November 19, 2026
Home » ନେହରୁ ସେବା ସଂଘରେ ଛାତ୍ରଙ୍କୁ ନିର୍ଯାତନା ପ୍ରସଙ୍ଗ

ନେହରୁ ସେବା ସଂଘରେ ଛାତ୍ରଙ୍କୁ ନିର୍ଯାତନା ପ୍ରସଙ୍ଗ

0
WhatsApp Image 2026-11-19 at 12.24.47 PM

ଶିକ୍ଷକଙ୍କ ମାଡ଼ ଭୟରେ ପଳାଇଥିବା ଛାତ୍ର ଉଦ୍ଧାର।

ନିରପେକ୍ଷ ତଦନ୍ତ ଦାବି କଲା ଯୁବ ବିଜେଡି…

କଳାହାଣ୍ଡି: (ବିଦ୍ୟାଧର ସାହୁଙ୍କ ରିପୋର୍ଟ)ଭବାନୀପାଟଣା ସ୍ଥିତ ନେହରୁ ସେବା ସଂଘ ପରିଚାଳନା ଓ ଛାତ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନୁଷ୍ଠାନରେ ରହୁଥିବା ଜୁନାଗଡ଼ର ପଞ୍ଚମ ଶ୍ରେଣୀ ଛାତ୍ର ହୃଷୀକେଶ ନାଏକ ଗତକାଲି ରାତିରୁ ନିଖୋଜ ହୋଇଥିବା ବେଳେ ଆଜି କେସିଙ୍ଗା ପୁଲିସ ତାଙ୍କୁ ଉଦ୍ଧାର କରିଛି।ଏନେଇ ଭବାନୀପାଟଣାସ୍ଥିତ ନେହେରୁ ସେବା ସଂଘ ପରିଚାଳିତ ଆବାସିକ ଅନୁଷ୍ଠାନରେ ଅନ୍ତେବାସୀ ଶିଶୁଙ୍କ ସୁରକ୍ଷା ଓ ଯତ୍ନକୁ ନେଇ ଗୁରୁତର ଉଦ୍‌ବେଗ ପ୍ରକାଶ କରିଛି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ। ଏହାର ନିରପେକ୍ଷ ତଦନ୍ତ ଦାବି କରିଛି ଯୁବ ବିଜେଡି। ଏହା ପୂର୍ବରୁ ମଧ୍ୟ ୨୦୧୯ ମସିହାରେ ନେହେରୁ ସେବା ସଂଘ ଆବାସିକ ଗୃହରୁ ଦୁଇ ନାବାଳିକା ନିଖୋଜ ହେବା ଓ ସେମାନଙ୍କୁ ନିର୍ଯାତନା ଦେବା ଘଟଣା ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଆବାସିକ କେନ୍ଦ୍ରରେ କାହିଁକି ନାବାଳକ ମାନଙ୍କୁ ସେଠାକାର କର୍ମଚାରୀ ମାନେ ମାଡ ମାରୁଛନ୍ତି ? ଏହା ଏକ ଦଣ୍ଡ ମୁକ୍ତ ଅଞ୍ଚଳ ନୁହେଁ କି ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ପ୍ରଶ୍ନ କରିଛନ୍ତି।ସୂଚନା ଅନୁଯାୟୀ, ନାବାଳକ ହୃଷୀକେଶରାତିରେ ନେହରୁ ସେବା ସଂଘରୁ କାହାକୁ କିଛି ନଜଣାଇ ପଳାଇ ଆସିଥିଲେ। ତେବେ କେସିଙ୍ଗା ପୁଲିସ ଉଦ୍ଧାର କରିବା ପରେ ନାବାଳକ ଜଣକ ଏକ ସାଂଘାତିକଅଭିଯୋଗ ଆଣିଛନ୍ତି। ଶିକ୍ଷକଙ୍କ ମାଡ଼ ଭୟରେ ସେ ଅନୁଷ୍ଠାନ ଛାଡ଼ି ପଳାଇ ଆସିଥିବା ନାବାଳକ ଜଣକ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ନେହରୁ ସେବା ସଙ୍ଘର ଇନଚାର୍ଜଙ୍କୁ ପଚରାଯିବାରୁ ସେ ପ୍ରଥମେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ପରବର୍ତୀ ସମୟରେ ସେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।ଏ ସମ୍ପର୍କରେ ଶିଶୁମଙ୍ଗଳ ସମିତିକୁ ଅବଗତ କରାଯାଇଛି। ନାବାଳକଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିବା ଇନଚାର୍ଜ ପ୍ରତିକ୍ରିୟା ରଖିଛନ୍ତି।ପିଲାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅନୁଷ୍ଠାନରୁ ରାତିଅଧିଆ ଜଣେ ନାବାଳକ କିଭଳି ବାହାରକୁ ଚାଲିଗଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଥିବାବେଳେ ଏଭଳି ଘଟଣାର ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା।ଅପର ପକ୍ଷରେ ଏହାର ନିରପେକ୍ଷ ତଦନ୍ତ ପାଇଁ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ସଚିବ ପାଓ୍ଵାରଙ୍କୁ ଲିଖିତ ଦାବି ଜଣାଯାଇଛି ।ସାମ୍ପ୍ରତିକ ଘଟଣାର ଏକ ନିରପେକ୍ଷ ତଦନ୍ତ ସହ ଅନୁଷ୍ଠାନରେ ଶିଶୁମାନଙ୍କୁ ମାଡ଼ ମାରିବା, ମାନସିକ ନିର୍ଯାତନା ଦେବା ଓ ଅନ୍ୟାନ୍ୟ ଅବହେଳା ସମ୍ପର୍କିତ ଅଭିଯୋଗର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରାଯାଇଛି। ଅନ୍ତେବାସୀ ଶିଶୁମାନଙ୍କ ସହିତ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅନୁପସ୍ଥିତିରେ ସ୍ୱାଧୀନ ଓ ଗୋପନୀୟ ଭାବେ ଆଲୋଚନା କରାଗଲେ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

Leave a Reply

Your email address will not be published. Required fields are marked *