February 12, 2026
Home » ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ

0
WhatsApp Image 2026-02-12 at 3.55.29 PM

ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ସୁଦୃଢ଼ କରିବ ନିପୁଣ ଓଡ଼ିଶା: ମୁଖ୍ୟ ଅତିଥି

ଭୁବନେଶ୍ୱର:ରାଜ୍ୟର ପ୍ରାଥମିକ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କର ଭାଷାଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ -୧ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଦିବସୀୟ ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଶିକ୍ଷାତତ୍ତ୍ଵ ସଂଯୋଜକମାନେ ଅଂଶଗ୍ରହଣ କରିଥିଲେ ।

ନିପୁଣ ଓଡ଼ିଶା ମିଶନର ଲକ୍ଷ୍ୟଗୁଡ଼ିକୁ ସମସ୍ତ ଜିଲ୍ଲାରେ ତୃଣମୂଳସ୍ତରରେ ସଫଳ ଭାବରେ କାର୍ଯ୍ୟକାରୀ କରିବା ସହ ସମସ୍ତ ଅଧିକାରୀମାନେ ଏହା ବିଷୟରେ ସ୍ପଷ୍ଟ ଭାବରେ ବୁଝିବା ଏହି କର୍ମଶାଳାର ଉଦ୍ଦେଶ୍ୟ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡାଏନ୍. ତିରୁମାଲା ନାୟକ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ତୃଣମୂଳ ସ୍ତରରେ ନିପୁଣ ଓଡ଼ିଶା ମିଶନର ଉଦ୍ଦେଶ୍ୟକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିଥିଲେ । ସେ କହିଛନ୍ତି, ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ସୁଦୃଢ଼ କରିବ ନିପୁଣ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥି ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟରେ ଦୃଢ଼ ସମନ୍ୱୟର ଆବଶ୍ୟକତା ରହିଥିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସାଂଗଠନିକ ଭୂମିକାକୁ ସ୍ପଷ୍ଟ ଭାବରେ ପରିଭାଷିତ କରି ସମସ୍ତ ଅଧିକାରୀ ନିଜ ଦାୟିତ୍ୱ ତୁଲାଇବା ଉଚିତ୍ ଏବଂ ରାଜ୍ୟର ପ୍ରତ୍ୟେକ ପିଲାର ପ୍ରଗତି ନିଶ୍ଚିତ କରିବା ଆମର ଦାୟିତ୍ଵ ବୋଲି ସେ ମତ ପ୍ରକାଶ କରିଥିଲେ ।ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ କର୍ମଶାଳାରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ, ପଠନ ପ୍ରୋତ୍ସାହନ ଅଭିଯାନ ପଢ଼ିବା, ଗଢ଼ିବା ଓଡ଼ିଶାର ସଫଳ କାର୍ଯ୍ୟାନ୍ୱୟନ, ନିପୁଣ ବିଦ୍ୟାଳୟ, ଶିକ୍ଷଣ ସୋପାନର ଉପଯୁକ୍ତ ବ୍ୟବହାର ଏବଂ ମାନନିର୍ଦ୍ଧାରଣ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କର୍ମଶାଳାରେ ଜିଲ୍ଲାଗୁଡିକ ସେମାନଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଅଭିନବ ଏବଂ ସର୍ବୋତ୍ତମ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ମାନନିର୍ଦ୍ଧାରଣ ପ୍ରକ୍ରିୟା, ପରଖ୍ ରାଷ୍ଟ୍ରୀୟ ସର୍ବେକ୍ଷଣ, ରାଜ୍ୟ ସ୍ତରୀୟ ମାନନିର୍ଦ୍ଧାରଣ ସର୍ଭେ, ମୌଳିକ ଶିକ୍ଷା ସର୍ଭେ ଏବଂ ବାର୍ଷିକ ମୌଳିକ ଶିକ୍ଷା ମାନନିର୍ଦ୍ଧାରଣକୁ ବ୍ୟବହାର କରି କିପରି ଶ୍ରେଣୀଗୃହ ଶିକ୍ଷାଦାନକୁ ଉନ୍ନତ କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।କର୍ମଶାଳାରେ ପଠନ ପ୍ରୋତ୍ସାହନ ଅଭିଯାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟରେ ପଠନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (DPMU), ଜିଲ୍ଲା ସମୀକ୍ଷା ବୈଠକ, ବ୍ଲକ ସମୀକ୍ଷା ବୈଠକ ଏବଂ ଜିଲ୍ଲା ନିପୁଣ ସେଲ୍ ମିଶନର କାର୍ଯ୍ୟକୁ କିପରି ଆଗକୁ ବଢ଼ାଉଛି ତାହା ମଧ୍ୟ ଆଲୋଚନା ହୋଇଥିଲା । ତେବେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦକ୍ଷତା ବିକାଶ ପାଇଁ ଆଗାମୀ ଦିନରେ ଏହିଭଳି କର୍ମଶାଳା ପୁଣି ଆୟୋଜିତ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । କାର୍ଯ୍ୟକ୍ରମ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଅମିତା ପଟ୍ଟନାୟକଙ୍କ ତତ୍ତ୍ୱ୍ୱାବଧାନରେ ପରିଚାଳିତ ହୋଇଥିଲା । ଏଥିରେ ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ନିରୂପା ବେହେରା, ଉପନିର୍ଦ୍ଦେଶିକା ଶ୍ରୀମତୀ ଶୈଳାଧିରାଜତନୟା ଶତପଥୀ, ଉପନିର୍ଦ୍ଦେଶିକା ଶ୍ରୀଯୁକ୍ତ ତନ୍ମୟ ବେହେରା, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ସହକାରୀ ନିର୍ଦ୍ଦେଶିକା ଶୁଶ୍ରୀ ଲିପିକା ସାହୁ, ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ଚନ୍ଦ୍ରିକା ନାୟକ, ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ଜସ୍ମିନ ପଟ୍ଟନାୟକ, ଶ୍ରୀମତୀ ରାଜଲକ୍ଷ୍ମୀ ଦାସ, ସିଓଓ, ପିଏସଏସଏସ ପ୍ରମୁଖ ଅଧିବେଶନରେ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *