ବରିଷ୍ଠ ସାମ୍ବାଦିକ ବିଭୁତି ପତିଙ୍କ ବିୟୋଗରେ ଓଜେସି ସଭାପତି ମହମ୍ମଦ ମୋକିମଙ୍କ ଶୋକ ବାର୍ତ୍ତା
ତଥ୍ୟଭିତିକ ସାମ୍ୱାଦିକତା କରୁଥିଲେ ବିଭୁତି, ଜଣେ ଉତ୍ତମ ବନ୍ଧୁଙ୍କୁ ହରାଇଲି : ମହମ୍ମଦ ମୋକିମ
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଅକାଳ ବିୟୋଗରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ଇଂ ମହମ୍ମଦ ମୋକିମ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଭୂତି ପତିଙ୍କ ବିୟୋଗ ଓଡ଼ିଶାର ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ନିଜ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ଶ୍ରୀ ମୋକିମ କହିଛନ୍ତି ଯେ, ବିଭୂତି ପତି ଜଣେ ଉଚ୍ଚକୋଟୀର ଓ ଦକ୍ଷ ସାମ୍ବାଦିକ ଥିଲେ। ସେ ସର୍ବଦା ତଥ୍ୟଭିତ୍ତିକ ସାମ୍ବାଦିକତାରେ ବିଶ୍ୱାସ କରୁଥିଲେ। ତାଙ୍କର ସମ୍ବାଦ ଲେଖନୀ ଓ ପରିବେଷଣ ଶୈଳୀ ସ୍ୱତନ୍ତ୍ର ଥିଲା । ନିଜର ସାମ୍ବାଦିକତା ମାଧ୍ୟମରେ ସେ ଜନସାଧାରଣଙ୍କ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଲୋକଲୋଚନକୁ ଆଣୁଥିଲେ ।
ବିଭୂତି ପତିଙ୍କ ସହ ନିଜର ବ୍ୟକ୍ତିଗତ ବନ୍ଧୁତାକୁ ସ୍ମରଣ କରି ଶ୍ରୀ ମୋକିମ କହିଛନ୍ତି ଯେ, ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଥିବା ସମୟରେ ବିଭୂତି କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଉଥିଲେ। ତାଙ୍କ ସହ ମୋର ବନ୍ଧୁତା ଅତ୍ୟନ୍ତ ନିବିଡ଼ ଥିଲା । ତାଙ୍କର ଅକାଳ ବିୟୋଗରେ ମୁଁ ଜଣେ ଉତ୍ତମ ବନ୍ଧୁଙ୍କୁ ହରାଇଲି। ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭୂତ ହେବ ।
ବିଭୂତି ପତିଙ୍କ ବିୟୋଗରେ ଶ୍ରୀ ମୋକିମ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗ ଓ ତାଙ୍କର ଶୁଭେଚ୍ଛୁ ମାନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
