ବହୁଚର୍ଚ୍ଚିତ ଅନଲାଇନ୍ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ
୧୦ ହଜାର ଟଙ୍କା ଜରିମାନା, ଅନାଦେୟ ଅତିରିକ୍ତ କାରାଦଣ୍ଡ; ସେୟାର ମାର୍କେଟ୍ରେ ବିପୁଳ ଲାଭର ପ୍ରଲୋଭନ ଦେଖାଇ ଠକେଇ
ନବରଙ୍ଗପୁର: ସେୟାର ମାର୍କେଟ୍ରେ ବିପୁଳ ଲାଭର ପ୍ରଲୋଭନ ଦେଖାଇ ଅନଲାଇନ୍ରେ ଟଙ୍କା ଠକେଇ କରାଯାଇଥିବା ବହୁଚର୍ଚ୍ଚିତ ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି ନବରଙ୍ଗପୁର ଉପଖଣ୍ଡିୟ ବିଚାର ବିଭାଗୀୟ ବିଚାରପତି। ମାନ୍ୟବର ବିଚାରପତି ଶ୍ରୀ ସୌମ୍ୟ ଶଙ୍କର ମହାନ୍ତ ମାମଲାର ବିଚାରଣା କରି ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, ତେନ୍ତୁଳୀଖୁଣ୍ଟି ଅଞ୍ଚଳର ଭି. ପ୍ରଶାନ୍ତ କୁମାର ଗତ ୭ ନଭେମ୍ବର ୨୦୨୫ରେ କଟକସ୍ଥିତ CID କ୍ରାଇମ୍ବ୍ରାଞ୍ଚର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କେସ୍ ନମ୍ବର ୩୮/୨୫ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।
ଅଭିଯୋଗ ଅନୁସାରେ, ୨୦୨୫ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଅଭିଯୋଗକାରୀଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ସେୟାର ମାର୍କେଟ୍ରେ ଅର୍ଥ ବିନିଯୋଗ କଲେ ବିପୁଳ ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ପରେ ଅଭିଯୋଗକାରୀଙ୍କୁ ସେୟାର ମାର୍କେଟ୍ର କୌଶଳ ଶିଖାଇବା ନାମରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଥିଲା।ପରବର୍ତ୍ତୀ ସମୟରେ ତାଙ୍କୁ ‘ଡିଜିଟାଲ ଡାଇନାମୋଶ’ ନାମକ ଏକ WhatsApp ଗ୍ରୁପ୍ରେ ସାମିଲ କରାଯାଇଥିଲା। ଗ୍ରୁପ୍ରେ ମୋଟ ୭ ଜଣ ସଦସ୍ୟ ଥିବା ବେଳେ, ଅଭିଯୁକ୍ତମାନେ ନିଜକୁ ଗ୍ରୁପ୍ ଆଡମିନ୍ ଭାବେ ପରିଚୟ ଦେଇ ସେୟାର ମାର୍କେଟ୍ ସମ୍ପର୍କରେ ବିଭିନ୍ନ କୌଶଳ ଓ ପରାମର୍ଶ ଦେଉଥିଲେ। ସେମାନଙ୍କ ପରାମର୍ଶ ଉପରେ ବିଶ୍ୱାସ କରି ଅଭିଯୋଗକାରୀ ବିନିଯୋଗ କରିବା ଆରମ୍ଭ କରିଥିଲେ।
ଏହି କ୍ରମରେ ଅଭିଯୋଗକାରୀଙ୍କ ଆବଶ୍ୟକୀୟ କାଗଜପତ୍ର ନେଇ ‘ଗ୍ଲୋବିକ୍ସଭଲ୍ଟ’ ନାମକ ଏକ ଟ୍ରେଡିଂ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲାଯାଇଥିଲା। ପ୍ରଥମେ ୨୫,୧୦୦ ଟଙ୍କା ଓ ୩୫,୦୦୦ ଟଙ୍କା ବିନିଯୋଗ କରାଯାଇଥିଲା। ଏହା ପରେ ଅଭିଯୋଗକାରୀଙ୍କ ଆକାଉଣ୍ଟରେ ଯଥାକ୍ରମେ ୮,୫୦୦ ଟଙ୍କା ଓ ୬୩,୦୦୦ ଟଙ୍କା ଲାଭ ଜମା ହୋଇଥିଲା। ଏଥିରେ ବିଶ୍ୱାସ ବଢ଼ିବା ପରେ ଅଭିଯୋଗକାରୀ ଅଧିକ ଟଙ୍କା ବିନିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ୧୨ ଅକ୍ଟୋବର ୨୦୨୫ରୁ ୪ ନଭେମ୍ବର ୨୦୨୫ ମଧ୍ୟରେ ଅଭିଯୋଗକାରୀ ପର୍ଯ୍ୟାୟକ୍ରମେ ପ୍ରାୟ ୧ କୋଟି ୯୪ ଲକ୍ଷ ୬୨ ହଜାର ୩୧୦ ଟଙ୍କା ବିନିଯୋଗ କରିଥିଲେ। ପ୍ଲାଟଫର୍ମରେ ତାଙ୍କ ଆକାଉଣ୍ଟରେ ମୋଟ ୫ କୋଟି ୧୫ ଲକ୍ଷ ୧୭ ହଜାର ୯୮୫ ଟଙ୍କା ଲାଭ ହୋଇଥିବା ଦର୍ଶାଯାଇଥିଲା।
