September 8, 2026
Home » ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ

0
WhatsApp Image 2026-09-08 at 1.18.18 PM

 

କ୍ଷତି ପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ….

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମୃତଦେହକୁ ଧରି ନ୍ୟାୟ ଓ କ୍ଷତିପୂରଣ ଦାବିରେ ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଫଳରେ ସହରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।ମିଳିଥିବା ସୂଚନା ଅନୁଯାୟୀ, ଭବାନିପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାସୋଡା ଗାଁର ଶୀତଳ ନାଏକ କପଡ଼ା ଶୁଖାଇବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଝିଅ ବିଦ୍ୟୁତ୍ ତାରରେ ଲାଗି ଛଟପଟ ହେଉଥିବା ଦେଖି ମା’ ଲଳିତା ନାଏକ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ହେଲେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।

ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗ୍ରାମବାସି ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ଆମ୍ବୁଲାନ୍ସ ପହଞ୍ଚିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଫଳରେ ସମ୍ପର୍କୀୟମାନେ ଅଟୋ ଯୋଗେ ଉଭୟଙ୍କୁ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ମେଡିକାଲରେ ଉଭୟଙ୍କୁ ଠିକ୍ ଭାବେ ଯାଞ୍ଚ କରାନଯାଇ ମୃତ ଘୋଷଣା କରାଯାଇଥିଲା।
ଏହି ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଆମ୍ବୁଲାନ୍ସ ସେବା ଓ ଚିକିତ୍ସା ବ୍ୟବସ୍ଥାରେ ଅବହେଳା ଅଭିଯୋଗ କରି ନ୍ୟାୟ ଓ କ୍ଷତି ପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଦୁଇ ମୃତଦେହକୁ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ଯୋଗୁଁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଶେଷରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *