ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ ,ସବୁ କୋଠା ଫିକା ଗୋଲାପୀ ରଙ୍ଗର କରାଯିବା ପାଇଁ ରଙ୍ଗ କାମ ଆରମ୍ଭ
ଆରମ୍ଭ ହୋଇଛି ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ ।ସବୁ କୋଠା ଫିକା ଗୋଲାପୀ ରଙ୍ଗର କରାଯିବା ପାଇଁ ରଙ୍ଗ କାମ ଆରମ୍ଭ ହୋଇଛି ।ଅଠରନଳାରୁ ବଡ଼ଦାଣ୍ଡ,ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା।ବଡ଼ଦାଣ୍ଡ ସମେତ ,ମୁଖ୍ୟ ରାସ୍ତାର ସମସ୍ତ କୋଠାକୁ ସମାନ ରଙ୍ଗରେ,ଉପସ୍ଥାପିତ କରାଯିବ।ବଡ଼ଦାଣ୍ଡ କୋଠାଗୁଡ଼ିକ ସହ ମେଡିକାଲ ଛକ ରୁ ଅଠରନଳା ରାସ୍ତାର କୋଠା ସମୂହ ଗୋଟିଏ ରଙ୍ଗରେ ଶୋଭା ପାଇବ। ସରକାର ଏଥିପାଇଁ ପ୍ରାୟ ୨କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏନେଇ ୩ଟି ରଙ୍ଗ ଜିଲ୍ଲା ପ୍ରଶାସନ ଚୟନ କରି ରାଜ୍ୟ ସରକାରଙ୍କୁ ପଠାଇଥିବା ବେଳେ ପୂର୍ବରୁ ଥିବା ଫିକା ଗୋଲାପୀ ରଙ୍ଗ କୁ ହିଁ ଚୟନ କରାଯାଇଛି । ସରକାରଙ୍କ ସମ୍ମତିରେ ବଡ଼ଦାଣ୍ଡ ଓ ଅଠରନଳା-ମେଡିକାଲ ଛକ କୋଠାଗୁଡ଼ିକର ରଙ୍ଗ ବଦଳିବ।ଐତିହ୍ୟ ନଗରୀ ର ପ୍ରବେଶ ଦ୍ଵାର ରୁ ହିଁ ଭକ୍ତ ପାଇବେ ନୂଆ ଅନୁଭୂତି ।ଦୁଇ ପାର୍ଶ୍ଵରେ ଗୋଟିଏ ରଙ୍ଗ ହୋଇ ହେରିଟେଜ ଲୁକ ଦେବ ନୂଆ ଆକର୍ଷଣ ।ଶତାବ୍ଦୀ ପୁରୁଣା ଐତିହ୍ୟ ସହରର ଗାରିମା, ଭବ୍ୟତା,ଓ ସୋନ୍ଦର୍ଯ୍ୟତା ସହ ଐକ୍ୟ ବୋଧ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏକ ନୂଆ ଅନୁଭବ ଆଣିଦେବ ।ଏହାପୂର୍ବରୁ ୨୦୧୫ ନବକଳେବର ପୂର୍ବରୁ ମଧ୍ୟ କୋଠାଗୁଡ଼ିକୁ ଫିକା ହଳଦିଆ ରଙ୍ଗ କରାଯାଇଥିଲା ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ମଧ୍ୟ ସମସ୍ତ କୋଠାକୁ ଫିକା ଗୋଲାପୀ ରଙ୍ଗ କରାଯାଇଥିବା ବେଳେ ଏହା କେବଳ ବଡ଼ଦାଣ୍ଡ ରେ ସୀମିତ ଥିଲା।ଏବେ ପୁରୀର ପ୍ରବେଶ ପଥରୁ ହିଁ ଭକ୍ତ ଭବ୍ୟ ଓ ଦିବ୍ୟ ଅନୁଭବ ପାଇବେ । ଇତିମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପରେ ୟୁନିଫର୍ମ କଲର କୋଡ୍ ଭିତ୍ତିରେ ସମସ୍ତ କୋଠା ରଙ୍ଗ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ସମ୍ପ୍ରତି ବଡ଼ଦାଣ୍ଡରେ ଲାଗିଥିବା ଫିକା ଗୋଲାପି ରଙ୍ଗ ସହ ଆଉ ଦୁଇଟି ରଙ୍ଗ ଚୟନ କରି ସରକାରଙ୍କୁ ପଠାଯାଇଥିଲା ।ତେବେ ଦୁଇ ପାର୍ଶ୍ୱ ରାସ୍ତାରେ ଥିବା ସାଇନ ବୋର୍ଡରେ ଅନ୍ୟ ରଙ୍ଗ ବ୍ୟବହୃତ ହୋଇ ,ଐତିହ୍ୟ ନଗରୀର ଗାରିମା ହ୍ରାସ ହେଉଥିବା ବେଳେ ଜିଲ୍ଲାପାଳ ଏଭଳି ସାଇନ୍ ବୋର୍ଡ ସବୁ କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁନିଭର୍ସାଲ କଲର୍ କୋଡ଼ କୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ ।ପିକେଡିଏ ପକ୍ଷରୁ ପୁରୁଷୋତ୍ତମ ଭକ୍ତ ନିବାସ କୋଠା, ପୁରୁଣା ଜେଲ୍ ରୋଡ ବହୁତଳ ପାର୍କିଂ କୋଠା, ମେଡିକାଲ୍ ପାଚେରି, କୁମ୍ଭାରପଡ଼ା ଥାନା, ୱାଟକୋ କୋଠା ଆଦି ସୁସଜ୍ଜିତ କରାଯିବାକୁ ଯୋଜନା ରହିଛି। ଅନ୍ୟ ଘରୋଇ କୋଠାଗୁଡ଼ିକର ମାଲିକ ମଧ୍ୟ ଏହି ୟୁନିଫର୍ମ କଲର କୋଡକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
