November 28, 2026
Home » ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ

ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ

0
1001408700
 ।
ନୟାଗଡ  ( ଇପିଏ ) ନୟାଗଡ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ନୟାଗଡ଼ ଟାଉନ୍ ରେଳ ଷ୍ଟେସନଠାରେ ଏକ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା। ରେଳ ଦୁର୍ଘଟଣା ସମୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଏବଂ ଟ୍ରେନ୍ ଚଳାଚଳର ଶୀଘ୍ର ସ୍ୱାଭାବିକୀକରଣ ନିମନ୍ତେ ରେଳବାଇର ପ୍ରସ୍ତୁତିକୁ ଆକଳନ କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ମଣ୍ଡଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତି ଓ ପ୍ରତିକ୍ରିୟା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନିୟମିତ ଭାବେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥାଏ। ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା:
ରେଳ ଦୁର୍ଘଟଣା ପରିସ୍ଥିତିରେ ରେଳ କର୍ମଚାରୀ, ଏନ୍‌ଡିଆର୍‌ଏଫ୍ ଦଳ ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକର ଜରୁରୀକାଳୀନ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବା
                      ରେଳ ସୁରକ୍ଷା ବଳ , ସରକାରୀ ରେଳ ପୁଲିସ, ଅଗ୍ନିଶମ ସେବା, ଚିକିତ୍ସା ବିଭାଗ ଓ ସ୍ଥାନୀୟ ପ୍ରଶାସନ ସମେତ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ।                   ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଆହତମାନଙ୍କର ସ୍ଥିତି ସ୍ଥିର କରିବା ଏବଂ ଲାଇନଚ୍ୟୁତ ବଗି ମଧ୍ୟରେ ଫସି ରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ଭଳି ପଦକ୍ଷେପ ଓ ରିଲିଫ୍ କାର୍ଯ୍ୟର ଅଭ୍ୟାସ କରିବା । ଜରୁରୀକାଳୀନ ପ୍ରତିକ୍ରିୟା ସମୟର ମୂଲ୍ୟାଙ୍କନ, କାର୍ଯ୍ୟକ୍ଷେତ୍ରରେ ଥିବା ତ୍ରୁଟି ଓ ଅଭାବ ଚିହ୍ନଟ କରିବା ଏବଂ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାର ଉନ୍ନତି ପାଇଁ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ ।
      ଏହି ମକ୍ ଡ୍ରିଲ୍‌ରେ ଏକ ବାସ୍ତବ ଧରଣର ରେଳ ଦୁର୍ଘଟଣାର ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଏଥିରେ ଟ୍ରେନ୍ ଲାଇନଚ୍ୟୁତ ହେବା, ଯାତ୍ରୀ ଉଦ୍ଧାର, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ଚିକିତ୍ସା ଦଳ ମୁତୟନ, ପୁନରୁଦ୍ଧାର କାର୍ଯ୍ୟ ପାଇଁ ଭାରୀ ଯନ୍ତ୍ରପାତିର ବ୍ୟବହାର ଏବଂ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାଙ୍କ ମଧ୍ୟରେ ସମନ୍ୱିତ କାର୍ଯ୍ୟକଳାପର ଅଭ୍ୟାସ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ ସୁସଂଗଠିତ, ସମୟବଦ୍ଧ ଓ ପ୍ରଭାବଶାଳୀ ପ୍ରତିକ୍ରିୟା ମାଧ୍ୟମରେ ରେଳ ଚଳାଚଳକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଏହି ଅଭ୍ୟାସର ଲକ୍ଷ୍ୟ ଥିଲା।
                   ଏହି ଅଭ୍ୟାସର ନେତୃତ୍ୱ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ନେଇଥିଲେ। ସେ ଘଟଣାସ୍ଥଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ଏବଂ ବିଭାଗୀୟ ସମନ୍ୱୟର ତଦାରଖ କରିଥିଲେ। ଏଥିସହ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ସୁଚାରୁ ସମନ୍ୱୟ ଏବଂ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହିତ ସେ ଏହି ଅଭ୍ୟାସରେ ବ୍ୟବହୃତ ସାମଗ୍ରୀ ଓ ଉପକରଣର ବ୍ୟବସ୍ଥା ତଥା ଏହାର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ।
ଏହି ମକ୍ ଡ୍ରିଲ୍‌ରେ ମେକାନିକାଲ ବିଭାଗ, ଇଞ୍ଜିନିୟରିଂ ବିଭାଗ, ବିଦ୍ୟୁତ୍ ବିଭାଗ , ସିଗନାଲ୍ ଓ ଟେଲିକମ୍ୟୁନିକେସନ୍ ବିଭାଗ , ସୁରକ୍ଷା ବିଭାଗ, ପରିଚାଳନା ବିଭାଗ , ବାଣିଜ୍ୟ ଓ ଚିକିତ୍ସା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ରେଳ ସୁରକ୍ଷା ବଳ , ସିଭିଲ୍ ଡିଫେନ୍ସ, ଭାରତ ସ୍କାଉଟ୍ସ ଗାଇଡସ, ,ଏନ୍‌ଡିଆର୍‌ଏଫ୍ , ଓଡ୍ରାଫ୍ , ସ୍ଥାନୀୟ ପୋଲିସ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଅଭ୍ୟାସକୁ ଅଧିକ ବାସ୍ତବଧର୍ମୀ କରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାର ଉପକରଣ, ଦୁର୍ଘଟଣା ରିଲିଫ୍ ସାମଗ୍ରୀ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ମଧ୍ୟ ନିୟୋଜିତ କରାଯାଇଥିଲା। ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ ଶ୍ରୀ ନମୋନାରାୟଣ ମୀନା ଏହି କାର୍ଯ୍ୟକ୍ରମର ସକ୍ରିୟ ସମନ୍ୱୟ କରିବା ସହ ମକ୍ ଡ୍ରିଲ୍‌ର ପ୍ରତ୍ୟେକ ପର୍ଯ୍ୟାୟର ସୁଚାରୁ ସମ୍ପାଦନ ସୁନିଶ୍ଚିତ କରିଥିଲେ। ତାଙ୍କର ନିରନ୍ତର ତଦାରଖ, ସମୟୋଚିତ ମାର୍ଗଦର୍ଶନ ଏବଂ ଅଂଶଗ୍ରହଣକାରୀ ଦଳଗୁଡ଼ିକର କାର୍ଯ୍ୟ ଉପରେ ନିରନ୍ତର ନଜର ରଖିବା ଏହି ଅଭ୍ୟାସର ସଫଳ ଆୟୋଜନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା। ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା, ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୃଦ୍ଧି କରିବା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ନିରନ୍ତର ଉନ୍ନତି ଦିଗରେ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ଯାତ୍ରୀମାନଙ୍କର ସର୍ବୋଚ୍ଚ ସୁରକ୍ଷା ଏବଂ ରେଳ ପରିଚାଳନାର ଦୃଢ଼ତା ସୁନିଶ୍ଚିତ କରିବା ଦିଗରେ ମଣ୍ଡଳ ସର୍ବଦା ପ୍ରତିବଦ୍ଧତାର ସହିତ କାର୍ଯ୍ୟକରେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *