July 30, 2026
Home » ପାଣି ଘେରରେ ଗୋକର୍ଣ୍ଣେଶ୍ବର, ରାମଚଣ୍ଡୀ ଓ ଶନି ମନ୍ଦିର,ଜଳ ନିଷ୍କାସନ ପାଇଁ ଦାବି l

ପାଣି ଘେରରେ ଗୋକର୍ଣ୍ଣେଶ୍ବର, ରାମଚଣ୍ଡୀ ଓ ଶନି ମନ୍ଦିର,ଜଳ ନିଷ୍କାସନ ପାଇଁ ଦାବି l

0
WhatsApp Image 2026-07-29 at 1.54.26 PM (1)

 

ସୁବର୍ଣ୍ଣପୁର —ବର୍ଷାଜଳରେ ଉବୁଟୁବୁ ହେଉଛି ସୁବର୍ଣ୍ଣପୁର ସହର। ଲଗାଣ ବର୍ଷା ଯୋଗୁଁ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଉପଯୁକ୍ତ ଡ଼୍ରେନେଜ୍ ସିଷ୍ଟମ ର ପରିଚାଳନା ଅଭାବରୁ ସହରର ଅନେକ ଜାଗାରେ ବନ୍ୟାଭଳି ସ୍ଥିତି ଉପୁଜିଛି। ସହରର ତଳି ଅଞ୍ଚଳରେ ପାଣି ନିଷ୍କାସନ ହୋଇପାରୁନି। ସୋନପୁର କଲେଜ ପଛ ପାର୍ଶ୍ଵରେ ଥିବା ଗୋକର୍ଣ୍ଣେଶ୍ବର ଶୈବ ପୀଠ ପାଣି ଘେରରେ ରହିଛି। ଅଷ୍ଟଶମ୍ଭୁ ଙ୍କ ଭିତରେ ଗୋକର୍ଣ୍ଣେଶ୍ଵର ତେଣୁ ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁମାନେ ତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ହେଲେ ଏବେ ପୀଠ ଭିତରେ ଆଣ୍ଠୁଏ ପାଣି। ଉକ୍ତ ମନ୍ଦିର ପରିସରରେ ମାଁ ରାମଚଣ୍ଡୀ ମନ୍ଦିର ମଧ୍ୟ ରହିଛି ସେହିପରି ନିକଟରେ ଥିବା ଶନି ମନ୍ଦିର ମଧ୍ୟ ପାଣି ଘେରରେ ଅଛି । ପାଣି ଘେରରେ ସମସ୍ତ ଠାକୁର ଥିବା ଯୋଗୁଁ ଏବେ ପୂଜା ହୋଇପାରୁନାହିଁ । ଭକ୍ତମାନେ ଦର୍ଶନ କରିବାକୁ ମନ୍ଦିରକୁ ଯାଇ ପାରୁନାହାନ୍ତି I ସୋମବାର ଅନେକ ଭକ୍ତ ଶିବଙ୍କୁ ଦର୍ଶନ କରିବାକୁ ଆସି ନିରାଶ ମନରେ ଫେରି ଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଗତ ୧୧ ତାରିଖଠାରୁ ଗୋକର୍ଣ୍ଣେଶ୍ବର ଶୈବ ପୀଠ ଓ ଶନି ମନ୍ଦିର ଚତୁଃପାର୍ଶ୍ଵ ଜଳାର୍ଣ୍ଣବ ରହିଛି। ମଝିରେ ମଝିରେ ବର୍ଷା ହେଉଥିବାରୁ ଜଳସ୍ତର ହ୍ରାସ ପାଉନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି।

