ନାବାଳକ କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୮ ଜଣଙ୍କୁ ଗିରଫ
ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, ଗତ ୧୧ ଅଗଷ୍ଟ ରେ ଏଭଳି ଅଘଟଣ ଘଟିଥିଲା। ଏନେଇ କୃଷ୍ଣପ୍ରସାଦ ଥାନା ରେ ରିପୋର୍ଟ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ଚିଲିକା ଭିତରେ ମାଛ ଜାଲ ନିକଟରେ ୩ ଜଣ ଯୁବକ ଡ଼ଙ୍ଗା ରେ ବସିଥିଲେ। କିଛି ଅଜଣା ଲୋକ ସେଠାରେ ପହଞ୍ଚି ଥିଲେ। ମାଛ ଚୋରି କରି ନେବା ପାଇଁ ଉଦ୍ୟମ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ଘଟଣା ପରେ ଉଗ୍ର ରୂପ ନେଇଥିଲା।ଆକ୍ରମଣରେ ଦୁଇଜଣ ଆହତ ହୋଇଥିଲେ। ପରେ ୧୫ ବର୍ଷୀୟ ନାବାଳକ ଓମ୍ ଶିକାରୀ ନିଖୋଜ ଥିଲା। ଚିଲିକାରୁ ପର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବାଲୁଗାଁ ଚନ୍ଦ୍ରାପୁଟ ଅଞ୍ଚଳର ଅଭିଯୁକ୍ତ ମାନେ ଏଭଳି କାର୍ଯ୍ୟ କରିଥିଲେ। ଅଭିଯୁକ୍ତ ମାନେ ଓମ୍ ଶିକାରୀ ଙ୍କୁ ହତ୍ୟା କରି ଚିଲିକା ଜଳ ରାଶିରେ ଫିଙ୍ଗି ଦେଇଥିଲେ। ଏହି ଅଭିଯୋଗ ଆସିବା ପରେ ପୁରୀ ସଦର ଏସଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୁଖ୍ୟ ଅଭିଯୁକ୍ତ ଗଣେଶ ଦାସ କୁ ଗତକାଲି ବାଲୁଗାଁ ରୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା। ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଚିଲକାର ବିଭିନ୍ନ ଟାପୁରେ ଲୁଚିଥିବା ୧୮ ଅଭିଯୁକ୍ତ ଙ୍କୁ ଖୋର୍ଦ୍ଧା ଓ ବାଲୁଗାଁ ପୋଲିସ ସହାୟତାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ଠାରୁ ତିନୋଟି ବୋଟ୍ ଜବତ ହୋଇଛି। ହତ୍ୟାରେ ବ୍ୟବହୃତ କାଠ ଫାଳିଆ ମଧ୍ୟ ଜବତ ହୋଇଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିବ ପୋଲିସ। ଚିଲିକା ଅଞ୍ଚଳର ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତ ମାନେ ଲୋକଙ୍କୁ ଡରାଇ ଧମକାଇ ମାଛ ଚୁଙ୍ଗୁଡି ଚୋରି କରି ନେଉଥିଲେ। ଏମାନେ ନିୟମିତ ଭାବେ ଚିଲିକା ଭିତରେ ଡରାଇ ଧମକାଇ ମାଛ ଜାଲ, ଚିଙ୍ଗୁଡ଼ି ଚୋରି କରିଥାନ୍ତି। ତେବେ ଘଟଣାକୁ ନେଇ କୃଷ୍ଣପ୍ରସାଦ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ଏହି ସମ୍ବେଦନଶୀଳ ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ କରୁଛି।
