September 11, 2026
Home » ବିଏମ୍‌ସି ଟିମ୍‌ ଦ୍ୱାରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର ମହାପାତ୍ରଙ୍କୁ ଜାତୀୟ ସ୍ୱଚ୍ଛ ବାୟୁ ପୁରସ୍କାର ପ୍ରଦର୍ଶିତ

ବିଏମ୍‌ସି ଟିମ୍‌ ଦ୍ୱାରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର ମହାପାତ୍ରଙ୍କୁ ଜାତୀୟ ସ୍ୱଚ୍ଛ ବାୟୁ ପୁରସ୍କାର ପ୍ରଦର୍ଶିତ

0
WhatsApp Image 2026-09-11 at 6.00.28 PM

ଭୁବନେଶ୍ୱର:ଜାତୀୟ ୱାର୍ଡସ୍ତରୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ମହାନଗର ନିଗମର ଏକ ପ୍ରତିନିଧି ଦଳ ଆଜି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ମିଳିଥିବା ଟ୍ରଫି ଓ ପ୍ରମାଣପତ୍ର ଓ ଚେକ ପ୍ରଦର୍ଶିତ କରି ଅବଗତ କରାଇଥିଲେ । ବିଏମ୍ ସି ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଏମସିର ପ୍ରତିନିଧି ଦଳ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟିଥିଲେ । ଏହି ଦଳରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମସି କମିଶନର ଶ୍ରୀ ଚଞ୍ଚଳ ରାଣା, ଡେପୁଟି କମିଶନର (ପରିମଳ) ଶ୍ରୀ ଏନ୍. ଗଣେଶ ବାବୁ, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷଙ୍କ ସହ ୱାର୍ଡ ନମ୍ବର ୩୦, ୩୬ ଓ ୧୫ର ପ୍ରତିନିଧିମାନେ ସାମିଲ ଥିହୋଇଥିଲେ ।

ଜାତୀୟ ୱାର୍ଡସ୍ତରୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ବିଏମସିର ୱାର୍ଡ ନମ୍ବର ୩୬ ଓ ୩୦ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏହା ସହ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ୱାର୍ଡ ନମ୍ବର ୧୩ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛି । ଏହି ସଫଳତା ସହରୀ ବାୟୁର ଗୁଣବତ୍ତାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶାର ପ୍ରୟାସକୁ ଆହୁରି ସ୍ୱୀକୃତି ଦେଇଛି। ଏହି ସଫଳତା ସ୍ୱଚ୍ଛ-ବାୟୁ ପରିଚାଳନା ପାଇଁ ଓଡ଼ିଶାର ବିକେନ୍ଦ୍ରୀକୃତ ଓ ଗୋଷ୍ଠୀଭିତ୍ତିକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଅଛି। ସ୍ଥାନୀୟ ଯୋଜନା, ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ତଥା ଭାଗିଦାରି ଏବଂ ତୃଣମୂଳସ୍ତରରେ ପରିବେଶ ସମ୍ପର୍କିତ ପଦକ୍ଷେପର ନିରନ୍ତର କାର୍ଯ୍ୟାନ୍ୱୟନ ଏହାର ମୁଖ୍ୟ ଆଧାର ବୋଲି କୁହାଯାଇଛି ।

ବିଏମସି ଟିମକୁ ଅଭିନନ୍ଦନ ଜଣାଇବା ସହ ଜାତୀୟସ୍ତରରେ ଏହି ସ୍ୱୀକୃତି ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ନିର୍ବାଚିତ ପ୍ରତିନିଧି, ଅଧିକାରୀ ଓ ନାଗରିକଙ୍କ ସାମୂହିକ ପ୍ରୟାସକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ଡ. ମହାପାତ୍ର । ଭୁବନେଶ୍ୱର ଓ ଓଡ଼ିଶା ପାଇଁ ଏହି ସଫଳତା ଗର୍ବର ବିଷୟ ବୋଲି ସେ କହିବା ସହ ଆଗାମୀ ଦିନରେ ଆହୁରି ଭଲ ଫଳାଫଳ ପାଇଁ ନୂତନ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ବିଏମସି ଟିମକୁ ଆହ୍ୱାନ ଦେଇଛନ୍ତି । ସ୍ୱଚ୍ଛ ବାୟୁ ବଜାୟ ରଖିବା ଏକ ନିରନ୍ତର ଦାୟିତ୍ୱ। ଏଥିପାଇଁ ନିରନ୍ତର ପ୍ରୟାସ, ପ୍ରଭାବଶାଳୀ ସ୍ଥାନୀୟ କାର୍ଯ୍ୟାନୁଷ୍ଠାନ ଓ ସକ୍ରିୟ ଗୋଷ୍ଠୀ ଅଂଶଗ୍ରହଣ ଆବଶ୍ୟକ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସ୍ୱଚ୍ଛ ବାୟୁ ସହ ଏକ ସୁସ୍ଥ, ସବୁଜ ଓ ସ୍ଥାୟୀ ବାସୋପଯୋଗୀ ଭୁବନେଶ୍ୱର ଗଠନ ପାଇଁ ୱାର୍ଡସ୍ତରୀୟ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିଏମସିର ପ୍ରତିନିଧି ଦଳ ମନ୍ତ୍ରୀଙ୍କ ପ୍ରୋତ୍ସାହନ ପାଇଁ ଧନ୍ୟବାଦ ଜଣାଇବା ସହ ସମଗ୍ର ଭୁବନେଶ୍ୱରରେ ସ୍ୱଚ୍ଛ-ବାୟୁ ପଦକ୍ଷେପ ଓ ନାଗରିକ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିବା ପାଇଁ ବିଏମସି ତାହାର ପ୍ରୟାସ ଜାରି ରଖିବ ବୋଲି ଆଶ୍ୱାସନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *