July 29, 2026
Home » ପୁଣି ଝାଡ଼ଗାଁରେ ହାତୀ ଆତଙ୍କ : ଗାଁରେ ପଶି ପଣସ ଖାଇଗଲେ ହାତୀପଲ, ଭୟରେ ରାତି କାଟୁଛନ୍ତି ଗ୍ରାମବାସୀ ।

ପୁଣି ଝାଡ଼ଗାଁରେ ହାତୀ ଆତଙ୍କ : ଗାଁରେ ପଶି ପଣସ ଖାଇଗଲେ ହାତୀପଲ, ଭୟରେ ରାତି କାଟୁଛନ୍ତି ଗ୍ରାମବାସୀ ।

0
WhatsApp Image 2026-07-28 at 11.05.25 PM (1)

ଯୋଡ଼ା -କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁରେ ପୁଣିଥରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଦୀର୍ଘ କିଛି ଦିନ ଧରି ହାତୀପଲର ଅବାଧ ଚଳାଚଳ ଯୋଗୁଁ ଗ୍ରାମବାସୀ ଭୟ ଓ ଆତଙ୍କ ମଧ୍ୟରେ ଦିନ କାଟୁଥିବାବେଳେ ସୋମବାର ରାତିରେ ହାତୀପଲ ଗାଁରେ ପ୍ରବେଶ କରି ଭିକାରୀ ନାଏକ ଘର ନିକଟରେ ଥିବା ପଣସ ଗଛରୁ ପଣସ ଖାଇଥିବା ଘଟଣା ସ୍ଥାନୀୟ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଝାଡ଼ଗାଁରେ ପଶି ଜନବସତି ମଧ୍ୟରେ ବୁଲାବୁଲି କରିଥିଲେ। ଏହି ସମୟରେ ଏକ ଘର ନିକଟରେ ଥିବା ପଣସ ଗଛରୁ ପଣସ ଖାଇଥିବା ଦେଖାଯାଇଥିଲା। ହାତୀପଲକୁ ଗାଁ ଭିତରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜନହାନି କିମ୍ବା ବଡ଼ଧରଣର କ୍ଷୟକ୍ଷତି ଘଟିନଥିଲେ ମଧ୍ୟ, ବାରମ୍ବାର ହାତୀପଲ ଗାଁ ମୁହାଁ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସୁରକ୍ଷା ଭାବନା ବଢ଼ିଚାଲିଛି।ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଗତ କିଛି ଦିନ ହେବ ହାତୀପଲ କେବେ ଦିନରେ ତ କେବେ ରାତିରେ ଗାଁ ନିକଟକୁ ଆସୁଛନ୍ତି। ଫଳରେ ସନ୍ଧ୍ୟା ପରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଥିବାବେଳେ ବିଶେଷକରି ବୃଦ୍ଧ, ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ନେଇ ପରିବାର ସଦସ୍ୟମାନେ ଚିନ୍ତିତ ରହୁଛନ୍ତି।ଏଭଳି ପରିସ୍ଥିତିରେ ଗ୍ରାମବାସୀ ବନ ବିଭାଗକୁ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ହାତୀପଲକୁ ଜନବସତିରୁ ଘଉଡ଼ାଇବା, ନିୟମିତ ପାଟ୍ରୋଲିଂ, ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ହାତୀଙ୍କ ଚଳାଚଳ ସମ୍ପର୍କରେ ପୂର୍ବ ସତର୍କ ସୂଚନା ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଏହାଦ୍ୱାରା ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ସମ୍ଭବ ହେବ ବୋଲି ସେମାନଙ୍କ ମତ।ବର୍ଷା ଋତୁରେ ଜଙ୍ଗଲ ଅଞ୍ଚଳରେ ଖାଦ୍ୟ ଅଭାବ ଏବଂ ପ୍ରାକୃତିକ ବାସସ୍ଥାନ ସଙ୍କୁଚିତ ହେବାରୁ ହାତୀପଲ ଖାଦ୍ୟ ସନ୍ଧାନରେ ଜନବସତିମୁଖୀ ହେଉଥିବା ଜଣାପଡ଼ିଛି। ଫଳରେ ଯୋଡ଼ା ବ୍ଲକର ବିଭିନ୍ନ ଗାଁରେ ମଣିଷ–ହାତୀ ସଂଘର୍ଷର ଆଶଙ୍କା କ୍ରମଶଃ ବୃଦ୍ଧି ପାଉଛି। ସମୟ ଥାଉଁଥାଉଁ ବନ ବିଭାଗ ସ୍ଥାୟୀ ଓ ବୈଜ୍ଞାନିକ ସମାଧାନ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ବଡ଼ଧରଣର ଧନଜୀବନ ହାନି ଘଟିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।

 

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *