April 25, 2026
Home » ନୃସିଂହନାଥ ପୀଠରେ ରଙ୍ଗୋଲି ପ୍ରତିଯୋଗିତା ଓ ଚିତ୍ରକଳା ଶିବିର ଅନୁଷ୍ଠିତ

ନୃସିଂହନାଥ ପୀଠରେ ରଙ୍ଗୋଲି ପ୍ରତିଯୋଗିତା ଓ ଚିତ୍ରକଳା ଶିବିର ଅନୁଷ୍ଠିତ

0
WhatsApp Image 2026-04-25 at 3.58.58 PM

 

ପାଇକମାଲ (ବରଗଡ଼): ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା-୨୦୨୬ ଅବସରରେ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଏକ ଭବ୍ୟ ରଙ୍ଗୋଲି ପ୍ରତିଯୋଗିତା ଓ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅପ୍ରେଲ ୨୬ ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ପୂର୍ବରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ। ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ତାହିର୍ ହୁସେନ୍, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ଦୀପକ୍ ସିହ୍ନା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଆୟୋଜିତ ରଙ୍ଗୋଲି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଖର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଶିବାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ‘ଜୟ ଗୋପାଳ ଗ୍ରୁପ’ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜଖରିଆରର ଦିଗବିଜୟ ସିଂହ ଦ୍ୱିତୀୟ ଏବଂ ‘ଲିଟିଲ୍ ଏଞ୍ଜେଲ୍’ (Little Angel) ଗ୍ରୁପ୍ ତୃତୀୟ ସ୍ଥାନ ହାସଲ କରିଥିଲେ।

ଏହା ସହିତ ଆୟୋଜିତ ଚିତ୍ରକଳା ଶିବିରରେ ମୋଟ ୧୫ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରି ଭାବଗ୍ରାହୀ ଚିତ୍ରମାନ ଅଙ୍କନ କରିଥିଲେ। ଶିବିର ଶେଷରେ ଅତିଥିମାନେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ସେମାନଙ୍କର ପ୍ରତିଭାକୁ ଉଚ୍ଚ ପ୍ରଶଂସା କରିଥିଲେ।ପ୍ରଭୁ ନୃସିଂହନାଥଙ୍କ ପବିତ୍ର ବୈଶାଖ ମେଳା ପାଇଁ ଏବେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଏହିପରି କଳା ଓ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ମେଳାର ମାହୋଲକୁ ଆହୁରି ମନୋରମ କରିଛି। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆଲୋକ ଗରିଆ କାର୍ଯ୍ୟକ୍ରମର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *