September 23, 2026
Home » ନୟାଗଡ ଜିଲ୍ଲାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଦୟନୀୟ ଅବସ୍ଥାର ନିରାକରଣ ଉଦ୍ଦେଶ୍ୟରେ କଂଗ୍ରେସ କମିଟି ପକ୍ଷରୁ ଦାବୀପତ୍ର

ନୟାଗଡ ଜିଲ୍ଲାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଦୟନୀୟ ଅବସ୍ଥାର ନିରାକରଣ ଉଦ୍ଦେଶ୍ୟରେ କଂଗ୍ରେସ କମିଟି ପକ୍ଷରୁ ଦାବୀପତ୍ର

0
1001298546
“୩୦ ଦିନ ମଧ୍ୟରେ ସମାଧାନ ନହେଲେ ସତ୍ୟାଗ୍ରହ ଚେତାବନୀ”
ନୟାଗଡ ( ଇପିଏ ) ନୟାଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସ୍ବାସ୍ଥ୍ୟ ଓ ଶିକ୍ଷା ଅବସ୍ଥା ଅତି ଦୟନୀୟ ।ଏହି ଅବ୍ୟବସ୍ଥାକୁ ନେଇ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି, ସେପ୍ଟେମ୍ୱର ୨୧ ତାରିଖ ଭାପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଶୁଣାଣୀ ଦିବସରେ ।
      ଭାପୁର ବ୍ଲକ୍‌ରେ ଚରମ ପ୍ରଶାସନିକ ଅବହେଳା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ୧ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୫ ଜଣ ଡାକ୍ତର, ପୁଣି ଡାକ୍ତରୀ ଅବହେଳା ଜନିତ ଛାତ୍ରୀ ମୃତ୍ୟୁ ଏବଂ ଗତ ୨ ବର୍ଷ ଧରି ମାଟ୍ରିକ ପରୀକ୍ଷାରେ ମାତ୍ର ଜଣେ ଲେଖାଏଁ ପିଲା ଗ୍ରେଡ଼ ଏ -୧ ପାଇବା ଭଳି ନିମ୍ନଗାମୀ ବିଦ୍ୟାଳୟ ଶିକ୍ଷା ବିରୁଦ୍ଧରେ ଆଜି ଭାପୁରଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (DCC) ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ବ୍ଲକ୍‌ର ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ମୌଳିକ ସମସ୍ୟା ଉପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଦଳ ଚେତାବନୀ ଦେଇଛି।
ସ୍ମାରକପତ୍ରରେ ଉଲ୍ଲେଖ ଥିବା ପ୍ରମୁଖ ୮ ଦଫା ଦାବି:
୧. ଡାକ୍ତରୀ ଅବହେଳାରେ ଛାତ୍ରୀ ମୃତ୍ୟୁର ତଦନ୍ତ ଓ ₹୫୦ ଲକ୍ଷ କ୍ଷତିପୂରଣ:
ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ରେ ମଦ୍ୟପ ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନ ଓ ଔଷଧ ପ୍ରୟୋଗ ଯୋଗୁଁ ଗୋଳାପୋଖରୀ ଗ୍ରାମର ୧୭ ବର୍ଷୀୟା ମେଧାବୀ ଛାତ୍ରୀ ସନ୍ତୋଷୀ ବେହେରାଙ୍କ ଅକାଳ ବିୟୋଗ ଘଟିଛି। କେଉଁ ଔଷଧ ଯୋଗୁଁ ଏହି ମୃତ୍ୟୁ ଘଟିଲା, ତାହାର ନିରପେକ୍ଷ ଉଚ୍ଚସ୍ତରୀୟ ପ୍ରଶାସନିକ ତଥା ଫୋରେନସିକ୍ ତଦନ୍ତ କରାଯାଇ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ଼ ଫୌଜଦାରୀ ମାମଲା ରୁଜୁ କରିବା ସହ ଶୋକସନ୍ତପ୍ତ ପରିବାରକୁ ତୁରନ୍ତ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ କରାଯାଉ।
 
୨. ଭାପୁର CHC ରେ ଡାକ୍ତର ନିଯୁକ୍ତି :
୨୨ ଜଣ ଡାକ୍ତର ପଦବୀ ସ୍ଥାନରେ ମାତ୍ର ୫ ଜଣ ଡାକ୍ତରଙ୍କ ଭରସାରେ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ଲକ୍ ଚାଲିଛି। କାର୍ଯ୍ୟରତ ଡାକ୍ତରମାନେ ସରକାରୀ ଡ୍ୟୁଟି ସମୟରେ ଘରୋଇ କ୍ଲିନିକ୍ ଚଳାଉଛନ୍ତି। ‘ନିରାମୟ’ ଔଷଧ ରୋଗୀଙ୍କୁ ନଦେଇ ବାହାର ଔଷଧ ଦୋକାନକୁ ପଠାଯାଉଛି। ଏଠାରେ ବାୟୋମେଟ୍ରିକ୍ ଉପସ୍ଥାନ ଓ କଡ଼ା ଭିଜିଲାନ୍ସ ତଦନ୍ତ କରାଯାଉ।
୩ . ମାଗଣା ଅଲଟ୍ରାସାଉଣ୍ଡ୍ ସେବା କାର୍ଯ୍ୟକ୍ଷମ:
ଗର୍ଭବତୀ ମହିଳା ଓ ଗରିବ ରୋଗୀଙ୍କ ଘରୋଇ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ଦ୍ୱାରା ଶୋଷଣ ରୋକିବା ପାଇଁ ଭାପୁର CHC ରେ ଏକ ମାସ ମଧ୍ୟରେ ସ୍ଥାୟୀ ସୋନୋଲୋଜିଷ୍ଟ ସହ ମାଗଣା ଅଲଟ୍ରାସାଉଣ୍ଡ ସେବା ଏବଂ ଏକ୍ସରେ ସେବା ଆରମ୍ଭ ହେଉ।
୪. ପି.ଏଚ୍.ସି. ସମୂହ ଓ ବିଜିପୁର ଡାକ୍ତରଖାନାର ପୂର୍ଣ୍ଣ କାର୍ଯ୍ୟକ୍ଷମତା:
ପଦ୍ମାବତୀ, ନିମାଣି ଏବଂ ବାଘୁଆପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସପ୍ତାହରେ ମାତ୍ର ୩ ଦିନ ଖୋଲୁଥିବା ବେଳେ ସେଠାରେ ସପ୍ତାହର ସମସ୍ତ ଦିନ ସ୍ଥାୟୀ ଡାକ୍ତର ରହନ୍ତୁ। କାଗଜପତ୍ରରେ ଥିବା ବିଜିପୁର ହସ୍ପିଟାଲକୁ ନିର୍ମାଣ ସାରି ତୁରନ୍ତ ଓପିଡି ଚାଲୁ କରାଯାଉ।
୫ . ନକଲି ଡାକ୍ତର କ୍ୱାକ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ । ବ୍ଲକ୍‌ର ବିଭିନ୍ନ ଗଳିକନ୍ଦିରେ କୌଣସି ଯୋଗ୍ୟତା ନଥାଇ ଚାଲିଥିବା ବେଆଇନ କ୍ଲିନିକ୍ ଏବଂ ନକଲି ଡାକ୍ତରଙ୍କ ବିରୁଦ୍ଧରେ ‘କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ’ ଅଧୀନରେ ଚଢ଼ାଉ କରାଯାଇ ସେଗୁଡ଼ିକୁ ସିଲ୍ କରାଯାଉ।
୬ .ପରୀକ୍ଷା ପୂର୍ବରୁ ତୁରନ୍ତ ପାଠ୍ୟପୁସ୍ତକ ଯୋଗାଣ:
ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଥିବା ସତ୍ତ୍ୱେ ବ୍ଲକ୍‌ର ତୃତୀୟ ଶ୍ରେଣୀର ୧,୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ସପ୍ତମ-ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ଆଜି ପର୍ଯ୍ୟନ୍ତ ବହି ମିଳିନାହିଁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପୁସ୍ତକ ବଣ୍ଟନ କରାଯାଉ।
୭.ହାଇସ୍କୁଲ ଶିକ୍ଷାର ମାନ ବୃଦ୍ଧି ଓ ଉଚ୍ଚସ୍ତରୀୟ ସମୀକ୍ଷା:
ପ୍ରତିବର୍ଷ ପ୍ରାୟ ୧,୩୦୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ବଡ଼ସହରା ହାଇସ୍କୁଲରେ ମାତ୍ର ଜଣେ ‘A-1’ ଗ୍ରେଡ୍ ପାଇବା ଏବଂ ପ୍ରତିଷ୍ଠିତ ପଦ୍ମାବତୀ ପିଏମ୍ ଶ୍ରୀ (PM SHRI) ହାଇସ୍କୁଲରେ ଜଣେ ହେଲେ ବି ଗ୍ରେଡ଼ ଏ-୧ ନପାଇବା ଚରମ ଚିନ୍ତାର ବିଷୟ । ଶିକ୍ଷକ ଥାଇ ମଧ୍ୟ ପାଠପଢ଼ାର ମାନ କାହିଁକି ଖରାପ ହେଉଛି, ତାର ଶିକ୍ଷାଗତ ତଦନ୍ତ ହେଉ।
୮. ଆଇ.ପି.ଏଚ୍.ଏସ୍ ମାନଦଣ୍ଡ ଅନୁସାରେ ଭାପୁର ଅଞ୍ଚଳରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତରୀ ପଦବୀକୁ ୩୦ ଦିନ ମଧ୍ୟରେ ଡେପୁଟେସନ୍ କିମ୍ବା ନିୟମିତ ନିଯୁକ୍ତି ଜରିଆରେ ପୂରଣ କରାଯାଉ ।
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରଶାସନ ଆଗାମୀ ୩୦ ଦିନ ମଧ୍ୟରେ ଏହି ଦାବିଗୁଡ଼ିକ ଉପରେ ଠୋସ୍ ପଦକ୍ଷେପ ଗ୍ରହଣ ନକଲେ କଂଗ୍ରେସ ଦଳ ଭାପୁର ବ୍ଲକ ଜନସାଧାରଣଙ୍କ ସହ ମିଶି ଜିଲ୍ଲାବ୍ୟାପୀ ଅହିଂସା, ଗଣତାନ୍ତ୍ରିକ ତଥା ନିରବଚ୍ଛିନ୍ନ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିବ।
ଏହି ସ୍ମାରକପତ୍ରର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO), ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO), ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ବିନୋଦିନୀ ମହାନ୍ତି, ଡିସିସି ସାଧାରଣ ସମ୍ପାଦକ ଯୁବ ଆଇନଜୀବୀ ପ୍ରଦୀପ ପ୍ରଧାନ, ଭାପୁର ବ୍ଲକ କଂଗ୍ରେସ ସଭାପତି ବାଙ୍କବିହାରୀ ଧଳ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଛାତ୍ରନେତା ଓମପ୍ରକାଶ ପ୍ରଧାନ, ସିଦ୍ଧlନ୍ତ ଦାସ,ଶ୍ରମିକ ନେତା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ସ୍ମାରକପତ୍ର ଦିଆଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *