ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ରୁଷିଆରୁ ଗୌରବ ଆଣିଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆଜି ଲୋକ ଭବନରେ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ।କାଲିନିନଗ୍ରାଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ମହୋତ୍ସବରେ Russian Grand Sand Master Cup 2026 ଜିତି ଭାରତ ଫେରିବା ପରେ ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆଜି ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧନା ଜଣାଇଛନ୍ତି।ରାଜ୍ୟପାଳ କହିଛନ୍ତି, ଏହି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସମ୍ମାନ ପାଇବାରେ ସୁଦର୍ଶନ ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ। ଏହା ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିଛି ଏବଂ ବିଶ୍ୱ ସ୍ତରରେ ଭାରତର କଳା-ସଂସ୍କୃତିକୁ ଆହୁରି ଉଚ୍ଚରେ ପହଞ୍ଚାଇଛି।ରାଜ୍ୟପାଳ ସୁଦର୍ଶନଙ୍କ ପୁରସ୍କାରପ୍ରାପ୍ତ ବାଲୁକା ଶିଳ୍ପକୁ ପ୍ରଶଂସା କରିଛନ୍ତି, ଯାହା ଜଳବାୟୁ ପରିବର୍ତ୍ତନ ଓ ମାନବଜାତି ଉପରେ ଏହାର ପ୍ରଭାବକୁ ଦର୍ଶାଇଛି। ସାମାଜିକ ଓ ପରିବେଶ ବାର୍ତ୍ତା ପାଇଁ କଳାକୁ ମାଧ୍ୟମ କରିଥିବାରୁ ସେ ଶିଳ୍ପୀଙ୍କୁ ସାଧୁବାଦ ଜଣାଇଛନ୍ତି।ରାଜ୍ୟପାଳ ସୁଦର୍ଶନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କ ସୃଜନଶୀଳତା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେବ ବୋଲି ଆଶା ପ୍ରକାଶ କରିଛନ୍ତି।