ମନ୍ଦିର ନିକଟରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାମ ଚାଲିଛି। ଏଥିପାଇଁ ଜଳ ନିଷ୍କାସନ ହୋଇ ନ ପାରି ମନ୍ଦିର ଭିତରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଜନସ୍ବାସ୍ଥ୍ୟ ବିଭାଗର ମଧ୍ୟ ଦୁରଦୃଷ୍ଟି ଅଭାବ ଯୋଗୁଁ ପାଣି ନିଷ୍କାସନ ହୋଇପାରୁନି। ବିଭାଗ ତରଫରୁ ଅଧାପନ୍ତରିଆ ଭାବରେ ଅସ୍ଥାୟୀ ଡ଼୍ରେନ୍ ଖୋଳି ଥିଲେ ହେଁ ତା ଉପରେ ମାଟି ଦୁରକୁ ନେଇ ନଥିବାରୁ ତାହା ପୁଣି ଡ୍ରେନ୍ କୁ ବନ୍ଦ କରିଦେଉଛି। ରବିବାର ରାତି ଓ ସୋମବାର , ମଙ୍ଗଳବାର ସକାଳୁ ଲଗାଣ ବର୍ଷା ଲାଗିରହିଛି ଯା ଫଳରେ ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଟାଭାଡି, ତୁଳସୀ ନଗର ଓ ଗୋକର୍ଣ୍ଣେଶ୍ବର ପଡ଼ାରୁ ବର୍ଷା ଜଳ ଆସି ୫୭ନଂ. ଜାତୀୟ ରାଜପଥର ରାସ୍ତା ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହୋଇଥିଲା। ଫଳରେ କିଛି ଘଣ୍ଟା ଧରି ଏହି ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହୁଥିବା ପରିଲକ୍ଷିତ ହେଉଛି। ଗୋକର୍ଣ୍ଣେଶ୍ବର ପଡ଼ା ମିଶ୍ର ହୋଟେଲ ଗଳି ରାସ୍ତାରେ ୪ ଫୁଟ୍ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରି ପାରି ନ ଥିଲେ I ବଡ଼ବଜାର ମୁଖ୍ୟ ରାସ୍ତା ଉପରେ ଡ୍ରେନ୍ ପାଣି ପ୍ରବାହିତ ହୋଇଥିଲା। କିଛି ଦୋକାନ ଭିତରକୁ ମଧ୍ଯ ବର୍ଷା ଜଳ ପ୍ରବେଶ କରିଥିଲା। ଭଗବତୀ ପ୍ଲଟ, ମିଶ୍ର ପଡ଼ା, ତଲପଡ଼ା, କୁମ୍ଭାରପଡ଼ା ଓ ଶାନ୍ତିନଗର ଅଞ୍ଚଳରେ ବର୍ଷା ଜଳ ଲୋକଙ୍କ ଘରେ ପ୍ରବେଶ କରିବା ଦ୍ବାରା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ରାମଜୀନଗର, ପଟାଭାଡ଼ି ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି | ବ୍ଲକ ଉ.ପ୍ରା ସ୍କୁଲ ଭିତରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଥିବା ଯୋଗୁଁ ପାଠପଢ଼ା ହୋଇପାରୁନି।ଜଳାଶୟ, ପ୍ରାକୃତିକ ଜଳପ୍ରବାହ କୁ ସଠିକ ଢଙ୍ଗରେ ପରିଚାଳନା ଅଭାବରୁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା କଥା ଅତି କ୍ଷୋଭ ର ସହ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରର ବୁଦ୍ଧିଜୀବୀ ଓ ଏଥିପାଇଁ ହିଁ ଆଜି ଗୋକର୍ଣ୍ଣେଶ୍ବର ଶୈବ ପୀଠ ପାଣି ଘେରରେ ରହିଛି ବୋଲି ଦେବୋତ୍ତର ବିଭାଗ କୁ ଦାୟୀ କରିଛନ୍ତି। ସହରର ପ୍ରମୁଖ ସ୍ଥାନ ସବୁକୁ ଜବରଦଖଲ କରି ଘର ଓ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ସାଙ୍ଗକୁ ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଋତୁ ପୂର୍ବରୁ ଡ୍ରେନ୍ ଓ ପ୍ରାକୃତିକ ନାଳଗୁଡିକ ଠିକ୍ ଭାବେ ସଫା ହୋଇ ନ ଥିଲା। ଜୁଲାଇରେ ଲଘୁଚାପ ଜନିତ ଲଗାଣବର୍ଷା ଲାଗି ରହିବା ଫଳରେ ଜିଲା ସଦର ମହକୁମାରେ ବସବାସ କରୁଥିବା ଲୋକ ଜଳବନ୍ଦୀ ଜୀବନ ଜୀଉଁଛନ୍ତି। ଜିଲାବ୍ୟାପି ବର୍ଷା ବିତ୍ପାତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି I ବଜ୍ରପାତ ସହ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖ୍ ଜିଲାପାଳ ଡ. ନୃପରାଜ ସାହୁ ସୋମବାର ଦିନ ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଥିଲେ। ଏପରିକି ଡୁଙ୍ଗୁରିପାଲି ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରକୁ ବାତିଲ ମଧ୍ୟ କରାଯାଇଥିଲା। ତେବେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜିଲ୍ଲା ସଦର ମହକୁମାର ଜବରଦଖଲଗୁଡିକୁ ଉଚ୍ଛେଦ କରିବା ସହ ଡ୍ରେନ୍‌ଗୁଡିକ ସଫା ରଖିବାକୁ ସହରବାସୀ ଦାବି କରିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *