July 21, 2026
Home » ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ

ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ

0
WhatsApp Image 2026-07-20 at 4.59.22 PM

ପ୍ରଶିକ୍ଷଣ ନେବେ ସଂସ୍କୃତ ଓ ଅର୍ଥଶାସ୍ତ୍ରର ୧୨୦ ଜଣ ପିଜିଟି

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି । ଶିରିପୁରସ୍ଥିତି ଇମେଜ୍ ଠାରେ ସଂସ୍କୃତ ଓ ଅର୍ଥଶାସ୍ତ୍ରର ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଦଘାଟନୀ ଅଧିବେଶନରେ ପ୍ରାଥମିକ ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ମୀନା, ୟୁନିସେଫ୍ ର ଫିଲ୍ଡ ଅଫିସ୍ ଚିଫ୍ ଶ୍ରୀ ପ୍ରଶାନ୍ତ କୁମାର ଦାସ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଉପନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍. ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରାଥମିକ ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ମୀନା ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ସମାଜ ଓ ଦେଶ ପାଇଁ ଉତ୍ତମ ନାଗରିକର ଗଠନର ଭାର ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ ତେବେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ଦିଗଦର୍ଶନ ଦେବା ଶିକ୍ଷକମାନଙ୍କ କର୍ତ୍ତବ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ୟୁନିସେଫ୍ ର ଫିଲ୍ଡ ଅଫିସ୍ ଚିଫ୍ ଶ୍ରୀ ଦାସ କର୍ମଶାଳାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ଅପରାଧଠାରୁ ଦୂରେଇ ରଖିବା ପାଇଁ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବା ଶିକ୍ଷକମାନଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ଦାସ କହିଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ପଟ୍ଟନାୟକ ଉଦବୋଧନ ଦେଇ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ କର୍ମଶାଳାରୁ ଜ୍ଞାନ ଆହରଣ କରି ଛାତ୍ରଛାତ୍ରୀଙ୍କ ବିକାଶରେ ବ୍ୟବହାର କରିବାକୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି, ଦିଗଦର୍ଶନ କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ଯାହା ଶିଖିକି ଯାଇଥାନ୍ତି, ତାହା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବାରେ ସହାୟକ ହୋଇଥାଏ । ଏଥିସହ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମାଳି ସ୍ବାଗତ ଅଭିଭାଷଣ ରଖି କର୍ମଶାଳାର ବିସ୍ତୃତି ବିବରଣୀ ପ୍ରଦାନ କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀମତୀ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଦିଗଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୦ ରୁ ଜୁଲାଇ ୨୪ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କର୍ମଶାଳା ଜୁଲାଇ ୨୭ ରୁ ଜୁଲାଇ ୩୧ ତାରିଖ ଯାଏଁ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଅର୍ଥଶାସ୍ତ୍ର ଓ ସଂସ୍କୃତର ୧୨୦ ଜଣ ପିଜିଟି ଯୋଗ ଦେଇଛନ୍ତି । ଏହି କର୍ମଶାଳାରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ଓଡିଶା ଏଜୁକେସନ୍ ରୁଲ୍, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲର ବ୍ୟବହାର, ପୋଶ୍ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା, କ୍ୟାରିଅର ମାର୍ଗଦର୍ଶନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ।

Leave a Reply

Your email address will not be published. Required fields are marked *