ନିଶାଦ୍ରବ୍ୟ ସେବନର କୁପ୍ରଭାବ ଓ ସ୍ୱାସ୍ଥ୍ୟ ସଚେତନତା ଉପରେ କାର୍ଯ୍ୟକ୍ରମ।
ଧର୍ମଗଡ଼: ଶିଶୁ ଦିବସ ଅବସରରେ ଧର୍ମଗଡ଼ ତାଲୁକ ଆଇନ ସେବା କମିଟି ପକ୍ଷରୁ ତାଳୁକ ଆଇନ ସେବା ସମିତି ର ଭାରପ୍ରାପ୍ତ ଅଧ୍ୟକ୍ଷା ଇପ୍ସି ମହାନ୍ତି ଙ୍କ ଅଧକ୍ଷତାରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛିଲିପା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନ ସମ୍ପର୍କରେ ଏକ ସଚେତନତା ଓ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସହାୟକ ଜିଲ୍ଲାପାଳ ରୋଜାଲିନ ଜେନା, ପାନେଲ ଓକିଲ କଲ୍ୟାଣୀ ନାଏକ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଥୁରାମ ସା ପ୍ରମୁଖ ମଞ୍ଚାସିନ ଥିଲେ।


ଏହି ଅବସରରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ଙ୍କ Drug Awareness and Wellness Navigation Scheme ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ନିଶାଦ୍ରବ୍ୟ ସେବନ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ ଜୀବନ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ବୁଝାଇବା ସହ ନିଶାଠାରୁ ଦୂରେଇ ରହିବା ଏବଂ ଏକ ସୁସ୍ଥ ଓ ସୁନ୍ଦର ଜୀବନଶୈଳୀ ଆପଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ସଭାକୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଆଦିତ୍ୟନାରାୟଣ ପଣ୍ଡା ପରିଚାଳନା କରିଥିଲେ ଓ ପ୍ରଧାନ ଶିକ୍ଷକ ମଥୁରାମ ସା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ ଉପସ୍ଥିତ ବ୍ୟକ୍ତିମାନେ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ଗ୍ରହଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
