ନୟାଗଡ଼ ଜିଲ୍ଲାର ସାରସ୍ଵତ ମହକ” ପୁସ୍ତକ ଲୋକାର୍ପିତ ।
ନୟାଗଡ଼ ( ଇପିଏ ) ନୟାଗଡ ସହରର କେ. ସି କ୍ଲବ୍ ଠାରେ ଜିଲ୍ଲାର ସାରସ୍ବତ ପ୍ରତିଭା ମାନଙ୍କୁ ନେଇ “ନୟାଗଡ଼ ଜିଲ୍ଲାର ସାରସ୍ବତ ମହକ” ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ର ମାନ୍ଯବର ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ରହି ଉକ୍ତ ପୁସ୍ତକଟି ପରବର୍ତ୍ତୀ ପିଢି ପାଇଁ ମାର୍ଗଦର୍ଶିକା ପୁସ୍ତକ ଭାବରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।


ସମ୍ମାନିତ ଅତିଥି ଭାବରେ ଓଡିଶାର ଯଶସ୍ବୀ ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁର ଯୋଗଦାନ କରି ନୟାଗଡ଼ର ଐତିହ୍ୟ ଓ ଦିବଂଗତ ସାହିତ୍ୟିକ ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ନାଟ୍ଯ ଭୂଷଣ ଡ. ବିଜୟ କୁମାର ଚୌଧୁରୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡିଆ ସାହିତ୍ୟରେ ଶୁଦ୍ଧ ଶବ୍ଦର ବ୍ୟବହାର ବିଷୟରେ ଆଲୋଚନା କରିଥିବା ବେଳେ ସାରସ୍ବତ ସାଧକ ପୁସ୍ତକର ପ୍ରକାଶନ ସମ୍ପର୍କରେ ପକ୍ଷୀଘର ପ୍ରକାଶକ ଶ୍ରୀଯୁକ୍ତ ବନୋଜ ତ୍ରିପାଠୀ ବହିର ସଂକଳକ ମାନଙ୍କ ଉଦ୍ଯମକୁ ଅତ୍ଯନ୍ତ ପ୍ରଶଂସା କରିଥିଲେ । ଉକ୍ତ ପୁସ୍ତକର ସମୀକ୍ଷକ ଭାବରେ ଓଡିଶାର ବିଶିଷ୍ଟ କବି ତଥା ଅଧ୍ୟାପକ ରବି ଶତପଥୀ ସମ୍ପ୍ରତି ପୁସ୍ତକର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ସାରସ୍ବତ ମହକର ସମୀକ୍ଷା କରିଥିଲେ ।


କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାରସ୍ବତ ମହକର ସଂକଳକ ତଥା ସମ୍ପାଦକ ଶ୍ରୀ ଲଳିତ ମୋହନ ମିଶ୍ର ପୁସ୍ତକଟି ପ୍ରକାଶ କରିବା ପଛରେ ବର୍ଷ ବର୍ଷର ଉଦ୍ଯମ ଓ ସାରସ୍ବତ ସାଧକ ମାନଙ୍କ ସହଯୋଗକୁ ସ୍ବାଗତ କରିଥିଲେ। ପରେ ପରେ ହାଡିବନ୍ଧୁ ମହାଖୁଡ, ବସିରନ୍ ବିବି, ସୂଦର୍ଶନ ପ୍ରଧାନ ପାଠକୀୟ ଅଭିମତ ରଖିଥିଲେ । ଏହି ଉତ୍ସବରେ ଶିକ୍ଷାବିତ୍ କବି, ଗୋଦାବରୀଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ତାଙ୍କର ମାନସ ସନ୍ତାନ ପାଦ ପ୍ରଦିପକୁ ପୁସ୍ତକକୁ ଉକ୍ତ ଉତ୍ସବରେ ଉନ୍ମୋଚନ କରାଜାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବି ସାହିତ୍ୟିକ ଗୋପୀନାଥ ସେଠୀ । ଉକ୍ତ ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାରସ୍ବତ ସାଧକ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
