ବିଦାୟ ନେଲେ ଦେବଶିଳ୍ପୀ ବିଶ୍ୱକର୍ମା- ଲଗାଣ ବର୍ଷା ମଧ୍ୟରେ ସମସ୍ତ ମେଢର ହେଲା ଭଷାଣୀ
ପାରାଦୀପଠାରେ ଗତ ଗୁରୁବାର ଦିନଠାରୁ ଆରମ୍ଭ ହୋଇଥିଲା ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ସାତ ଦିନ ଧରି ଚାଲିଥିବା ଏହି ପୂଜା ଉତ୍ସବରେ ଲଘୁଚାପଜନିତ ବର୍ଷାର ପ୍ରଭାବିତ ହୋଇଥିଲା । ବର୍ଷା ଓ ପବନରେ ଏକ ମେଢର ଗେଟ୍ ମଧ୍ୟ ଭୁଷୁଡି ପଡିଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ଦିନ ରାତିରେ ବିଶ୍ୱକର୍ମା ପୂଜାରେ ମଣ୍ଡପ ପ୍ରସ୍ତୁତି କରିଥିବା ଆୟୋଜକମାନଙ୍କୁ ପୌରପାଳିକା ପକ୍ଷରୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ଡ. ବିଭୂ ପ୍ରସାଦ ତରାଇ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ।

ନଗରପାଳ ବସନ୍ତ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ପୁରସ୍କାର ବିତରଣୀ ସମାରୋହରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଂଜନ ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ସମେତ ପୌର ପାରିଷଦମାନେ ଉପସ୍ଥିତ ଥିଲେ । ବୁଧବାର ଦିନ ପ୍ରତିକୂଳ ପାଗ ମଧ୍ୟରେ ସମସ୍ତ ପୂଜାମଣ୍ଡପରୁ ଦେବଶିଳ୍ପୀଙ୍କ ଶୋଭାଯାତ୍ରା ବାହାରିଥିଲେ । ସଂନ୍ଧ୍ୟା ସୁଦ୍ଧା ସମସ୍ତ ମେଢ ଗୁଡିକ ପୌରପାଳିକା ଦ୍ୱାରା ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ ହୋଇଥିବା ଜଣାପଡିଛି
