ବରଗଡ଼ରେ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବରଗଡ଼: ବରଗଡ଼ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ୨୦୨୫-୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୦୬ ଜାନୁଆରୀ ୨୦୨୬ ତାରିଖ ସକାଳ ୧୧ ଘଟିକା ସମୟରେ ଏକ ସଚେତନତା ରଥ ପରିକ୍ରମା ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହି ପରିପ୍ରେକ୍ଷୀରେ ଡିଭିଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୦୬ ଜାନୁଆରୀରେ ଏବଂ ଜିଲ୍ଲା ସ୍ତରୀୟ ମୁଖ୍ୟ ସମାରୋହ ୧୩ ଜାନୁଆରୀ ୨୦୨୬ ରେ ପାଳନ କରାଯିବା ପାଇଁ ଦିନ ଧାର୍ଯ୍ୟ ହୋଇଛି।

ଜଳ ପରିଚାଳନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷଣ, ରଚନା, କ୍ୱିଜ୍, ଚିତ୍ରାଙ୍କନ ଏବଂ ମଡେଲ ପ୍ରଦର୍ଶନୀ ପ୍ରତିଯୋଗିତା ଡିଭିଜନ ସ୍ତରରେ ଆୟୋଜନ କରାଯିବ। ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବେ ଏବଂ ବିଜେତାମାନଙ୍କୁ ୧୩ ଜାନୁଆରୀରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏହା ବ୍ୟତୀତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ କରିବା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହଯୋଗରେ ଜଣେ ପ୍ରଗତିଶୀଳ ଚାଷୀଙ୍କୁ ଚୟନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା
ଏହି ସମୀକ୍ଷା ବୈଠକରେ ବରପାଲି ଜଳସେଚନ ବିଭାଗର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ଓଡ଼ିଶା ଲିଫ୍ଟ୍ ଇରିଗେସନ କର୍ପୋରେସନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବରଗଡ଼ ଏସ.ଡି.ଓ, ପଦମପୁର ମାଇନର ଇରିଗେସନ ବିଭାଗର ଉପବିଭାଗୀୟ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଏହି ପାଣି ପଞ୍ଚାୟତ ପକ୍ଷକୁ ସଫଳ ଓ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