ତେବେ ଅଭିଯୋଗକାରୀ ଯେତେବେଳେ ନିଜ ଟଙ୍କା ଓ ଦର୍ଶାଯାଉଥିବା ଲାଭ ଉଠାଇବାକୁ ଚାହିଁଥିଲେ, ସେତେବେଳେ ତାଙ୍କୁ ଆହୁରି ୬୦ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଅଧିକ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରି ଅଭିଯୋଗକାରୀ ନିଜ ପ୍ରାପ୍ୟ ଅର୍ଥରୁ ଉକ୍ତ ଟଙ୍କା କାଟି ନେବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ପରେ ତାଙ୍କ ଫୋନ୍ର ଉତ୍ତର ଦିଆଯାଇନଥିଲା ଏବଂ ତାଙ୍କୁ WhatsApp ଗ୍ରୁପ୍ରୁ ବାହାର କରି ଦିଆଯାଇଥିଲା।
ଘଟଣା ପରେ ଅଭିଯୋଗକାରୀ CID କ୍ରାଇମ୍ବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ସମୟରେ ଅଭିଯୋଗକାରୀ ଦେଇଥିବା ଫୋନ୍ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଆଧାର କରି ତଦନ୍ତକୁ ଆଗକୁ ବଢ଼ାଇଥିଲା। ଶେଷରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ରିସ୍ରା ଥାନା ଅଞ୍ଚଳର ସେରମପୁରରୁ ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୮(୨)(୪), ୩୧୯(୨), ୩୩୬(୨)(୩), ୩୩୮, ୩୪୦(୨), ୬୧(୨), ୩(୫) ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ୬୬(ସି), ୬୬(ଡି) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲାଟି GR-1505/25 ଭାବେ ବିଚାରାଧୀନ ଥିଲା।
ମାମଲାରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଉପଖଣ୍ଡିୟ ବିଚାର ବିଭାଗୀୟ ବିଚାରପତି ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି।
ଏହି ବହୁଚର୍ଚ୍ଚିତ ମାମଲାକୁ ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ରାମଚନ୍ଦ୍ର ନାୟକ ପରିଚାଳନା କରୁଥିବା ବେଳେ ପବ୍ଲିକ ପ୍ରୋସିକ୍ୟୁଟର ମନୋଜ କୁମାର ଏକ୍କା ମାମଲାର ତଦାରଖ କରୁଥିଲେ।
ଅନଲାଇନ୍ ମାଧ୍ୟମରେ ସେୟାର ମାର୍କେଟ୍ରେ ଅସାଧାରଣ ଲାଭର ପ୍ରଲୋଭନ ଦେଖାଇ ଠକେଇ କରାଯାଉଥିବା ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ଏହି ରାୟ ସାଇବର ଅପରାଧୀଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ମାମଲାରେ ତ୍ୱରିତ ନ୍ୟାୟ ମିଳିଥିବାରୁ ପୀଡ଼ିତ ଓ ତାଙ୍କ ପରିବାର ସମେତ ଜିଲ୍ଲାବାସୀ ନ୍ୟାୟିକ ପ୍ରକ୍ରିୟା ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି।
