August 24, 2026
Home » ଫିଲ୍ମ ଷ୍ଟାଇଲ ଡକାୟତି….

ଫିଲ୍ମ ଷ୍ଟାଇଲ ଡକାୟତି….

0
WhatsApp Image 2026-08-23 at 12.21.42 PM

 

ସାବାସ୍ ଧର୍ମଗଡ଼ ପୋଲିସ୍ ! ଡାକ୍ତରଙ୍କ ଘର ଲୁଟି, ପୁଣି ତାଙ୍କ ପାଖରେ ଶୋଉଥିଲା ଅଭିଯୁକ୍ତ !

ଧର୍ମଗଡ଼: ଚୋର ଯଦି ଅଜଣା ହୁଏ, ତେବେ ତାକୁ ଚିହ୍ନିବା କଷ୍ଟକର। କିନ୍ତୁ ଯଦି ଚୋର ହିଁ ଆପଣଙ୍କ ଛାଇ ଭଳି ପାଖେ ପାଖେ ରହେ, ତେବେ ଚୋରି ନୁହେଁ, ପୂରା ସିନେମାର କାହାଣୀ ଲାଗିବ! ଧର୍ମଗଡ଼ ରେ ଡାକ୍ତରଙ୍କ ଘର ଡକାୟତି ଘଟଣାରେ ପୋଲିସର ତଦନ୍ତ ଏବେ ଏମିତି ଏକ ଟୁଇଷ୍ଟ ଆଣିଛି।
ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ସରକାରୀ ଡାକ୍ତର ଅଜିତ ଦାସଙ୍କ ବାସଭବନରେ ଗତ ୧୧ ଜୁଲାଇ ବିଳମ୍ବିତ ରାତିରେ ଚାରିଜଣ ଦୁର୍ବୃତ୍ତ ପଶି ଡାକ୍ତରଙ୍କୁ ବାନ୍ଧି ଦେଇ ଦୁଇଟି ସୁନା ଚେନ୍, ଦୁଇଟି ସୁନା ମୁଦି ଓ ପ୍ରାୟ ୮୦ ହଜାର ଟଙ୍କା ଲୁଟି ନେଇଥିଲେ। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା।
କିନ୍ତୁ ତଦନ୍ତ ଆଗକୁ ବଢ଼ିବା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଯେକୌଣସି ଥ୍ରିଲର୍ ଫିଲ୍ମକୁ ଟକ୍କର ଦେବ। ପୋଲିସ ଅଭିଯୋଗ ଅନୁଯାୟୀ, ଡାକ୍ତରଙ୍କ ଅତି ନିକଟତମ ବ୍ୟକ୍ତି ସୁଧୀର ତାଣ୍ଡି ଓରଫ ମୋଟୁ ହିଁ ଡକାୟତିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେ ଡାକ୍ତରଙ୍କୁ ନିୟମିତ ଭାବେ ଘରୋଇ କ୍ଲିନିକକୁ ନେଉଥିବାରୁ ଡାକ୍ତରଙ୍କ ଘରର ଭିତର ବ୍ୟବସ୍ଥା ଓ କେଉଁଠି କଣ ରହୁଛି, ସେ ସମ୍ପର୍କରେ ଅବଗତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।


ଆଉ ସବୁଠାରୁ ବଡ଼ କଥା,ଲୁଟ୍ ପରେ ଯେଉଁ ବ୍ୟକ୍ତିକୁ ଡାକ୍ତର ନିଜର ବିଶ୍ୱାସଯୋଗ୍ୟ ଭାବି ପାଖରେ ଶୁଆଉଥିଲେ, ସେହି ବ୍ୟକ୍ତି ଉପରେ ହିଁ ଡକାୟତିର ଅଭିଯୋଗ! ଅର୍ଥାତ୍, ଘରର ତାଲା ଭାଙ୍ଗିବାକୁ ଦୁର୍ବୃତ୍ତଙ୍କୁ ଯେତେ ପରିଶ୍ରମ କରିବାକୁ ପଡ଼ିଲା, ବିଶ୍ୱାସର ତାଲା ଖୋଲିବାକୁ ସେତେ ପରିଶ୍ରମ କରିବାକୁ ପଡ଼ିଲା ନାହିଁ!
ଧର୍ମଗଡ଼ ପୋଲିସ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ଭୁବନେଶ୍ୱରୀ ହରିଜନ ଓ କୁମାରୀ ହରିଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ କାଶିବାହାଲ ଗ୍ରାମର ୨୭ ବର୍ଷୀୟ ସୁଧୀର ତାଣ୍ଡିଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଡକାୟତିରେ ବ୍ୟବହୃତ ସ୍କୁଟି ଏବଂ ଲୁଟ୍ ହୋଇଥିବା ସୁନା ମୁଦି ଜବତ ହୋଇଛି। ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।
ତଥାପି କାହାଣୀ ଏଠାରେ ଶେଷ ହୋଇନାହିଁ। ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଅନ୍ୟ ଅଭିଯୁକ୍ତ, ଲୁଟ୍ ହୋଇଥିବା ଟଙ୍କା ଓ ଅନ୍ୟ ସାମଗ୍ରୀ ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି।
ଘଟଣାଟି କେବଳ ଡକାୟତି ନୁହେଁ, ବିଶ୍ୱାସର ଦୁରୁପଯୋଗର ଏକ ଚରମ ଉଦାହରଣ। ଡାକ୍ତରଖାନା ପରିସରରେ ଏଭଳି ଘଟଣା ଘଟିବା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କାଠଗଡ଼ାରେ ଠିଆ କରିଛି। ପୋଲିସ ଯଦି ଅବଶିଷ୍ଟ ଅଭିଯୁକ୍ତଙ୍କୁ ଶୀଘ୍ର ଧରି ସମସ୍ତ ଲୁଟ୍ ସାମଗ୍ରୀ ଉଦ୍ଧାର କରେ, ତେବେ ତଦନ୍ତର ଏହି ଅଧ୍ୟାୟ ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ।
ଲୁଟ ହୋଇଥିବା ଅନ୍ୟ ସାମଗ୍ରୀ ଓ ଟଙ୍କା ସମ୍ପର୍କରେ ମଧ୍ୟ ପୋଲିସ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଧରାଯିବା ସହ ଧର୍ମଗଡ଼ ଥାନା ପକ୍ଷରୁ ସହରରେ ଚୋରି, ଡକାୟତି ଓ ଅନ୍ୟ ଅପରାଧ ରୋକିବା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂକୁ ଗୁରୁତ୍ୱ ଦିଆଯାଉଛି ବୋଲି ଧର୍ମଗଡ ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *