲ ଯନ୍ତ୍ରପାତି ବ୍ୟବହାର ଉପରେ ନିୟନ୍ତ୍ରଣ ନିମନ୍ତେ ଏକ ଆବେଦନର ବିଚାର କରିବା ବେଳେ ବେଶ୍ ବର୍ଷିଛନ୍ତି ସୁପ୍ରିମକୋର୍ଟର ଏହି ଖଣ୍ଡପୀଠ । ଔଷଧର ଏମଆରପି ଉପରେ ୧୬ ପ୍ରତିଶତ ମାରଜିନ ରଖି ବିକ୍ରୟ ପାଇଁ ବ୍ୟବସ୍ଥା ଥିବା ବେଳେ ଘରୋଇ ହସ୍ପିଟାଲଗୁଡିକ କାହିଁକି ଏହି ନିୟମ ପାଳନ କରୁନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଅତି ଜରୁରି ଥିବା ମେଡିସିନଗୁଡିକ କଣ, ତାହା ସ୍ଥିର କରି ତା ଉପରେ ନିର୍ଦ୍ଦିଷ୍ଟ ଏମଆରପି ବ୍ୟବସ୍ଥା କରି ରୋଗୀମାନଙ୍କୁ ଉଦ୍ଧାର କରନ୍ତୁ । କର୍ପୋରେଟ ହସ୍ପିଟାଲଗୁଡିକ ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ସେମାନେ ମନଇଚ୍ଛା ଦାମ୍ ନେଉଛନ୍ତି ଯାହା ଫଳରେ କରଦାତାମାନଙ୍କ କର ହିଁ ହଡପ ହେଉଛି । ଜବାବରେ ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟା କହିଥିଲେ, କେନ୍ଦ୍ର ସରକାର ଏହି ମାମଲାକୁ ଗୁରୁତ୍ୱର ସହ ନେବେ ଓ ଅଧିକାରୀମାନଙ୍କ ସହ ଏ ବାବଦରେ ଆଲୋଚନା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ । ଆସନ୍ତା ଅକ୍ଟୋବର ୧୨ ତାରିଖରେ ଏ ମାମଲାର ପରବର୍ତି ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ।
