August 28, 2026
Home » ବାରିପଦା ଏମ୍ ଏସ୍ ସି ବି ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କୁ ଉତ୍ସାହିତ କଲା ‘ଖେଲୋ ଇଣ୍ଡିଆ ସଂଳାପ’

ବାରିପଦା ଏମ୍ ଏସ୍ ସି ବି ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କୁ ଉତ୍ସାହିତ କଲା ‘ଖେଲୋ ଇଣ୍ଡିଆ ସଂଳାପ’

0
WhatsApp Image 2026-08-28 at 3.53.12 PM (1)

 

କ୍ରୀଡ଼ା ଏବଂ ଯୁବ ସଶକ୍ତୀକରଣ ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଶୁଣିଲେ ଛାତ୍ରଛାତ୍ରୀ

ବାରିପଦା/ଭୁବନେଶ୍ବର : ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (MSCB ବିଶ୍ୱବିଦ୍ୟାଳୟ) ପରିସରରେ ‘ଖେଲୋ ଇଣ୍ଡିଆ ସଂଳାପ – ଖେଲ୍ କି ବାତ୍ ପିଏମ୍ ମୋଦୀ କେ ସାଥ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ସୁସ୍ଥ, ସଶକ୍ତ ତଥା କ୍ରୀଡ଼ାଭିତ୍ତିକ ଭାରତ ଗଠନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସହିତ ଯୋଡ଼ି ହେବା ନିମନ୍ତେ ଏହା ଯୁବ ଛାତ୍ରଛାତ୍ରୀମାନଙ୍କୁ ଏକ ଉତ୍ସାହଜନକ ମଞ୍ଚ ପ୍ରଦାନ କରିଛି ।ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ସାଂସଦ ଶ୍ରୀ ନବଚରଣ ମାଝୀ, ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ମହେନ୍ଦ୍ର ମହାନ୍ତି, ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଶ୍ରୀ ଦିବ୍ୟରଞ୍ଜନ ଦାସ ଏବଂ ଶ୍ରୀମତୀ ରଶ୍ମିତା ସାହୁ ଉପସ୍ଥିତ ଥିଲେ । ସେମାନେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ସହ ମିଶି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଅଭିଭାଷଣ ଶୁଣିଥିଲେ ।

ମନ୍ତ୍ରୀ ଡଃ ମହାପାତ୍ର ଯୁବପିଢ଼ିଙ୍କ ସଶକ୍ତୀକରଣ ତଥା ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ଦୃଢ଼ ସଂକଳ୍ପ, ଦଳଗତ ମନୋଭାବ ଏବଂ ନେତୃତ୍ୱ ଗୁଣ ବିକଶିତ କରିବାରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଓଡ଼ିଶାର ଏକ ସମୃଦ୍ଧ କ୍ରୀଡ଼ା ପରମ୍ପରା ରହିଛି ଏବଂ ଏଠାକାର ଯୁବପିଢ଼ିଙ୍କ ମଧ୍ୟରେ ପ୍ରଚୁର ସମ୍ଭାବନା ରହିଛି । ‘ଖେଲୋ ଇଣ୍ଡିଆ’ ଭଳି ପଦକ୍ଷେପ ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରତିଭା ଚିହ୍ନଟ, ଉନ୍ନତ ତାଲିମ ଏବଂ ଭିତ୍ତିଭୂମି ଯୋଗାଇଦେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କ୍ରୀଡ଼ା କେବଳ ପଦକ ଜିତିବା ମଧ୍ୟରେ ସୀମିତ ନୁହେଁ, ବରଂ ଏକ ସୁସ୍ଥ, ଆତ୍ମବିଶ୍ୱାସୀ ଏବଂ ସକ୍ଷମ ପିଢ଼ି ଗଠନ କରିବାର ମାଧ୍ୟମ । କ୍ରୀଡ଼ାରେ ଅଧିକ ଭାଗୀଦାରିତା ଦ୍ୱାରା ଯୁବପିଢ଼ି ନିଜ ପ୍ରତିଭାର ବିକାଶ କରିବା ସହ ରାଷ୍ଟ୍ର ନିର୍ମାଣ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ।

ଯୁବପିଢ଼ିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିଲେ ଯେ କିପରି ସମଗ୍ର ଦେଶରେ କ୍ରୀଡ଼ା ପ୍ରତିଭା ଚିହ୍ନଟ, ଉତ୍ସାହିତ ଏବଂ ସହାୟତା ପ୍ରଦାନ କରିବାରେ ‘ଖେଲୋ ଇଣ୍ଡିଆ’ ଏକ ଶକ୍ତିଶାଳୀ ମଞ୍ଚ ଭାବେ ଉଭା ହୋଇଛି। ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ଉପଯୁକ୍ତ ସୁଯୋଗ, ଗୁଣାତ୍ମକ ତାଲିମ, ଭିତ୍ତିଭୂମି, ଉତ୍ସାହ ଏବଂ ଆନୁଷ୍ଠାନିକ ସହାୟତା ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କ୍ରୀଡ଼ାର ମହତ୍ତ୍ୱ କେବଳ ପଦକ ଏବଂ ରେକର୍ଡ ମଧ୍ୟରେ ସୀମିତ ନୁହେଁ । ଏହା ଶୃଙ୍ଖଳା, ନିଷ୍ଠା, ଦଳଗତ କାର୍ଯ୍ୟ ଏବଂ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହିତ ବ୍ୟକ୍ତିଗତ ଉନ୍ନତି ଓ ଜାତୀୟ ପ୍ରଗତିର ଏକ ଦୃଢ଼ ମୂଳଦୁଆ ସ୍ଥାପନ କରେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିଥିଲେ ଏବଂ ଭାରତର କ୍ରୀଡ଼ା ଭବିଷ୍ୟତ ପାଇଁ ତାଙ୍କ ଦୂରଦୃଷ୍ଟିରୁ ପ୍ରେରଣା ଲାଭ କରିଥିଲେ । ଏହି ଆଲୋଚନାରେ ଓଡ଼ିଶାର ଯୁବପିଢ଼ିଙ୍କ ବର୍ଦ୍ଧିତ ଆକାଂକ୍ଷା ଏବଂ ଦେଶର କ୍ରୀଡ଼ା ଯାତ୍ରାରେ ଅବଦାନ ରଖିବାର ଉତ୍ସାହ ପ୍ରତିଫଳିତ ହୋଇଥିଲା ।
ତୃଣମୂଳ ସ୍ତରରେ କ୍ରୀଡ଼ାର ପ୍ରସାର କରିବା ଏବଂ ବିଭିନ୍ନ ଅଞ୍ଚଳରୁ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ଦେଇ ଭାରତର କ୍ରୀଡ଼ା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ‘ଖେଲୋ ଇଣ୍ଡିଆ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ବାରିପଦାରେ ଆୟୋଜିତ ଏହି ‘ଖେଲୋ ଇଣ୍ଡିଆ ସଂଳାପ’ ଯୁବପିଢ଼ିଙ୍କ ଉର୍ଜା ଏବଂ ଆକାଂକ୍ଷାକୁ ଉଜ୍ଜୀବିତ କରିବା ସହ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ, କ୍ରୀଡ଼ାକୁ ଆପଣେଇବାକୁ ଏବଂ #ViksitBharat (ବିକଶିତ ଭାରତ) ନିର୍ମାଣ ଯାତ୍ରାରେ ନିଜର ଯୋଗଦାନ ଦେବାକୁ ପ୍ରେରିତ କରିଛି ।

Leave a Reply

Your email address will not be published. Required fields are marked *