August 21, 2026
Home » ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବର୍ଷିକୀ ପାଳିତ

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବର୍ଷିକୀ ପାଳିତ

0
WhatsApp Image 2026-01-19 at 5.39.26 PM

 

 

ବରଗଡ଼: ସ୍ୱାଧୀନତା ସଂଗ୍ରାମର ଅଗ୍ନିଶିଖା ତଥା ମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବଡ ମା’ ପାର୍ବତୀ ଗିରିଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ପର୍ବତୀ ଗିରି ଜନ୍ମ ଶତ ବାର୍ଷିକୀ କମିଟୀ ଓ ପର୍ବତୀ ଗିରି ବୃଦ୍ଧାଶ୍ରମ କମିଟୀ, ସମଲାଇପଦରର ମିଳିତ ସହଯୋଗରେ ବିଜେପୁର ଉଚ୍ଚ ବିଦ୍ୟଳୟ ଖେଳ ପଡିଆରେ ତାଙ୍କର ଜନ୍ମ ଶତବର୍ଷିକୀ ସମାରୋହ ମହା ଆଡମ୍ବର ସହକାରେ ପାଳିତ ହୋଇଛି ।

ମାନ୍ୟବର ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, କ୍ରୀଡା ଏବଂ ଯୁବ ସେବା ବିଭାଗ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ବରଗଡ଼ ବେସରକାରୀ ବସଷ୍ଟାଣ୍ଡ ନିକଟସ୍ତ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏକାମ୍ର ଛକ ସ୍ଥିତ ପାର୍ବତୀଗିରି ମାର୍ଗ ନାମ ଫଳକକୁ ଉଦ୍ଘାଟନ କରିଥିଲେ । ଏହାପରେ ସେ ମା ପର୍ବତୀ ଗିରିଙ୍କ ଜନ୍ମ ମାଟି ସମଲେଇପଦର ଗ୍ରାମସ୍ଥିତ ବୃଦ୍ଧାଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରିବା ପରେ ଶତବାର୍ଷିକୀ ପାଳନ ସମାରୋହରେ ଯୋଗ ଦେଇ ବାଲୁକା କଳାକୃତି ଏବଂ ଚିତ୍ରାଙ୍କନ ପ୍ରଦର୍ଶନୀର ଉଦଘାଟନ ଓ ପରିଦର୍ଶନ କରିଥିଲେ ।

ସଭାକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସମାଜସେବୀ ମା’ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀରେ କୋଟି କୋଟି ପ୍ରଣାମ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ଗ୍ରାମରେ ଜନ୍ମଗ୍ରହଣ କରି ଗରିବ, ମହିଳା, ଅନାଥ ଏବଂ ସମାଜର ଅବହେଳିତ ବର୍ଗର ଉନ୍ନତି ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା, ସ୍ଵଭାବଲମ୍ବୀ ଏବଂ ଖାଦି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରିଟିଶ ବିରୋଧୀ ସ୍ୱାଧୀନତା ଆନ୍ଦୋଳନର ଜଣେ ସକ୍ରିୟ ଅଂଶଗ୍ରହଣକାରୀ ଭାବେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସାହସିକ ଏବଂ ଅନୁକରଣୀୟ ଭୂମିକା ଗ୍ରହଣ କରିବା ସହ ବରଗଡ଼ କୋର୍ଟ ଏବଂ ଏସଡିଓଙ୍କ କାର୍ଯ୍ୟାଳୟରେ ପ୍ରତିବାଦର ନେତୃତ୍ୱ ନେଇ ବାରମ୍ବାର ଗିରଫ ପରେ ସମ୍ବଲପୁର ଜେଲରେ ଦୁଇ ବର୍ଷ ପାଇଁ ସଶ୍ରମ କାରାବରଣ କରିଥିଲେ । କେବଳ ସେତିକି ନୁହେଁ, ଭାରତର ସ୍ୱାଧୀନତା ପରେ ସେ ବରଗଡ ଜିଲ୍ଲା ନୃସିଂହନାଥ ଠାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ଏବଂ ସମ୍ବଲପୁର ଜିଲ୍ଲାରେ ଡକ୍ଟର ସାନ୍ତରା ବାଳାନିକେତନ ଭଳି ଅନେକ ଆଶ୍ରମ-ଅନାଥାଶ୍ରମ ପ୍ରତିଷ୍ଠା କରି ନିଜର ନିଃସ୍ୱାର୍ଥପର ସେବା ଜାରି ରଖିବା ସହ ମହିଳା କଲ୍ୟାଣ, ଜେଲ ସଂସ୍କାର, କୁଷ୍ଠ ରୋଗର ନିରାକରଣ, ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ତେଣୁ ତାଙ୍କର ମହାନ ଅବଦାନଙ୍କୁ ସ୍ମରଣ କରିବା ସହ ତାଙ୍କ ଦ୍ଵାରା ପ୍ରଦର୍ଶିତ ଚଲାପଥକୁ ସମସ୍ତେ ଅନୁସରଣ କରି ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସହାୟକ ହେବା ।

ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡ଼ତିୟା, ମାନ୍ୟବର ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନି କୁମାର ଷଡଙ୍ଗୀ, ମାନ୍ୟବର ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ପର୍ବତୀଗିରୀଙ୍କ ନାତି ଶ୍ରୀ ନୀଲେଶ ଗିରି, ପୁତୁରା ଶ୍ରୀ ଭରତ କୁମାର ଗିରି, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲାଦ ସହାୟ ମିନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପାର୍ବତୀ ଗିରି ଜନ୍ମ ଶତବାର୍ଷିକୀ ପାଳନ କମିଟି ସଭାପତି ସୁବାଶ ପଧାନ ପ୍ରମୁଖ ମଞ୍ଚାସୀନ ହୋଇ ବଡ ମା ପର୍ବତୀ ଗିରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହି ଅବସରେ ଅଞ୍ଚଳର ପ୍ରମୁଖ ସମାଜ ସେବୀ, ପ୍ରତିଭା ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡିକୁ ମିଶାଇ ମୋଟ ୨୭ ଜଣଙ୍କୁ ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥିଙ୍କ ଦ୍ଵାରା ସମ୍ମାନିତ କରିବା ସହ ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତୀତ୍ଵ ହାସଲ କରିଥିବା ୪୦ ଜଣ ମହାବିଦ୍ୟଳୟ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ବିଜେପୁର ବ୍ଲକର ୦୨ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ସହ ବିଜେପୁର ତହସିଲ ଅନ୍ତର୍ଗତ ପଡା ଗ୍ରାମର ୧୯ ଜଣ ଯୋଗ୍ୟ ଭୂମିହିନ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ପ୍ରଦାନ କରାଯାଇଥିଲା ।

 

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।