September 18, 2026
Home » ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’

ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’

0
WhatsApp Image 2026-09-18 at 1.03.31 PM

 

ବରଗଡ଼: ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଆନୁପଚାରିକ ଶୁଭାରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ ମିଶନ ଶକ୍ତି ଦ୍ୱାରା ଏକ ସନ୍ଧ୍ୟାକାଳୀନ ବିଶେଷ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ପରିସରରେ ଆୟୋଜିତ ଏହି ସାମୂହିକ ଦୀପ ପ୍ରଜ୍ୱଳନ ଉତ୍ସବରେ ଶତାଧିକ ମହିଳା ଓ ସ୍ଥାନୀୟ ନାଗରିକ ସାମିଲ ହୋଇଥିଲେ।

 

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଅରୂପା ନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ଫେଡେରେସନ ଅନୁଦାନରେ ପ୍ରାୟ ୫,୦୦୦ ଦୀପ ପ୍ରଜ୍ୱଳନ କରାଯିବା ସହ ଏକ ଆକର୍ଷଣୀୟ ସାମୂହିକ ରଙ୍ଗୋଲି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଉଜ୍ଜ୍ୱଳ ଦୀପାବଳିର ଆଲୋକ ଓ ରଙ୍ଗୋଲିର ମନୋରମ ଶୋଭା ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଓ ସେବା ମନୋଭାବରେ ଆଲୋକିତ କରିଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ନିର୍ବାହୀ ଅଧିକାରୀ ଲଲାଟ ଲୁହା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସାହୁ କହିଥିଲେ ଯେ, “ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ଏହି ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ସମାଜରେ ଆଶା, ସମ୍ଭାବନା ଓ ସେବା ଭାବନାକୁ ସଦାସର୍ବଦା ଉଜ୍ଜୀବିତ ରଖିବା ପାଇଁ ଏକ ଅପୂର୍ବ ପ୍ରେରଣା ଯୋଗାଇବ।” କେବଳ ମୁଖ୍ୟ ମନ୍ଦିର ପରିସର ନୁହେଁ, ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍, ପଞ୍ଚାୟତ ଏବଂ ହିତାଧିକାରୀଙ୍କ ଘରେ ମଧ୍ୟ ଏହି ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରାଯାଇଛି।

ଆଗାମୀ ଏକ ମାସ ବ୍ୟାପୀ ଏହି ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଜନକଲ୍ୟାଣକାରୀ ଓ ସାମାଜିକ ସେବା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସାରା ଜିଲ୍ଲାରେ ଆୟୋଜିତ ହେବ।

 

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *