October 23, 2026
Home » ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ

ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ

0
1001315429
ନୟାଗଡ଼,  ( ଇପିଏ ) ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଓ ଶାନ୍ତି ଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ୧୨୨ ତମ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ସମାରୋହ ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ଆନୁକୂଲ୍ୟରେ ପାଳିତ ହୋଇଯାଇଛି l
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ପ୍ରାତଃ ଘ. ୦୪. ୩୦ମି. ସମୟରେ ରାମଧୂନ ବଜା ଯାଇ ସହର ପରିକ୍ରମା କରାଯାଇଥିଲା l ସକାଳ ୦୮ ଘଟିକା ସମୟରେ ତ୍ରିନାଥ ଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ସକାଳ ୧୦ ଘଟିକା ସମୟରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ସାଧାରଣ ସଭା, ସର୍ବଧର୍ମ ପ୍ରାର୍ଥନା ଏବଂ ସ୍ୱଚ୍ଛତା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା। ଏହି ସର୍ବଧର୍ମ ପ୍ରାର୍ଥନା ସଭାରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ କୈଳାସ ଚନ୍ଦ୍ର ବାଣ୍ଠଙ୍କ ଦ୍ୱାରା ଗୀତା ପାଠ, ସିନ୍ଧୁରିଆର ସେଖ ଅବଦୁଲ ରହିମଙ୍କ ଦ୍ୱାରା କୋରାନ୍ ପାଠ ଏବଂ ନୟାଗଡ଼ ଚର୍ଚ୍ଚର ଫାଦର କପିଳାସ ନାୟକଙ୍କ ଦ୍ୱାରା ବାଇବେଲ ପାଠ କରାଯାଇ ଏକତା ଓ ଧର୍ମନିରପେକ୍ଷତାର ସନ୍ଦେଶ ଦିଆଯାଇଥିଲା।
             ଏହି କାର୍ଯ୍ୟକ୍ରମରେ ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷା, ପୌର ପରିଷଦ ଶ୍ରୀମତୀ ନିରୁପମା ଖଟେଇ, ଉପାଧ୍ୟକ୍ଷ ଶ୍ରୀ ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ପୌର ପରିଷଦର ସମସ୍ତ ପାରିଷଦ ବୃନ୍ଦ ଯୋଗ ଦେଇଥିଲେ l ପ୍ରାରମ୍ଭରେ ନିର୍ବାହୀ ଅଧିକାରୀ, ପୌର ପରିଷଦ ନୟାଗଡ଼ ସ୍ନେହଲତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିବା ବେଳେ ସମସ୍ତ ସମ୍ମାନିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ l
ମାନ୍ୟବର ବିଧାୟକ ଶ୍ରୀ ସାହୁ ନିଜର ବକ୍ତବ୍ୟରେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜେ ସ୍ୱଚ୍ଛତା ରଖିବା ସହ ଅନ୍ୟମାନଙ୍କୁ ପ୍ରବାର୍ତ୍ତାଇ ପାରିଲେ ତାହାହିଁ ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ନିଜର ଅଭିବ୍ୟକ୍ତି ରଖିବା ସହ ସ୍ୱଚ୍ଛତା ପ୍ରତି ଆଇନ କଡାକଡି ହେବା ପାଇଁ ନିଜର ମନ୍ତବ୍ୟ ଦେଇଥିଲେ l ଏହା ପରେ ଅଧ୍ୟକ୍ଷ ଜିଲ୍ଲା ପରିଷଦ ଶ୍ରୀ ପଟ୍ଟନାୟକ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ସ୍ମୃତି ଚାରଣ କରିବା ସହ ନିଜେ ଅଳିଆ ବାହାରେ ନ ପକାଇବା ସହ ଅନ୍ୟ ମାନଙ୍କୁ ନ ପକାଇବା ପାଇଁ ସଂକଳ୍ପ ନେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ ସଫେଇ କର୍ମଚାରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ପରେ ମୁଖ୍ୟ ଅତିଥି ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ରଥ ନିଜ ବକ୍ତବ୍ୟରେ ଗାନ୍ଧୀଜୀଙ୍କ ଅହିଂସା, ସରଳ ଜୀବନଯାପନ ଏବଂ ସ୍ୱଚ୍ଛତାର ମନ୍ତ୍ର ଉପରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ଗାନ୍ଧୀଜୀଙ୍କ ଜୀବନୀ ଓ ଆଦର୍ଶ ଆଜିର ଯୁବପିଢ଼ି ପଢ଼ିବା ଓ ଜାଣିବା ଆବଶ୍ୟକ। କେବଳ ରାସ୍ତାଘାଟ ସଫା କଲେ ସ୍ୱଚ୍ଛତା ଆସିବ ନାହିଁ, ଘର ଓ ପରିବେଶକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ । ଘର ସ୍ୱଚ୍ଛ ନ ରହିଲେ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏହି ଅବସରରେ ସେ ସ୍ୱଚ୍ଛ ନୟାଗଡ଼ ଗଠନ ଏବଂ ନଶାମୁକ୍ତ ସମାଜ ଗଢ଼ିତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
           ସମସ୍ତ ଅତିଥି ମାନେ ସଫେଇ ମିତ୍ର ମାନଙ୍କୁ ସମ୍ବର୍ଦ୍ଧନା ସହ ଫାଷ୍ଟ ଏଡ଼ କିଟ ବଣ୍ଟନ, କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ଏବଂ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସର୍ବ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *