ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ
ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍
ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନକୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି । ବିଏମସିର ବିଭିନ୍ନ ୱାର୍ଡରେ ସାଂଗଠନିକ ବୈଠକ ଆୟୋଜନ କରାଯାଇ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଉଛି । ଏହିକ୍ରମରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଏମସିର ୫୬ନମ୍ବର ୱାର୍ଡରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି । ବୈଠକରେ ଓଜେସି ସଭାପତି ଇଂ. ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଦଳୀୟ କର୍ମକର୍ତ୍ତା, ଯୁବକ, ମହିଳା ଓ ସାଧାରଣ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ୫୬ ନମ୍ବର ୱାର୍ଡ ଅଞ୍ଚଳର ବିଭିନ୍ନ ସ୍ଥାନୀୟ ସମସ୍ୟା, ନାଗରିକ ସୁବିଧା ଓ ଜନସାଧାରଣଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା। ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସେଗୁଡ଼ିକୁ ନେଇ ସ୍ଥାନୀୟ ସ୍ତରରେ ଲୋକଙ୍କ ସହ ରହି କାର୍ଯ୍ୟ କରିବାକୁ ଇଂ. ମୋକିମ୍ ଦଳୀୟ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ।

ସେ କହିଥିଲେ ଯେ, ଓଜେସି କେବଳ ନିର୍ବାଚନ ସମୟର ଦଳ ନୁହେଁ, ସାଧାରଣ ଲୋକଙ୍କ ସହ ସବୁବେଳେ ରହି ସେମାନଙ୍କ ସମସ୍ୟା ଓ ଅଧିକାରର ସ୍ୱର ହେବା ଦଳର ପ୍ରାଥମିକ ଲକ୍ଷ୍ୟ। ଭୁବନେଶ୍ୱରବାସୀ ପିଇବା ପାଣି ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ। ରାସ୍ତାଘାଟ ଠାରୁ ଆରମ୍ଭ କରି ନାଳନର୍ଦ୍ଦମା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ନେତୃତ୍ୱ ବିଫଳ ହୋଇଥିବା ସେ କହିଥିଲେ । ଭୁବନେଶ୍ୱରର ପ୍ରତ୍ୟେକ ୱାର୍ଡରେ ଦଳର ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ସାଂଗଠନିକ ବୈଠକରେ ଦଳ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି, ଉପସଭାପତି ପ୍ରଦୀପ ପ୍ରଧାନ, ନଜିବୁର ରେହମାନ ଖାନ, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ଜନତା କଂଗ୍ରେସ ସଭାପତି ସଂଗ୍ରାମ କିଶୋର ମାଝୀ, ସାଧାରଣ ସମ୍ପାଦକ ସୋମନାଥ ରାଉତ, ସମ୍ପାଦିକା ସୋନାଲି ମହାପାତ୍ର, ସୀତା ସାହୁ ଓ ସସ୍ମିତା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ୫୬ନମ୍ବର ୱାର୍ଡ ଅଞ୍ଚଳରେ ଓଜେସିର ସାଂଗଠନିକ ଶକ୍ତି ବୃଦ୍ଧି ନିମନ୍ତେ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ଅଞ୍ଚଳର ସଂଗ୍ରାମ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସ୍ଵର୍ଣ୍ଣଲତା ଦେବୀ, ପ୍ରଭା ଦେବୀ, ସୌଦାମିନୀ ଦାସ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।
